• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାଇକେଲ୍‌, ପିଲାଟି ଦିନରୁ ଏହା ଆମ ପାଇଁ ଆନନ୍ଦର ଭରପୁର ଖୋରାକ ଯୋଗାଇଛି। ମନେପକାନ୍ତୁ ସେହିଦିନ ଯେଉଁଦିନ ଆପଣ ପ୍ରଥମେ ସାଇକେଲ୍‌ ଶିଖିଲେ ? ରାସ୍ତାରେ କି ପଡିଆରେ ସାଇକେଲ ଶିଖିବା ବେଳେ କେତେଥର ଯେ ଆପଣ ପଡିଛନ୍ତି ତା’ର ହିସାବ କିଏ ରଖିଛି ?

ଯେତେବେଳେ ଆପଣଙ୍କ ପାଇଁ ପ୍ରଥମ ସାଇକେଲ୍‌ ଆସିଲା ତା’ର ଖୁସି ତ ନିଶ୍ଚୟ ଅବର୍ଣ୍ଣନୀୟ। କାହାକୁ ସେ ସାଇକେଲ୍‌ ଛୁଆଁଇ ଦେଉ ନଥିଲେ। ସାଙ୍ଗସାଥି ତ ଦୂରର କଥା ପରିବାରର କେହି ବି ଯଦି ସାଇକେଲ ଟିକିଏ ଛୁଇଁଦେଉଥିଲେ ତେବେ ଆପଣ କେତେ ଅଝଟ ହେଉଥିଲେ? କାନ୍ଦି କାନ୍ଦି ଯାଇ ବାପା, ମାଙ୍କ ପାଖରେ ଗୋଡ କଚାଡି ଅଭିଯୋଗ କରୁଥିଲେ।

ଏ ଭିତରେ ସମୟ ବଦଳିଛି। ପୂର୍ବର ସେ ଛୋଟ ପିଲାଟି ହୁଏତ ବଡ ହୋଇଯାଇଥିବ। ସେମାନଙ୍କ ମଧ୍ୟରୁ କାହାର ବୟସ ଏବେ କେତେ ହୋଇଥିବ କହିବା ମୁସ୍କିଲ୍‌। ସେମାନଙ୍କ ଭିତରୁ ଯେଉଁମାନଙ୍କ ବୟସ ଏବେ ୨୫ ବର୍ଷ ପାର ହୋଇଯାଇଛି, ସେମାନଙ୍କ ସାଇକେଲ କଥା ଟିକେ ମନେପକାଇବା। ସେମାନଙ୍କ କାମର ଚାପ ଏବେ ବହୁତ ବଢିଯାଇଛି। କାର୍ଯ୍ୟ କ୍ଷେତ୍ରକୁ ପ୍ରାୟତଃ ବସ୍, ଅଟୋ, କାର୍‌ କିମ୍ବା ନିଜ ବାଇକରେ ଯାଆସ କରୁଥିବେ।

ଏ ଭିତରେ ସେମାନେ ଅନେକ ତାଙ୍କର ଅତି ପ୍ରିୟ ସାଇକେଲ୍‌କୁ ନିଶ୍ଚୟ ଭୁଲି ଯାଇଥିବେ। କାଁ ଭାଁ ହାତଗଣତି ହୁଏତ କେତେଜଣ ମାସକୁ ଦିନେ ଅଧେ କିଏ ସାଇକେଲ୍‌ରେ ଅଫିସ୍ ଯାଉଥିବେ। ତେଣୁ ସାଇକେଲ ଦିବସରେ ଆଜି ଆସନ୍ତୁ ପୁଣି ଥରେ ସେସବୁ ଟିକେ ମନେ ପକାଇବା।

