Advertisment

ବୋତଲ ପାଣି ଶୁଦ୍ଧତା ପାଇଁ ନା ଷ୍ଟାଟସ୍‌ ସିମ୍ବଲ୍‌ ?

ଚାରିଆଡେ ଏବେ ବୋତଲ ପାଣିର ଚାହିଦା। ଏହାକୁ ନେଇ ଶୁଦ୍ଧତା ନାମରେ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଛି। ଏହା କ’ଣ ସତରେ ଶୁଦ୍ଧ? ଏହା କ’ଣ ଶରୀରକୁ ସୁସ୍ଥ ରଖେ? ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Is Bottled Water Safe To Drink

Is bottled water 100% pure

ଦେଶରେ ପାନୀୟ ଜଳର ଶୁଦ୍ଧତା ନାମରେ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଛି। ଏ ବାବଦରେ କେହି ଅସନ୍ତୋଷ ପ୍ରକାଶ କରୁ ନାହାଁନ୍ତି କି ଏହାକୁ ଅପରାଧ ବୋଲି ମଧ୍ୟ କହୁ ନାହାଁନ୍ତି। ଏହା ଆଶ୍ଚର୍ଯ୍ୟର ବିଷୟ ନିଶ୍ଚୟ।

Advertisment

ଶୁଦ୍ଧ ପାନୀୟ ଜଳ (ବୋତଲରେ ବିକ୍ରି ହେଉଥିବା ପାଣି) ର ବ୍ୟବସାୟ କରୁଥିବା ଲୋକେ ଭୂତଳ ଜଳକୁ ଛାଣି ବା ଫିଲ୍‌ଟର୍‌ କରି ବୋଲତ ଏବଂ ଜାର୍‌ରେ ଭର୍ତ୍ତି କରିଦେଉଛନ୍ତି। ଫିଲ୍ଟର କରାଯାଉଥିବା ଏହି ପାଣିକୁ ହାଲୁକା ନୀଳ ରଙ୍ଗ କରିବା ପାଇଁ ସେଥିରେ କେମିକାଲ୍ ମିଶାଯାଉଛି।

ଦେଶରେ ବୋତଲରେ ଭର୍ତ୍ତି ହୋଇ ବିକ୍ରି ହେଉଥିବା ପାଣି ନାମରେ ମନମାନି ଚାଲିଛି। ହଜାରରୁ ଅଧିକ କମ୍ପାନୀ ଦେଶରେ ଏହି ପାଣିର ବେପାର ଚଳାଇଛନ୍ତି। ପାଉଚ୍‌ (ଜରି ପ୍ୟାକେଟ୍)ରେ ପାଣି ମଧ୍ୟ ବିକ୍ରି କରାଯାଉଛି। ଏହି ପାଉଚ୍ ପାଣି କମ୍ପାନୀର ସଂଖ୍ୟା କେତେ ସେ ବାବଦରେ କୌଣସି ସୂଚନା ପ୍ରଶାସନ ବା ସରକାରଙ୍କ ପାଖରେ ନାହିଁ।

Advertisment

କୀଟାଣୁନାଶକ ବା ଅନ୍ୟ ଅର୍ଥରେ ଶୁଦ୍ଧ ବୋଲି କହି ଏହି ବୋତଲ ପାଣିର ବିକ୍ରି ଚାଲିଛି। ବୋତଲ ବା ପାଉଚ୍‌ରେ ବିକ୍ରି ହେଉଥିବା ପାଣି ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଉଥିଲେ ମଧ୍ୟ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଶୁଦ୍ଧ ବୋଲି କୁହାଯାଇ ବିକ୍ରି କରାଯାଉଥିବା ବୋତଲ ପାଣିର ଶୁଦ୍ଧତାର ମାତ୍ରା କମ୍।

ଔଦ୍ୟୋଗିକ ବର୍ଜ୍ୟବସ୍ତୁ ନଦୀରେ ମିଶିବା କାରଣରୁ ନଦୀର ଜଳ ପ୍ରଦୂଷିତ ହୋଇଥାଏ ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇଥାଏ। ଏହାର ସମାଧାନ କରାଯିବା ପରିବର୍ତ୍ତେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା କାରଣରୁ ସାଧାରଣ ଲୋକଙ୍କର ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ବଢୁଛି। ଏହାର ଫାଇଦା ଉଠାଇ ବୋତଲ ପାଣି ବିକ୍ରି କରୁଥିବା କମ୍ପାନୀମାନେ ବିଜ୍ଞାପନ ମାଧ୍ୟମରେ ସୁସ୍ଥ ରହିବା ପାଇଁ ବୋତଲ୍ ପାଣି ପିଇବାର ଆବଶ୍ୟକତା ରହିଛି ବୋଲି ପ୍ରବର୍ତ୍ତାଉଛନ୍ତି।

ପ୍ରଚାର ଓ ବିଜ୍ଞାପନ କାରଣରୁ ବ୍ୟକ୍ତିମାନେ ଏହି ବୋତଲ ପାଣିର ବ୍ୟବହାର କରୁଛନ୍ତି। ଏଣୁ ପାଣି ପାଇଁ ପାଣି ଭଳି ଅର୍ଥ ବ୍ୟୟ କରୁଛନ୍ତି ଏ ଦେଶର ଜନସାଧାରଣ। କିନ୍ତୁ ଜନସାଧାରଣ, ସରକାର ନଦୀଜଳ / ଜଳଉତ୍ସ ସବୁକୁ ସଫାକରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ଏହା ହେଲେ ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ ମିଳିପାରନ୍ତା।

ନୈତିକ ଦାୟିତ୍ୱରୁ ସମସ୍ତେ ଦୂରେଇ ଯିବା କାରଣରୁ ଏହି ବୁନିଆଦି ଆବଶ୍ୟକତା ଏବେ ବଜାରବାଦ ହାତକୁ ଚାଲିଯାଇଛି। ନିଜେ ସରକାର ମଧ୍ୟ ରେଳ ନୀର, ୱାର୍ଟର ଏଟିଏମ୍ ଆଦି କରି ଏହି ବ୍ୟବସାୟକୁ ଓହ୍ଲାଇଛନ୍ତି। ଦେଶର ସମସ୍ତ ଜନତାଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇଦେବା କଥା କହୁଥିବା ସରକାର ପାଣିର ବ୍ୟବସାୟ ମଧ୍ୟ କରୁଛନ୍ତି।

ନ୍ୟାଚୁରାଲ୍ ରିସୋର୍ସେସ୍ ଡିଫେନ୍ସ କାଉନ୍‌ସିଲ୍‌ର ଅଧ୍ୟୟନରୁ ଜଣାପଡିଛି ଯେ ବୋତଲ ପାଣି ଓ ସାଧାରଣ ପାଣି ପ୍ରାୟତଃ ସମାନ। ମିନେରାଲ୍ ୱାଟର୍‌ ନାମରେ ବିକ୍ରି ହେଉଥିବା ବୋତଲ ପାଣି ପାଇଁ ବ୍ୟବହୃତ ହେଉଥିବା ବୋତଲର ପ୍ରସ୍ତୁତି ବେଳେ ଏକ ବିଶେଷ ରସାୟନ ପେଥଲେଟସ୍‌ର ବ୍ୟବହାର କରାଯାଏ। ଏହି ରସାୟନ ବୋତଲକୁ ମୁଲାୟମ ରଖିବାରେ ସାହାଯ୍ୟ କରିଥାଏ।

ଏହି ରସାୟନ ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖେଳଣା ନିର୍ମାଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ସାଧାରଣ ତାପମାତ୍ରାଠାରୁ ଅଧିକ ତାପମାତ୍ରାରେ ଏହି ରସାୟନ ପାଣିରେ ମିଶିଯାଏ ଓ ଆମ ଶରୀରକୁ ଗଲେ ଅନେକ ପ୍ରକାର ଖରାପ ପ୍ରଭାବ ପକେଇଥାଏ।

ଏଣ୍ଟିମନି ନାମକ ରସାୟନରୁ ପ୍ରସ୍ତୁତ ବୋତଲରେ ପାଣି ରଖାଗଲେ ପାଣି ଯେତିକି ପୁରୁଣା ହେବ ଏଣ୍ଟିମନିର ମାତ୍ରା ସେତିକି ବଢିବ। ଏଣୁ ଏହାର ବ୍ୟବହାର ଶରୀର ପାଇଁ କ୍ଷତିକାରକ।

