• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଯୋଜନାରେ ସୀମିତ ରହିଲା କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ?

  • ଦୋଷ ଠେଲାଠେଲି ହେଉଛନ୍ତି ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ

ବାସୁଦେବପୁର(କିରୀଟି ଦାସ) : ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରରେ ଛାତ୍ରୀ ମାନଙ୍କୁ ମିଳିବ ମାଗଣା ସାନିଟାରୀ ନାପ୍‌କିନ୍ । ଏହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର "ଖୁସି' ଯୋଜନା ଜରିଆରେ ଛାତ୍ରୀ ମାନଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍ ବଣ୍ଟନ କରାଗଲା । ଲକ୍ଷ୍ୟଥିଲା କିଶୋରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ସୃଷ୍ଟି କରିବା । ହେଲେ ଏହି ସାନିଟାରୀ ନାପ୍‌କିନ୍, ଛାତ୍ରୀ ମାନଙ୍କ ନିକଟରେ ନପହଞ୍ଚି ବର୍ଷ ବର୍ଷ ଧରି ନୋଡାଲ ସେଂଟରର ଗୋଦାମରେ ଗଡୁଛି ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୮ ଫେବୃୟାରୀରେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରାଯାଇଥିଲା ‘ଖୁସି’ଯୋଜନା । ଏହି ଯୋଜନା ମାଧ୍ୟମରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିଲା ମାଗଣା ସାନିଟାରୀ ନାପ୍‌କିନ୍ । ଆଉ ଏଥିପାଇଁ ବାସୁଦେବପୁର ବ୍ଲକ ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଡାଲ ସେଂଟର ଭାବେ ଚିହ୍ନଟ କରାଯାଇଥିଲା । ଏହି ନୋଡାଲ ସେଂଟରରୁ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଏହି ନାପକିନ୍ ଯୋଗାଇ ଦିଆଯିବାର ଯୋଜନା ରହିଥିଲା । ଯେଉଁଥିପାଇଁ ବାସୁଦେବପୁର ବ୍ଲକର ୧୬୫ଟି ବିଦ୍ୟାଳୟ ସମେତ ୭ଟି ମହାବିଦ୍ୟାଳୟର ଛାତ୍ରୀ ଏହାର ସୁଫଳ ପାଇବେ ବୋଲି ଲକ୍ଷ୍ୟ ରହିଥିଲା । ହେଲେ ଏହି ନାପକିନ୍ ନୋଡାଲ ସେଂଟରରେ ବର୍ଷେରୁ ଉର୍ଦ୍ଧ ସମୟ ଧରି ପଡି ରହିଥିଲେବି ଆଜିଯାଏ ବଂଟାଯାଇ ପାରୁନାହିଁ ।

ଏହି ନୋଡାଲ ସେଂଟରରୁ ଶେଷଥର ପାଇଁ ୨୦୨୦ମସିହାର ଜୁଲାଇ ମାସରେ ବଂଟା ଯାଇଥିଲା । ଆଉ ୧ଲକ୍ଷ ୪୦ହଜାର ୫୫୨ ଖଣ୍ଡ ବଂଟା ନଯାଇପାରି ରହି ଯାଇଥିଲା । ଚଳିତ ବର୍ଷ ପୁଣି ଜାନୁଆରୀ ଓ ଫେବୃୟାରୀ ମାସରେ ଦୁଇଟି ପର୍ଯ୍ୟାୟରେ ୭ଲକ୍ଷ ୮୧ହଜାର ୧୨୦ଖଣ୍ଡ ନାପ୍‌କିନ୍ ଆସିଥିଲା । ଏବେ ବାଳିକା ଉଚ୍ଚ ବିଦ୍ୟାଳୟର ନୋଡାଲ ସେଂଟରରେ ୯ଲକ୍ଷ ୨୧ହଜାର ୬୭୨ଖଣ୍ଡ ସାନିଟାରୀ ନାପ୍‌କିନ୍ ବଂଟା ନଯାଇପାରି ଗଦା ହୋଇ ପଡିରହିଛି । ଯାହାକୁ ବାଂଟିବା ପାଇଁ କାହାରି ତତ୍ପରତା ଦେଖା ଯାଉନାହିଁ ।

ବଂଟନ କାର୍ଯ୍ୟ ଉପରେ ନା ଶିକ୍ଷା ବିଭାଗର ନା ' ସ୍ୱାସ୍ଥ୍ୟ ବିଭାଗର ନଜର ପଡୁନାହିଁ । ଘଟଣାକୁ ନେଇ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ଉଭୟେ ପରସ୍ପରକୁ ଦୋଷ ଠେଲାଠେଲି ହେଉଛନ୍ତି । ଏହି ନାପ୍‌କିନ୍ ବାଂଟିବାର ଦାୟିତ୍ୱ ଶିକ୍ଷା ବିଭାଗର ବୋଲି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ କହୁଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ କହୁଛନ୍ତି ଏହା ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ । ଉଭୟ ବିଭାଗର କାଦୁଅ ଫିଙ୍ଗା ନୀତି ଯୋଗୁଁ ସରକାରଙ୍କ ଯୋଜନା ଏବେ ବଟବଣା ହୋଇଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ସଠିକ କାମରେ ନଲାଗିପାରି, ଏବେ ଖତ ଖାଇବାକୁ ବସିଛି ।