ଜୁନ୍ ୩କୁ ପ୍ରତିବର୍ଷ ବିଶ୍ୱ ସାଇକେଲ୍‌ ଦିବସ ଭାବେ ପାଳନ କରାଯା। ଯାତାୟତ ସହ ଶରୀରକୁ ସୁସ୍ଥ ରଖିବା ପାଇଁ ସାଇକେଲ୍‌ର ବ୍ୟବହାର ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ସାଇକେଲ ଚାଳନାରେ ଇନ୍ଧନ ବ୍ୟବହାର ହେଉ ନ ଥିବାରୁ ପରିବେଶ ପ୍ରଦୂଷଣ ହୋଇ ନଥାଏ। ୧୯୮୮ ମସିହାରୁ ବିଶ୍ୱ ସାଇକେଲ୍‌ ଦିବସ ପାଳିତ ହୋଇ ଆସୁଛି।

ସାଇକେଲ୍‌ର ବ୍ୟବହାର ସହ ସାଇକେଲ୍‌ ଚଲାଇବା ପାଇଁ ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ଆଜି ବିଶ୍ୱର ପ୍ରାୟ ସବୁ ଦେଶରେ ସାଇକେଲ୍‌ ଦିବସ ପାଳନ ହେଉଛି। ଏଥିପାଇଁ ସାଇକେଲ୍‌ ଚାଳନା ସହ ଲୋକମାନଙ୍କୁ ସଚେତନ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ସରକାରଙ୍କ ସହ ବେସରକାରୀ ସଂଗଠନ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି।

ସାଇକେଲ୍‌ ଚଳାଇବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଅନେକ ଫାଇଦା ମିଳିଥାଏ। ସାଇକେଲ୍‌ ଚଳାଇଲେ ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଧିକ ସକ୍ରିୟ ହୋଇଥାଏ। ରକ୍ତ ସଂଚାଳନ ସ୍ୱାଭାବିକ ହେବା ସହ ମାଂସପେଶୀ ସୁଦୃଢ ହୋଇଥାଏ। ମାନସିକ ସ୍ଥିତିରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସୁଥିବାରୁ ଚିନ୍ତା ଦୂର ହୋଇଥାଏ। ସାଇକେଲ୍‌ ଚଳାଇଲେ ଏକାଗ୍ରତା ବଢିବା ସହ ମୁଡ୍ ଠିକ୍‌ ରହିଥାଏ। ଏଥିସହ ବ୍ୟକ୍ତିର ସୃଜନଶୀଳତାର ବିକାଶ ମଧ୍ୟ ହୋଇଥାଏ।

ଯେଉଁ ବୟସ୍କ ବ୍ୟକ୍ତିମାନେ ଚାଲିବା, ଦୌଡିବା ପରି କଷ୍ଟସାଧ୍ୟ ବ୍ୟାୟାମ କରିପାରି ନ ଥାନ୍ତି ସେମାନେ କିଛିଦିନ ଅଭ୍ୟାସ କଲେ ସାଇକେଲ୍‌ ଚଳାଇପାରିବେ। ଅବଶ୍ୟ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଦରକାର। ଯେଉଁମାନେ ଦୀର୍ଘ ସମୟ ଧରି ଅଫିସ୍‌ରେ ବସି ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ସାଇକେଲ୍‌ ଚାଳନା ଉପାଦେୟ।

ବିଶେଷ କରି ଅଣ୍ଟା, କାନ୍ଧ, କହୁଣୀ ଓ ବେକ ଯନ୍ତ୍ରଣା ଅନେକାଂଶରେ ଉପଶମ ହୋଇଥାଏ। ଆଜିକାଲି ବିଶ୍ୱର ପ୍ରାୟ ଏକ ଚତୁର୍ଥାଂଶ ବ୍ୟକ୍ତି ଉଚ୍ଚ ରକ୍ତଚାପ ରୋଗରେ ପୀଡିତ, ଅର୍ଥାତ୍ ବିଶ୍ୱ ଜନସଂଖ୍ୟା ପ୍ରାୟ ୭୯୫ କୋଟି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯୮ କୋଟି ଏହି ରୋଗରେ ଆକ୍ରାନ୍ତ। ମଧୁମେହ, ଉଚ୍ଚ ରକ୍ତଚାପ ପରି ଅଣସଂକ୍ରାମକ ରୋଗଗୁଡିକ ସଂକ୍ରାମକ ରୋଗ ପରି ବ୍ୟାପିବାରେ ଲାଗିଛି। ଏଥିପାଇଁ ଆମର ଜୀବନଶୈଳୀ ଅନେକାଂଶରେ ଦାୟୀ।

ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଠାରେ ଚିଡିଚିଡା ପଣ ବଢିଥାଏ। ଏଥିସହ ଉଚ୍ଚ ରକ୍ତଚାପ ଯୋଗୁଁ ଅନ୍ୟାନ୍ୟ ରୋଗ ଯେପରିକି ଛାତି ଯନ୍ତ୍ରଣା, ହୃଦରୋଗ ମଧ୍ୟ ହେବାର ଆଶଙ୍କା ରହିଛି। ତେଣୁ ଉଚ୍ଚ ରକ୍ତଚାପ କମାଇବା ପାଇଁ ସାଇକେଲ୍‌ ଚାଳନା ଏକ ସହଜ ବ୍ୟାୟାମ।

ଏଥିପାଇଁ ପ୍ରଥମେ କିଛି ଦିନ ୨ରୁ ୫ କିଲୋମିଟର ସାଇକେଲ୍‌ ଚଳାନ୍ତୁ। ଏହି ସମୟରେ ସାଇକେଲ୍‌ର ଘଣ୍ଟାପ୍ରତି ବେଗ ୧୫ରୁ ୨୦ କିଲୋମିଟର ମଧ୍ୟରେ ରହିବା ଭଲ। ନିୟମିତ ଦୁଇ ସପ୍ତାହରୁ ଅଧିକ ସମୟ ସାଇକେଲ୍‌ ଚାଳନା ଅଭ୍ୟାସ ପରେ ସାଇକେଲ୍‌ର ଗତିକୁ ବଢାଯାଇପାରେ। ଏଥିପାଇଁ ଯଦି ଆପଣମାନେ ନିଜ ସାଙ୍ଗସାଥୀମାନଙ୍କ ସହ ମିଶି ଏକ ଗ୍ରୁପ୍ ଗଠନ କରନ୍ତି ତେବେ ସାଇକେଲ୍‌ ଚାଳନା ଆହୁରି ଆନନ୍ଦ ଦାୟକ ହେବ।

କାର୍ କିମ୍ବା ବାଇକ୍ ଚାଳକମାନେ ଏକାଠି ମିଶି ସାଇକେଲ୍‌ ଚଳାଇପାରିବେ। ଏହାଦ୍ୱାରା ବାୟୁ ପ୍ରଦୂଷଣ ଅନେକ ମାତ୍ରାରେ କମିପାରିବ। ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ୱର ୯୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଭାରୀଯାନ ଓ ଅନ୍ୟାନ୍ୟ ଗାଡି ଚଳାଚଳ ଯୋଗୁଁ ଅଙ୍ଗାରକାମ୍ଳ ଗ୍ୟାସ୍‌ ସହ ନାଇଟ୍ରୋଜେନ, ଡାଇଅକ୍ସାଇଡ୍ ଓ ବେନ୍‌ଜିନ୍ ବାହାରି ଥାଏ। ଏହା ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ବୋଲି ଗବେଷଣାରୁ ଜଣାପଡିଛି। ଅଧିକ ସଂଖ୍ୟାରେ ସାଇକେଲ୍‌ ଚଳାଇଲେ ଶବ୍ଦ ପ୍ରଦୂଷଣ ମଧ୍ୟ କମିଥାଏ।

