• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଚାଷୀଙ୍କ ପାଇଁ ଘଡ଼ିକୁ ଘଡ଼ି ବଦଳୁଛି ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍‌ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ। ମିଳିଛି ଏମିତି ଏକ ସରକାରୀ ବିଜ୍ଞପ୍ତି ପ୍ୟାକ୍ସ। ଲ୍ୟାମ୍ପସ ଓ ସ୍ୱୀକୃତି ପ୍ରାପ୍ତ ଡିଲର ଧାର୍ଯ୍ୟ ଦରରେ ଚାଷୀଙ୍କୁ ବିହନ ବିକିବାକୁ ଏଥିରେ ଉଲ୍ଲେଖ ରହିଛି।

ବିହନର ଦର କ୍ୱିଣ୍ଟାଲ ପିଛା ୩ ହଜାର ୫୦୭ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ତେବେ ଚାଷୀ ପୁରା ଦାମ ଦେଇ ବିହନ ନେବାକୁ ନାରାଜ। ଖାସ୍ କରି ଗରିବ ଚାଷୀ ଆଗୁଆ ଏତେ ଟଙ୍କା କେଉଁଠୁ ଆଣିବେ, ତାକୁ ନେଇ ଚିନ୍ତାରେ। ସେପଟେ ସର୍ବାଧିକ ୫ ଏକର ଜମି ପାଇଁ ସବ୍‌ସିଡି ବିହନ ଉପଲବ୍ଧ ହେବ, ଯାହାକୁ ଚାଷୀ ବିରୋଧ କରିଛନ୍ତି।

 

ସେହି ବରଗଡ଼ ବରାହଗୋଡ଼ା ଗାଁର ଆଉ ଜଣେ ଚାଷୀ ହେଲେ ଏକାଦଶିଆ ସାହୁ। ୨୦ ଏକର ଜମିରେ ଧାନ କରନ୍ତି ସେ। ସରକାର ଯଦି କେବଳ ୫ ଏକର ଜମି ପାଇଁ ସବ୍‌ସିଡି ବିହନ ଦିଅନ୍ତି ତେବେ ଅବଶିଷ୍ଟ ୧୫ ଏକର ପାଇଁ ସେ କେଉଁଠୁ ବିହନ ଆଣିବେ ବୋଲି ପଚାରିଛନ୍ତି ଏକାଦଶିଆ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ଦଣ୍ଡପାଣି ଗୌଡ଼ ମଧ୍ୟ ସମାନ ପ୍ରଶ୍ନ ପଚାରିଛନ୍ତି।

ଗଲା ୩୫ ବର୍ଷ ଧରି ଚାଷୀଙ୍କୁ ରିହାତି ଦରରେ ବିହନ ଯୋଗାଇ ଆସୁଥିଲା କୃଷି ବିଭାଗ। ମାତ୍ର ବିନା ପ୍ରସ୍ତୁତି ଓ ପାଇଲଟ ପ୍ରକଳ୍ପରେ ନୂଆ ନିୟମ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବରୁ ୨୦୧୬-୨୦୧୭ରେ ଏଭଳି ନିୟମ ଲାଗି ଯୋଗୁଁ ଚାଷୀ ସରକାରୀ ବିହନ କିଣି ନଥିଲେ। ଫଳରେ ରାଜ୍ୟ ବିହନ ନିଗମକୁ ପ୍ରାୟ ୨୭ କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା।

ପରେ ସରକାର ନିୟମ ବଦଳାଇବାକୁ ବାଧ୍ୟ ହୋଇଥିଲେ। ଏପଟେ ଗତବର୍ଷ ମେ ୨୭ ସୁଦ୍ଧା ୧ ଲକ୍ଷ ୧୫ କ୍ୱିଣ୍ଟାଲ ବିହନ ବିକ୍ରି ହୋଇଥିବା ବେଳେ ନୂଆ ନିୟମ ଲାଗୁ ଯୋଗୁଁ ଏ ବର୍ଷ ସମାନ ସମୟରେ ମାତ୍ର ୭୦ ହଜାର କ୍ୱିଣ୍ଟାଲ ବିହନ ବିକ୍ରି ହୋଇଛି।

ପ୍ରାଥମିକ କୃଷି ସମବାୟ ସମିତି ବି ବିହନ କିଣୁ ନଥିବା ଜଣାପଡିଛି। ତେବେ ଏନେଇ ସମବାୟ କିମ୍ବା କୃଷି ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ଚାଷୀଙ୍କୁ ସରକାରୀ ବିହନ କିଣିବାକୁ ସଚେତନ କରାଯାଉଥିବା ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି।

ସନ୍ତୋଷ କୁମାର ମହାରଣା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବରଗଡ଼

(ରିପୋର୍ଟ: ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ, ବରଗଡ଼ରୁ ଦୀପକ ଶର୍ମା ଏବଂ କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା)