• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳା ଦିବସରେ ମନେ ପଡ଼ନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ । କେବଳ ପ୍ରଥମ ନୁହଁନ୍ତି ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ମଧ୍ୟ । ସେ ଏକାଧାରରେ ଥିଲେ ଜଣେ ନାରୀନେତ୍ରୀ, ଲେଖିକା ଓ ସାମ୍ବାଦିକା । ଓଡ଼ିଆ ସାହିତ୍ୟ, କଳା ଓ ସଂସ୍କୃତି ପ୍ରତି ତାଙ୍କର ସ୍ୱତନ୍ତ୍ର ଅବଦାନ ରହିଛି ।ସେହିପରି ଓଡ଼ିଶାର ଜଣେ ଅଗ୍ରଣୀ ନାରୀନେତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ପଦରେ ଥିବା ସମୟରେ ରାଜ୍ୟରେ ଅନେକ ବିକାଶମୂଳକ କାମ କରିଛନ୍ତି ।

ଓଡ଼ିଶାରେ ଲୌହମାନବୀ ଭାବେ ବେଶ ପରିଚିତ ଥିଲେ ନନ୍ଦିନୀ ଶତପଥୀ । ପିଲାବେଳୁ ତାଙ୍କର ରାଜନୀତି ପ୍ରତି ଦୁର୍ବଳତା ଥିଲା , ଆଉ ସେତେବେଳୁ ହିଁ ଛାତ୍ର ଆନ୍ଦୋଳନରୁ ରାଜନୀତିରେ ସେ ପ୍ରବେଶ କରିଥିଲେ । ରାଜନୀତିରେ ସେ ମହିଳାଙ୍କ ପାଇଁ ପ୍ରେରଣା କହିଲେ ଚଳେ ।

୧୯୩୧ ମସିହାରେ କଟକ ସହରର ପିଠାପୁରରେ ଏକ ବିପ୍ଲବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦିନୀ । ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ବଡ଼ ଝିଅ ଥିଲେ ସେ । ଜେଜେ ସ୍ଵପ୍ନେଶ୍ଵର ପାଣିଗ୍ରାହୀ ଥିଲେ ଜଣେ ସ୍ଵାଧିନତା ସଂଗ୍ରାମୀ । ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଥିଲେ ନନ୍ଦିନୀ ଶତପଥୀ । ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସେ ଜେଲଦଣ୍ଡ ମଧ୍ୟ ଭୋଗିଥିଲେ ।

 କଟକର ଝିଅ ନନ୍ଦିନୀ ଦେବୀ ଢେଙ୍କାନାଳର ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରିଥିଲେ। ସ୍ୱାମୀ ଦେବେନ୍ଦ୍ର ଢେଙ୍କାନାଳରୁ ଲୋକସଭା ସାଂସଦ ଭାବେ ଦୁଇଥର ନିର୍ବାଚିତ ହୋଇଥିଲେ । ଉଭୟଙ୍କର ଦୁଇ ପୁଅ । ବଡ଼ ପୁଅ ନଚିକେତା ଶତପଥୀ ଓ ସାନପୁଅ ତଥାଗତ ଶତପଥୀ। ବଡ଼ ପୁଅ ବାହାରେ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ସାନ ପୁଅ ତଥାଗତ ଶତପଥୀ ମଧ୍ୟ ଓଡ଼ିଶା ରଜନୀତିର ଜଣେ ବଳିଷ୍ଠ ବ୍ୟକ୍ତିତ୍ଵ । 1966 ମସିହାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ କେନ୍ଦ୍ରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । 

ନନ୍ଦିନୀ ଶତପଥୀ ୧୯୭୨ରୁ ୧୯୭୩ ଓ ୧୯୭୩ -୭୬ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହାପରେ ୧୯୭୭ରୁ ୮୦ ପର୍ଯ୍ୟନ୍ତ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ରୂପେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଉତ୍କଳ ପ୍ରଦେଶ କଂଗ୍ରେସ ଦଳରେ ସେ କିଛି ଦିନ କାର୍ଯ୍ୟରତ ଥିଲେ । ପୁଣି କଂଗ୍ରେସରେ ଯୋଗ ଦେଇ ୧୯୮୦-୮୫, ୧୯୮୫-୯୦ ଓ ୧୯୯୦-୯୫ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ । 

ନନ୍ଦିନୀ ଶତପଥୀ ଅନେକ  ପୁସ୍ତକ ରଚନା କରିଛନ୍ତି । ତସଲିମା ନସରିନଙ୍କ ବିବାଦୀୟ 'ଲଜ୍ଜା' ପୁସ୍ତକର ଓଡିଆ ଅନୁବାଦ ମଧ୍ୟ ସେ କରିଛନ୍ତି ।