ସାଧାରଣତଃ ଅଧିକ ଟ୍ରାଫିକ୍ ହେଉଥିବା ରାସ୍ତାରେ ଶବ୍ବ ପ୍ରଦୂଷଣର ମାତ୍ରା ସବୁଠୁ ଅଧିକ ରହିଥାଏ। ଏଥିଯୋଗୁଁ ଯାତାୟତ କରୁଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସାଇକେଲ ଚଳାଇଲେ ଶରୀର ସୁସ୍ଥ ରହୁଥିବାରୁ ଜୀବନ ଆନନ୍ଦମୟ ହୋଇଥାଏ। ଏଥିସହ ରାସ୍ତାରେ ଟ୍ରାଫିକ୍ ହ୍ରାସ ପାଇପାରିବ।

ୟୁରୋପର ଅନେକ ଦେଶର ମୁଖ୍ୟ ସହରମାନଙ୍କରେ ଏବେ ଗାଡିମାନଙ୍କର ଘଣ୍ଟାପ୍ରତି ସର୍ବାଧିକ ବେଗକୁ ୩୦ କିଲୋମିଟରକୁ ହ୍ରାସ କରାଯାଇଛି । ଏଥିଯୋଗୁଁ ସେଠାରେ ରାସ୍ତା ଦୁର୍ଘଟଣା ଅନେକାଂଶରେ କମିଥିବା ବେଳେ ସାଇକେଲ୍‌ ଚଳାଇବା ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ବେଲଜିୟମର ରାଜଧାନୀ ବ୍ରୁସେଲସ୍‌ରେ ରାସ୍ତା ଦୁର୍ଘଟଣା ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି। ରାସ୍ତାରେ ଗାଡିମଟର କମ୍ ଚଳାଚଳ କରୁଥିବାରୁ ଲୋକମାନେ ନିଜକୁ ଅଧିକ ନିରାପଦ ମଣୁଛନ୍ତି। ସେଠାରେ ଏବେ ଲୋକମାନେ ଅଧିକ ସଂଖ୍ୟାରେ ସାଇକେଲ ଚଲାଇବା ପାଇଁ ଆଗଭର ହେଉଛନ୍ତି।

ସକାଳ କିମ୍ବା ସନ୍ଧ୍ୟାରେ ସାଇକେଲ୍‌ ଚଳାଇବା ପାଇଁ ଉପଯୁକ୍ତ ସମୟ। ଏହି ସମୟରେ ବାୟୁମଣ୍ଡଳର ତାପମାତ୍ରା କମ୍ ରହିଥାଏ। ଯେଉଁ ରାସ୍ତାରେ ଟ୍ରାଫିକ୍ କମ୍ ରହୁଛି ସେପରି ରାସ୍ତାକୁ ସାଇକେଲ୍‌ ଚଳାଇବା ପାଇଁ ନିଶ୍ଚୟ ବାଛନ୍ତୁ। ନିଜେ ସାଇକେଲ୍‌ ଚଳାଇବା ସହ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସାଇକେଲ୍‌ ଚଳାଇବା ପାଇଁ ଉତ୍ସାହିତ କରନ୍ତୁ।

ଯେତେବେଳେ ବି ସାଇକେଲ୍‌ ଚଳାଉଛନ୍ତି ସେତେବେଳେ ନିଜର ସୁରକ୍ଷା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଯେଉଁ ସହରରେ ସ୍ୱତନ୍ତ୍ର ଲେନ୍ ରହିଛି କେବଳ ସେହି ଲେନ୍ ଉପରେ ସାଇକେଲ୍‌ ଚଳାନ୍ତୁ । ସାଇକେଲ ଚଳାଇବା ବେଳେ ସଚେତନ ରହିବା ନିହାତି ଦରକାର। ରାସ୍ତାର ଭୁଲ ପାର୍ଶ୍ୱରେ କେବେ ହେଲେ ସାଇକେଲ୍‌ ଚଳାନ୍ତୁ ନାହିଁ । ଏଥିରେ ଦୁର୍ଘଟଣା ହେବାର ଆଶଙ୍କା ଅଧିକ ରହିଛି । ଯେଉଁ ଲେନ୍ କାର୍‌ କିମ୍ବା ଅନ୍ୟ ଭାରୀଯାନ ପାଇଁ ଉଦ୍ଦିଷ୍ଟ ସେଥିରେ ସାଇକେଲ୍‌ ଚଳାନ୍ତୁ ନାହିଁ ।

