• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆନ୍ଧ୍ର ପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ ହୋଇଛି। ହୃଦ୍‌ଘାତ ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ସେ ଘରେ ଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଜୁବ୍‌ଲି ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ହେଲେ ସକାଳ ୯.୧୬ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

‘ଆଜି ସକାଳେ ଜୁବ୍‌ଲି ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲକୁ ୫୦ ବର୍ଷୀୟ ଗୌତମ ରେଡ୍ଡୀଙ୍କୁ ଏମର୍ଜେନ୍ସିରେ ଅଣାଯାଇଥିଲା। ହଠାତ୍‌ ସେ ଘରେ ଟଳି ପଡ଼ିଥିଲେ। ସେ ଆମ ERରୁ ସକାଳ ୭.୪୫ରେ ଆସିଥିଲେ। ଆସିବା ବେଳେ ହିଁ ସେ ହୃଦ୍‌ଘାତର ଶିକାର ହୋଇଥିଲେ ଓ ତାଙ୍କ ନିଃଶ୍ୱାସପ୍ରଶ୍ୱାସ ଚାଲୁ ନଥିଲା। ଡାକ୍ତରୀ ଟିମ୍‌ ତାଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲା। ହେଲେ ୯.୧୬ରେ ତାଙ୍କର ଦେହାନ୍ତ ହୋଇଛି’ ହସ୍ପିଟାଲ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଏକ୍ସପୋ ୨୦୨୨ ପାଇଁ ଗୌତମ ରେଡ୍ଡୀ ଦୁବାଇ ଯାଇଥିଲେ। ସେଠାରେ ୧୦ ଦିନ ରହିବା ପରେ ରବିବାର ଦିନ ଘରକୁ ଫେରିଥିଲେ। ସେ ଆନ୍ଧ୍ର ସରକାରରେ ଶିଳ୍ପ ମନ୍ତ୍ରୀ ସହ ଅତିରିକ୍ତ ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ। ତାଙ୍କ ଅକାଳ ବିୟୋଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି। 

ମନ୍ତ୍ରୀ ଗୌତମ ରେଡ୍ଡୀ ହେଉଛନ୍ତି ପୂର୍ବତନ ସାଂସଦ ମେକାପତି ରାଜମୋହନ ରେଡ୍ଡୀଙ୍କ ପୁଅ। ୨୦୧୪ ମସିହାରେ ଗୌତମ ରେଡ୍ଡୀ ପ୍ରଥମଥର ପାଇଁ ଆତ୍ମାକୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ମଧ୍ୟ ସେ ପୁଣି ଜିତିଥିଲେ। ୨୦୧୯ରେ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ଗୌତମ ମନ୍ତ୍ରୀ ପଦ ପାଇଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now