• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୋରାପୁଟରେ ନାହାନ୍ତି ଚିକିତ୍ସକ,ହଜାରେରୁ ଉର୍ଦ୍ଧ ଅଛନ୍ତି ମାନସିକ ରୋଗୀ

କୋରାପୁଟ(ସୂର୍ୟ ନାରାୟଣ ପଣ୍ଡା) : ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ହେଲେ ବାସ୍ତବ ଚିତ୍ର ଯୋଜନାଠୁ ଯୋଜନ ଯୋଜନ ଦୂରରେ ଅଟକିଲା ଭଳି ଲାଗୁଛି । କରୋନା ଆଳରେ କେବଳ କାଗଜ କଲମରେ ସୀମିତ ହୋଇ ରହିଛି ଚିକିତ୍ସା ବ୍ୟବସ୍ଥା । ଜିଲ୍ଲାରେ ମାନସିକ ରୋଗୀଙ୍କ ସହ ଲୁଚକାଳି ଖେଳୁଛି ସ୍ୱାସ୍ଥ୍ୟ ବିଭାଗ । ଏଭଳି ଏକ ଘଟଣା କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ମୁଲଡା ଗ୍ରାମର ମାନସିକ ରୋଗୀଙ୍କ ଅବସ୍ଥା ଦେଖିଲେ ଜାଣି ହେବ ।

ନନ୍ଦପୁର ବ୍ଲକର ମୁଲଡା ଗାଁ ରେ ରହୁଛନ୍ତି ୧୦୦ରୁ ଉର୍ଦ୍ଧ ଆଦିବାସୀ ପରିବାର । ସେମାନଙ୍କ ଭିତରେ ଚାରି ଜଣରୁ ଉର୍ଦ୍ଧ ହେଉଛନ୍ତି ମାନସିକ ରୋଗୀ । କିଏ ବୃଦ୍ଧ ଅବସ୍ଥାରେ ତ କିଏ ଯୁବକ ଅବସ୍ଥାରେ । ନିୟମ ଅନୁସାରେ ରୋଗୀଙ୍କ ନିକଟତର ହୋଇ ସ୍ୱାସ୍ଥ୍ୟ ବିଭାଗ କାଉନସେଲିଂ କରିବା ସହ ଔଷଧ ପତ୍ର ଯୋଗାଇବା କଥା । ୨୦୧୮ ମସିହା ପରଠୁ କରୋନା ଆଳରେ ନାଁ ମିଳୁଛି ଔଷଧ ନାଁ ହେଉଛି କାଉନସେଲିଂ । କିଏ ଦେଶୀ ଔଷଧ ଉପରେ ଭରସା କରୁଛି ତ କିଏ ଗୁଣିଆ ପାଖକୁ ଯାଇ ଝାଡି ହେଉଛି । ହେଲେ ଫଳ ଶୂନ । ବାଧ୍ୟହୋଇ ଭଗବାନ ଭରଷାରେ ହାତ ଟେକି ଚାହିଁ ବସିଛନ୍ତି ଆତ୍ମୀୟ ସ୍ୱଜନ ଓ ସଂପକୀୟ ।

ପୂର୍ବରୁ କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକ ଓ ୪ ସହରାଞ୍ଚଳରେ ଶିବିର କରି ମାନସିକ ରୋଗୀକୁ ଚିହ୍ନଟ କରାଯାଉଥିଲା । ପରେ ଡାକ୍ତରୀ ପରାମର୍ଶ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଘରେ ଘରେ ପହଂଚି ସ୍ୱାସ୍ଥ୍ୟ ସେବା ଯୋଗାଇବା ସ୍ୱାସ୍ଥ୍ୟ ବିଭାଗର କାମ । ଏଥିପାଇଁ କର୍ମକର୍ତ୍ତା,ଔଷଧ,ଗାଡି ଓ ଅର୍ଥ ବ୍ୟୟବରାଦ ହେଉଛି । ହେଲେ ଗତ ୨ବର୍ଷରୁ ଅଧିକ ସମୟ ହେଲା ଚିହ୍ନଟକରଣ କରି ଚୁପ ହୋଇ ବସିଛି ବିଭାଗ । ସମସ୍ୟା ଓ କାରଣ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ସିଡିଏମଓଙ୍କ ମତ ଅନୁସାରେ ଜିଲ୍ଲାରେ ନାହାନ୍ତି ଡାକ୍ତର । କୋଭିଡ ସମୟରେ ସମସ୍ତେ ବ୍ୟସ୍ତ ଥିବାରୁ ଦିଆଯାଇ ପାରିନଥିଲା ଔଷଧ ।

କିଛି ଦିନ ତଳେ କୋରାପୁଟ ସଦର ମହକୁମାରେ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ତରଫରୁ ଏକ ଶିବିର ଆୟୋଜିତ ହୋଇଥିଲା । ସେଥିରେ ଅନେକ ମାନସିକ ରୋଗୀ ବି ଚିହ୍ନଟ ହୋଇଥିଲେ । ରୋଗ ସଂପର୍କରେ ଜଣେ ସର୍ମ୍ପକୀୟ ରୋଗର ଭୟାବହତା ବିଷୟରେ ଓ ମାନସିକ ରୋଗର ନିରାକରଣ, ଯତ୍ନ ଓ ଚିକିତ୍ସା ସଂର୍ମ୍ପକରେ ଡାକ୍ତର ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ସେସବୁ ଦେଖିଲେ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଏକ ହଜାରରୁ ଅଧିକ  ରୋଗୀଙ୍କ ଦୁର୍ଦ୍ଦଶା ଅତ୍ୟନ୍ତ ଜଟିଳ ଭଳି ମନେହୁଏ ।

ଥରେ ଚିହ୍ନଟ ହେଲା ପରେ ପ୍ରତି ମାସରେ ନିୟମିତ ଔଷଧ ଓ କାଉନସେଲିଂ ଜରୁରୀ ଥିବା ବେଳେ କୋରାପୁଟ ଜିଲ୍ଲାରେ ୨ବର୍ଷ ଧରି ବନ୍ଦ ରହିବା ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ପଣ ଭଳି ଲାଗୁଛି । ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ସରକାର ମାଳ ମାଳ ଯୋଜନା ରଖିଥିବା ବେଳେ ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପୁଣି ହେବାକୁ ଯାଉଛି ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ବୁଦ୍ଧିଜୀବୀ ।