ବାଇକ୍ ପରି ସାଇକେଲ୍‌ ଚଳାଇବା ବେଳେ ହେଲ୍‌ମେଟ୍ ନିଶ୍ଚୟ ପିନ୍ଧନ୍ତୁ। ଏହାଦ୍ୱାରା ଦୁର୍ଘଟଣା ହେଲେ ମୁଣ୍ଡରେ ଆଘାତ ଲାଗିବାରୁ ରକ୍ଷା ମିଳିପାରେ। ସବୁବେଳେ ଟ୍ରାଫିକ୍ ନିୟମ ମାନି ସାଇକେଲ୍‌ ଚଳାନ୍ତୁ। ସାଇକେଲକୁ ଯାତାୟତର ମାଧ୍ୟମ କରିପାରିଲେ ଆମ ପାଇଁ ଅନେକ ଫାଇଦା ହେବ।

ଆଜି ବିଶ୍ୱ ସାଇକେଲ୍‌ ଦିବସରେ ଆସନ୍ତୁ ଶପଥ ନେବା ଅଧିକ ସଂଖ୍ୟାରେ ସାଇକେଲ୍‌ ଚଳାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇବା। ସପ୍ତାହକୁ ଗୋଟିଏ ଦିନ ହେଉ ପଛେ, ଅଫିସ୍‌କୁ ସାଇକେଲ୍‌ ନେଉ ଯିବା। ଏହାଦ୍ୱାରା ଆମର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସହ ବିଶ୍ୱକୁ ଲୋକମାନଙ୍କ ରହିବା ପାଇଁ ଆହୁରି ସୁନ୍ଦର କରାଯାଇପାରିବ।

ସାଇକେଲ୍‌ ଚାଳନା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ଆମ ଖୁସି ପାଇଁ ମଧ୍ୟ କରିପାରିବା। ବେଳେବେଳେ କିଛି ସାଙ୍ଗସାଥୀ ଏକାଠି ମିଶି କିଛି ଦୂର ସାଇକେଲ୍‌ରେ ଯାଇପାରିବା। ପରିବାରର ଅନ୍ୟ ସଦସ୍ୟମାନଙ୍କ ମିଶି ନିକଟରେ ଥିବା କୌଣସି ପର୍ଯ୍ୟଟନସ୍ଥଳୀ ମଧ୍ୟ ବୁଲି ପାରିବେ। ସପ୍ତାହାନ୍ତ କିମ୍ବା ଛୁଟିଦିନରେ ସାଇକେଲ ପ୍ରେମୀ ଏକାଠି ହୋଇ ନିକଟସ୍ଥ ସହରକୁ ବୁଲି ପାରିବେ।

ଏହାଦ୍ୱାରା ଭାବ ବିନିମୟ ବଢିବା ସହ ସମ୍ପର୍କ ଆହୁରି ସୁଦୃଢ ହେବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ଯଦି ବିଶ୍ୱର ସବୁଠାରୁ ଗରିବ ବ୍ୟକ୍ତିମାନଙ୍କୁ ସାଇକେଲ୍‌ ଯୋଗାଇ ଦିଆଯାଆନ୍ତା ତେବେ ୧୫ ଲକ୍ଷ ଶିଶୁଙ୍କ ଗର୍ଭାବସ୍ଥାରେ ମୃତ୍ୟୁକୁ ଏଡାଇ ଦିଆଯାଇପାରିବ। ଏଥିସହ ଅନେକ ପରିମାଣରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ରୋକାଯାଇପାରିବ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)