• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖାଲି କୋଠା ଠିଆ ହୋଇଛି । ରୋଗୀ ସେବା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର, କର୍ମଚାରୀ, ଆନୁସଙ୍ଗିକ ଯନ୍ତ୍ରପାତି ନା ଅଛନ୍ତି ମେଡିକାଲ୍ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ପ୍ରଫେସର । ନାହିଁ ନାହିଁରେ ଚାଲିଛି ମେଡିକାଲ୍ କଲେଜ୍ ହସ୍ପିଟାଲ । ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ୫ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଓ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ୍ ହସ୍ପିଟାଲ । ନାଁକୁ ବଡ଼ ଡାକ୍ତରଖାନା, ହେଲେ କାମ ଆପଣ ଦେଖିଲେ ଜାଣିପାରିବେ ।

କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ୍ । ବେଡ୍ ନପାଇ ବାରଣ୍ଡାରେ ଗଡୁଛନ୍ତି ରୋଗୀ । ଆଉ ସେହି ବାରଣ୍ଡାରେ ଚିକିତ୍ସା ଚାଲିଛି । ସୂଚନା ଅଧିକାର ଆଇନ୍ ଅନୁସାରେ ଗତ ଜୁନ୍ ୩୦ ତାରିଖ ସୁଦ୍ଧା ହସ୍ପିଟାଲର ଷ୍ଟାଫଙ୍କ ସୂଚନା ସଂପର୍କିତ ତଥ୍ୟ ଦେଖିଲେ ଏହା ଅନୁମାନ କରିହେବ ।

ସୁପରିନଟେଣ୍ଡେଣ୍ଟ, ଟେକ୍ନିସିଆନ୍, ନର୍ସଠୁ ନେଇ ମୋଟ୍ ଅନୁମୋଦିତ ପଦ ସଂଖ୍ୟା ୫୨୪ । ହେଲେ ଅଛନ୍ତି ୨୪୦ ,ଫାଙ୍କା ୨୮୪ । ଆହୁରି ଗୁରତ୍ୱପୂର୍ଣ୍ଣ କଥାଟି ହେଲା ସେ ଭିତରୁ ସୁପରିନଟେଣ୍ଡେଣ୍ଟଙ୍କ ସହ କେବଳ ୪ ଜଣ ରେଗୁଲାର ଏହାବାଦ୍ ଅଭିଯୋଗ ହେଉଛି । ଏତେ ବଡ଼ ମେଡିକାଲରେ ସାମାନ୍ୟ ଇକୋ ମେସିନ ପାଇଁ ରେଡିଓ ଲୋଜିଷ୍ଟ ନାହାନ୍ତି, ଲାବ୍ରୋଟାରୀ ନାହିଁ । ଆଞ୍ଜିଓଗ୍ରାମ୍ ତ ଦୂରର କଥା କ୍ୟାଥ୍ ଲାବ ବି ନାହିଁ । ଏମିତିକି ଅନେକ କିଛି ନାହିଁ । ସେଥିରେ ପୁଣି ରୋଗୀଙ୍କୁ ଚିକିତ୍ସା କରିବାକୁ ନା ଅଛନ୍ତି ଡାକ୍ତର ନା ୧୨୫ ଏମବିବିଏସ୍ ସିଟରେ ପାଠ ପଢ଼ାଇବାକୁ ଅଛନ୍ତି ଆବଶ୍ୟକ ସଂଖ୍ୟକ ପ୍ରଫେସର ।

ପ୍ରଫେସର ପୋଷ୍ଟ ୨୨ ଜାଗାରେ ଅଛନ୍ତି ୧୬ ଆସୋସିଏଟ୍ ପ୍ରଫେସର । ପୋଷ୍ଟ ୨୮ ସ୍ଥାନରେ ଅଛି ୧୭, ସିନିଅର ରେସିଡେଣ୍ଟ ୩୯ ଯାଗାରେ ଅଛନ୍ତି ମାତ୍ର ୧୩ ଜଣ । ଏମିତି ବିଭିନ୍ନ ଡାକ୍ତରୀ ପଦରେ ୩୭ଟି ପୋଷ୍ଟ ଖାଲି । ତେଣୁ ଏଭଳି ନାହିଁ ନାହିଁ ସ୍ଥିତିରେ ବଡ଼ ମେଡିକାଲଟି ଏବେ ରେଫରାଲ୍ ହସ୍ପିଟାଲ୍ ପାଲଟିଥିବା ଚର୍ଚ୍ଚା ହେଉଛି ।

ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ହସ୍ପିଟାଲ୍ କଥା ବି ତଦ୍ରୁପ । ୧୦୦ ଏମବିବିଏସ୍ ସିଟ୍ ଥିବା ଏଇ କଲେଜରେ ଅନୁମୋଦିତ ୨୧ ପ୍ରଫେସର ପୋଷ୍ଟ ଜାଗାରେ ଅଛନ୍ତି ୧୫, ୨୯ ଆସୋସିଏଟ୍ ପ୍ରଫେସରଙ୍କ ସ୍ଥାନରେ ୨୩, ୩୭ ସିନିୟର ରେସିଡେଣ୍ଟ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୨ ଜଣ ।

ଏହାଛଡ଼ା ପ୍ରାୟ ସବୁ ବିଭାଗରେ ଡାକ୍ତରଠୁ ନେଇ ନର୍ସ, ଟେକ୍ନିସିଆନ୍, ଆନୁସଙ୍ଗିକ ଡାକ୍ତରୀ ଉପକରଣର ବି ଘୋର ଅଭାବର ଅଭିଯୋଗ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ । ହେଲେ ଏସବୁ ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏ ଦୁଇ ମେଡିକାଲ୍ କଲେଜ ସ୍ଥାପନକୁ ୫ ବର୍ଷ ବିତିବା ସତ୍ତ୍ୱେ କେବଳ ବାହ୍ୟ କଳେବର ବୃଦ୍ଧି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି ସିନା, କିନ୍ତୁ ରୋଗୀ ଯେଉଁ ହନ୍ତସନ୍ତକୁ ସେଇ ହନ୍ତସନ୍ତ ।