• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରଞ୍ଜିଆରେ ବିଜେଡିର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଛି । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଦଳୀୟ ବିଶୃଙ୍ଖଳା ବଢ଼ିବାରେ ଲାଗିଛି । ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରବଣ ପ୍ରକାଶ ଦାସଙ୍କ ଘନ ଘନ ମୟୂରଭଞ୍ଜ ଗସ୍ତ ପରେ ସଙ୍ଗଠନ ସୁଦୃଢ଼ ହୋଇଆସୁଥିଲା । ମାତ୍ର କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ଡାହାଣ ହାତ ବୋଲାଉ ଥିବା ଜଣେ ସରକାରୀ ଶିକ୍ଷକ ଦିପୁ ନାୟକଙ୍କର ଦୌରାତ୍ମ୍ୟ ଏବେ ବଢ଼ିବାରେ ଲାଗିଛି । ଏବେ ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ସମର୍ଥକଙ୍କୁ ବିଧାୟିକାଙ୍କ ସମର୍ଥକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି । ସେପଟେ ବିଧାୟିକାଙ୍କ ସମର୍ଥକଙ୍କ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଦୁଇ ସମର୍ଥକଙ୍କ ନାଁରେ ଥାନାରେ ପାଲଟା ଏତଲା ଦିଆଯାଇଛି ।

ରବିବାର ଠାରୁ ଲାଗିଥିବା ଗଣ୍ଡଗୋଳ ଥମିବାର ନା ଧରୁନି । ରବିବାର ସନ୍ଧ୍ୟାରେ ବ୍ଲକ ଅଧ୍ୟକ୍ଷଙ୍କ ସରକାରୀ ବାସଭବନରେ ବିଧାୟିକାଙ୍କ କିଛି ସମର୍ଥକ ଯାଇ ଗଣ୍ଡଗୋଳ କରିବା ସହ ମାଡ଼ ମାରିଥିଲେ । ସୋମବାର ସକାଳେ ଆଉ ଜଣେ ବିଜୁ ଜନତା ଦଳ କର୍ମୀଙ୍କୁ ମଧ୍ୟ ବିଧାୟିକାଙ୍କ ସମର୍ଥକ ମାନେ ବଜାରରେ ନିର୍ଧୁମ ପିଟିଥିବା ନେଇ ଠାକୁରମୁଣ୍ଡା ଥାନାରେ ମାମଲା ରୁଜୁ ହୋଇଛି ।

ଅନ୍ୟପଟ ଗତକାଲି ବିଧାୟିକାଙ୍କ ସମର୍ଥକ ମାନେ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଏବଂ ତାଙ୍କ ଦୁଇ ସମର୍ଥକଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି ଠାକୁରମୁଣ୍ଡା ଥାନାରେ । ତେବେ ଏହାକୁ ନେଇ ଗତକାଲି ସ୍ଥାନୀୟ ବିଧାୟିକା ଏବଂ ମୟୂରଭଞ୍ଜ ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ଥିବା ଜନ୍ମେଜୟ ଲେଙ୍କା, ଠାକୁରମୁଣ୍ଡା ଠାରେ ଥିବା ବିଜୁ ଜନତା ଦଳର କାର୍ଯ୍ୟାଳୟରେ ଉଭୟଙ୍କୁ ନେଇ ବୁଝାସୁଝା କରିଥିଲେ । ହେଲେ ଗତକାଲି ପୁଣି ଅଶାନ୍ତ ହୋଇ ପଡିଥିଲେ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ସମର୍ଥକ ।

ଭରା ମିଟିଂ ଚାଲିଥିବା ସମୟରେ ସମସ୍ତଙ୍କ ଉପସ୍ଥିତିରେ ବିଧାୟିକାଙ୍କ ସମର୍ଥକ ମାନେ ବ୍ଲକ ଅଧ୍ୟକ୍ଷଙ୍କୁ ଗାଳି କରିବା ସହିତ ଆସିବା ବେଳେ ଗାଡ଼ିକୁ ଅଟକାଇ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହିତ ଗାଡିର କାଚ ଏବଂ ବନେଟ ଉପରେ ପିଟାପିଟି କରୁଥିବା ଦେଖିବାକୁ ମିଳିଥିଲା । ସେହିପରି କିଛି ଯୁବକ ଗାଡ଼ିରୁ ଓଲ୍ହାଇବା କଥା କହୁଥିବା ବେଳେ ଭବିଷ୍ୟତରେ ଠାକୁରମୁଣ୍ଡା ଆସିଲେ ଜୀବନରେ ମାରିଦେବାର ଧମକ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ବ୍ଲକ ଅଧ୍ୟକ୍ଷ । ଯାହା ଫଳରେ ଗତକାଲି ଏବଂ ଆଜି ଠାକୁରମୁଣ୍ଡା ବଜାର ଏକ ପ୍ରକାର ଅଶାନ୍ତ ହୋଇପଡିଛି । ତେବେ ବ୍ଲକ ଅଧ୍ୟକ୍ଷ ପ୍ରଥମେ ନିଜେ ମାଡ଼ ଖାଇଥିବା ସତ୍ତ୍ୱେ ଥାନାରେ ଗତକାଲି ଅଭିଯୋଗ କରିଛନ୍ତି । ଉଭୟ ଗୋଷ୍ଠୀର ଗଣ୍ଡଗୋଳ ପାଇଁ ଠାକୁରମୁଣ୍ଡା ଥାନାରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଫାରେ ୬ଟି ମାମଲା ରୁଜୁ ହୋଇଛି ।

କରଞ୍ଜିଆରୁ ଦୀପକ କୁମାର ମହାନ୍ତଙ୍କ ରିପୋର୍ଟ