• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିଜାବ୍‌ ପିନ୍ଧି ଆସିଲେ କଲେଜ ମନା । କର୍ଣ୍ଣାଟକର ଉଡୁପି ସ୍ଥିତ ମହିଳା ପିୟୁ କଲେଜର ଛଅ ଜଣ ସଂଖ୍ୟା ଲଘୁ ଛାତ୍ରୀ ହିଜାବ ପିନ୍ଧିଥିବାରୁ କ୍ୟାମ୍ପସରେ ପ୍ରବେଶ କରିବାକୁ ବାରଣ କରାଯାଇଥିବା ଅଭିଯୋଗ ହୋଇଛି । କଲେଜ ପ୍ରଶାସନ  ଛାତ୍ରୀଙ୍କୁ ଭିତରକୁ ପୂରେଇ ଦେଇନଥିବା କୁହାଯାଉଛି । ବେଙ୍ଗାଲୁରୁ ଠାରୁ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଉଡୁପିରେ ଥିବା ସରକାରୀ ପ୍ରି-ୟୁନିଭରସିଟି ମହିଳା କଲେଜରେ ଏପରି ଘଟଣା ଘଟିଛି । ତେବେ ଏସମ୍ପର୍କରେ ଜଣାପଡ଼ିବା ପରେ ଶନିବାର ଦିନ ଛାତ୍ରୀଙ୍କ ବାପାମାଆ କିଛି କାର୍ଯ୍ୟକର୍ତ୍ତାଙ୍କ ସହ କଲେଜ ପ୍ରଶାସନ ବିରୋଧରେ ପ୍ରଦର୍ଶନ କରିଛନ୍ତି ।

ହିଜାବ୍ ପିନ୍ଧିବାକୁ ମନା କରିଥିବା ବେଳେ ସେମାନଙ୍କୁ ଉର୍ଦ୍ଦୁ, ଆରବୀ ଏବଂ ବେରୀ ଭାଷାରେ କଥା ହେବାକୁ ମଧ୍ୟ କଲେଜ୍ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ତେବେ ଏନେଇ ଛାତ୍ରୀମାନେ ତିନି ଦିନ ଧରି ପ୍ରତିବାଦରେ ଶ୍ରେଣୀ ବାହାରେ ଛିଡ଼ା ହୋଇଥିଲେ । କୌଣସି ସମାଧାନ ନହେବାରୁ ଛାତ୍ରୀମାନେ ନିଜ ପରିବାର ଲୋକଙ୍କୁ ଏସମ୍ପର୍କରେ କହିଥିଲେ । ଶେଷରେ ପ୍ରିନ୍ସିପାଲଙ୍କ ସହ ଯୋଗାଯୋଗ କରିଥିଲେ ଅଭିଭାବକ । ହେଲେ ପ୍ରିନ୍ସିପାଲ ମଧ୍ୟ ଏହି ବିଷୟରେ ଆଲୋଚନା କରିବାକୁ ମନା କରିଦେଇଥିଲେ ।

ଏହାସହ ଗତ ତିନି ଦିନ ଧରି ସେମାନଙ୍କ ଉପସ୍ଥାନ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଉପସ୍ଥାନ ହ୍ରାସ ହେଲେ ପରୀକ୍ଷାରେ ବସି ନପାରନ୍ତି ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଛାତ୍ରୀମାନେ କେବଳ କ୍ୟାମ୍ପସରେ ହିଜାବ ପିନ୍ଧି ପାରିବେ କିନ୍ତୁ ଶ୍ରେଣୀଗୃହ ଭିତରକୁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ପ୍ରିନ୍ସିପାଲ ।

ଶ୍ରେଣୀଗୃହରେ ସମାନତା ରକ୍ଷା କରିବାକୁ ଏହି ନିୟମ ପାଳନ କରାଯାଉଛି । ଏହି ପ୍ରସଙ୍ଗରେ ଶୀଘ୍ର ବାପାମାଆ ଓ ଶିକ୍ଷକଙ୍କ ମଧ୍ୟରେ ଏକ ବୈଠକ ଡକାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏସଡିପିଓର ଉଡୁପି ୟୁନିଟର ସଭାପତି ନାଜିର ଅହମ୍ମଦ କହିଛନ୍ତି , ସଂଖ୍ୟା ଲଘୁ ଛାତ୍ରୀ ମାନଙ୍କୁ ହିଜାବ ପିନ୍ଧି ଶ୍ରେଣୀରେ ବସିବାକୁ ଅନୁମତି ଦିଆଯାଏ ନଗଲେ, ଏହାକୁ ବିରୋଧ କରାଯିବ ।