• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା ।

  • ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ ।

  • କେଉଁଠି ମୁକୁଳା ମ୍ୟାନ୍ ହୋଲ୍ ତ କେଉଁଠି ରାସ୍ତା ମଝିରେ ବଡ଼ ଗାଡ଼ ।

  • ଫାସ ଏମିତି ଫସିଲେ ବର୍ତ୍ତିବା ମୁସ୍କିଲ୍ ।

ଭୁବନେଶ୍ୱର: ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା । ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ । କେଉଁଠି ମୁକୁଳା ମ୍ୟାନ୍ ହୋଲ୍ ତ କେଉଁଠି ରାସ୍ତା ମଝିରେ ବଡ଼ ଗାଡ଼ । ଫାସ ଏମିତି ଫସିଲେ ବର୍ତ୍ତିବା ମୁସ୍କିଲ୍ । ଅନ୍ୟ କଥା ଛାଡ଼ନ୍ତୁ, ଆଗ ଜାତୀୟ ରାଜପଥରୁ ଭୁବନେଶ୍ୱର ଏମ୍‌ସକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଆଡ଼େ ଯଦି ନଜର ପକାଇବା ତେବେ ବର୍ଷା ଥମିବାର ୪-୫ ଦିନ ପରେ ବି ପାଣି ଭିତରେ ଲୁଚି ରହିଥିବା ମ୍ୟାନ୍‌ହୋଲ୍‌ ଚିହ୍ନିବା ମୁସ୍କିଲ । ତେଣୁ ସ୍ଥାନୀୟ ଅଞ୍ଚଳର କେହି ଜଣେ ବ୍ୟକ୍ତି, ଏଠାରେ ନାଲି ପତାକା ଲଗାଇଛନ୍ତି । ଯାହାଦ୍ୱାରା ଏହା ବିପଦ ସଙ୍କେତ ଦେବା ସହ ଏଠାକୁ ନଆସିବା ପାଇଁ କୁହାଯାଉଥିବା ଜଣାପଡ଼ିଛି । ଓଟିଭି ଟିମ୍‌ ଏଠାରେ ପହଞ୍ଚିବାର ଠିକ୍ ପୂର୍ବରୁ ଖାଲଖମା ଭର୍ତ୍ତି ଏ ରାସ୍ତାରେ ଖସିପଡିଥିବା ଜଣେ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରିଛନ୍ତି କିଛି ସ୍କୁଲ ପିଲା । 

ସେହିଭଳି ରାସ୍ତା ମଝିରେ ଥିବା ଆଉ ଏକ ମୁକୁଳା ମ୍ୟାନ୍ ହୋଲ୍‌ ରହିଛି ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାଣୀବିହାର ଛକରେ । ରାସ୍ତା ପାଖରେ ଏକ ଘରୋଇ ଡାକ୍ତରଖାନା ବି ରହିଛି । ସବୁବେଳେ ଗହଳି ଚହଳି ମଧ୍ୟ ଏଠାରେ ଲାଗି ରହେ । ତେବେ ବେଶ୍ କିଛି ଦିନ ଧରି ଏଠାରେ ମ୍ୟାନ୍‌ ହୋଲ୍‌ ମୁକୁଳା ପଡ଼ିବା ପରେ ଏବେ ଆଖପାଖ ଲୋକେ ମିଶି ମ୍ୟାନ୍‌ ହୋଲ୍‌ରେ ଗଛଡାଳ ପକେଇ ସତର୍କ କରେଇବାର ଉଦ୍ୟମ କରିଛନ୍ତି । ହେଲେ କର୍ତ୍ତୃୃପକ୍ଷ କିନ୍ତୁ ନିଦାବିଷ୍ଣୁ ।

ସେହିଭଳି ଆଉ ଏକ ସ୍ଥାନ ହେଉଛି, ବ୍ୟସ୍ତ ବହୁଳ କଟକ ରୋଡ଼ । ଏକାମ୍ର ଟକିଜ୍ ସମ୍ମୁଖ ରାସ୍ତାରେ ମଧ୍ୟ ଏକ ମ୍ୟାନ୍‌ ହୋଲ୍‌ ରହିଛି । ସେହି ଗାଡ଼ରେ ଯେ କେତେ ଲୋକ ପଡ଼ି ଖଣ୍ଡିଆ ଖାବରା ହେଲେଣି ତାର ଠିକଣା ନାହିଁ । ଲୋକଙ୍କ ଅଭିଯୋଗ ନିମ୍ନମାନର କାମ ଯୋଗୁଁ ୧୫ ଦିନ ତଳୁ ଆରମ୍ଭ ହୋଇଥିବା ଏହି ଗାଡ଼ ବଡ଼ ଓ ଓସାରିଆ ହେଇଚାଲିଛି ।

ଅନ୍ୟପଟେ ରସୁଲଗଡ଼ ଛକ ଏସପ୍ଲାନେଡ୍ ମଲ୍ ସମ୍ମୁଖ ଓ ଜାତୀୟ ରାଜପଥରୁ ଶହୀଦନଗର ଭିତରକୁ ସଂଯୋଗ କରୁଥିବା ଦୁଇ ରାସ୍ତା ଅବସ୍ଥାକୁ ବି କହିଲେ ନସରେ । ଏକାଧିକବାର ଦୁର୍ଘଟଣା ସତ୍ତ୍ୱେ ପ୍ରଶାସନ ଦୃଷ୍ଟି ଦେଉନାହିଁ । ତେଣୁ ଏଠାରେ ସ୍ଥାନୀୟ ଲୋକ କଂକ୍ରିଟ୍ ସ୍ଲାବ୍ ତ କେଉଁଠି ମାଟି ଇଟା ପଥର ପକେଇ ରାସ୍ତାକୁ ଯାହାତାହି ବିପଦମୁକ୍ତ କରିବାର ଉଦ୍ୟମ କରିଛନ୍ତି ।

ଅନେକ ସ୍ଥାନରେ ମାସ ମାସ ଧରି ଚାଲିଥିବା ସ୍ୱରେଜ୍ କାମ ପାଇଁ ବି ଦୟନୀୟ ହୋଇପଡ଼ିଛି ରାସ୍ତାର ଅବସ୍ଥା । ରାସ୍ତାକୁ ଓହ୍ଲେଇଲେ ବିପଦ । ସୂଚନା ଅନୁସାରେ ଭୁବନେଶ୍ୱରର ସ୍ୱରେଜ୍ କାମ ଓ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଏବେ ୱାଟ୍‌କୋ ହାତରେ । ସ୍ମାର୍ଟ ସିଟି କାର୍ଯ୍ୟାଳୟରେ ୱାଟ୍‌କୋର ଏକ ୨୪ ଘଣ୍ଟିଆ ମେଣ୍ଟେନାନ୍ସ ସେଲ୍ ରହିଛି । ହେଲେ କାମ କେମିତି ହେଉଛି, ତାହା ଫୁଟିକି ବାହାରୁଛି ।