ଗୋଟିଏ କଥା ସତ ଯେ ମାଠିଆ ବା ସୁରେଇର ପାଣି ଠାରୁ ବୋତଲ ପାଣି ଉକ୍ରୃଷ୍ଟ ନୁହେଁ। ବୋତଲ ପାଣିର ଆବଶ୍ୟକତା ଶୁଦ୍ଧତା ଏବଂ ସ୍ୱଚ୍ଛତା ପରିବର୍ତ୍ତେ ଫେସନ୍ ଏବଂ ଷ୍ଟାଟସ୍‌ର ସିମ୍ବଲରେ ପରିଣତ ହେବାରେ ଲାଗିଲାଣି।

ବୋତଲ ପାଣିର ପ୍ରଥା କ୍ଷତିକାରକ। ପ୍ରତିଦିନ ଲକ୍ଷ ଲକ୍ଷ ବୋତଲ ବ୍ୟବହାର ପରେ ଫିଙ୍ଗି ଦିଆଯାଉଛି, ଯାହା ପରିବେଶ ପାଇଁ ସଙ୍କଟ ସୃଷ୍ଟିକରୁଛି। କିନ୍ତୁ ଆମ ଦେଶର ସରକାର ଏ ଦିଗରେ ଆଖି ବୁଜିଦେଇଛନ୍ତି। ସେନ୍ ଫ୍ରାନ୍ସିସ୍କୋରେ ବୋତଲ ପାଣି ବିକ୍ରିକୁ ନିଷିଦ୍ଧ କରାଯାଇଛି। ସଲ୍ଟଲେକ୍ ସିଟିରେ ମଧ୍ୟ ଏହାର ବିକ୍ରି ନିଷିଦ୍ଧ।

ପ୍ରକୃତ କଥା ହେଉଛି, ପ୍ରକୃତ୍ତି ପ୍ରଦତ୍ତ ପାଣି ବା ଜଳ ଜୀବନ ପାଇଁ ଅତି ଆବଶ୍ୟକ। ଏହାର ବଜାରୀକରଣ ହେବା ଉଚିତ ନୁହେଁ। ରେଳ ନୀର ବିକ୍ରି ପରିବର୍ତ୍ତେ ରେଳଷ୍ଟେସନ୍‌ଗୁଡିକରେ ଅଧିକ ସଂଖ୍ୟକ ଫିଲ୍‌ଟର୍‌ ଲଗାଗଲେ ରେଳଯାତ୍ରୀ ଓ ସାଧାରଣ ଲୋକଙ୍କୁ ବିଶୁଦ୍ଦ ପାଣି ମିଳିପାରନ୍ତା।

ବୋତଲ ପାଣିର ବିକ୍ରି ବନ୍ଦ କରାଗଲେ ପ୍ଲାଷ୍ଟିକ୍ ଆବର୍ଜନା ମଧ୍ୟ କମିଯାଆନ୍ତା। କେନ୍ଦ୍ର ଓ ରାଜ୍ୟସରକାରମାନେ ଚାହିଁଲେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ପାରନ୍ତେ। ବିସଙ୍ଗତି ହେଉଛି ଲୋକେ ବୋତଲ ପାଣି କିଣିବା ପୂର୍ବରୁ ତାହାର ଶୁଦ୍ଧତା ବାବଦରେ ଜାଣିବାକୁ ଚାହୁଁ ନାହାଁନ୍ତି।

ଖାଦ୍ୟ ପଦାର୍ଥର ମୂଲ୍ୟବୃଦ୍ଧିକୁ ନେଇ ଅନେକ ସମୟରେ ଆନ୍ଦୋଳନ ହେଉଛି। କିନ୍ତୁ ବୋତଲ ପାଣିର ଶୁଦ୍ଧତା ଏବଂ ମୂଲ୍ୟକୁ ନେଇ ଆନ୍ଦୋଳନ ହେଉନି କାହିଁକି? ପ୍ରକୃତରେ କ’ଣ ବୋତଲ ପାଣି ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ? ଏହା କ’ଣ ଶତପ୍ରତିଷତ ଶୁଦ୍ଧ?

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ରାମଚନ୍ଦ୍ରପୁର, ରଣପୁର

ଇମେଲ୍: [email protected]

Water Supply Problem
Advertisment
Advertisment