• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁର୍ନୀତିଗ୍ରସ୍ତ ବାବୁ ଧରାପଡିବାରେ ଓଡ଼ିଶା ଦେଶରେ ପ୍ରଥମ । ଗତବର୍ଷ ଦେଶରେ ଯେତିକି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ହୋଇଛି, ତାର ୨୩ ପ୍ରତିଶତ କେବଳ ଓଡ଼ିଶାରୁ । ଏହାକୁ ନେଇ ଭିଜିଲାନ୍ସ ବାହାବା ନେଉଥିବା ବେଳେ ସରକାରକୁ ଦୁର୍ନୀତିର ଗନ୍ତାଘର କହି ଟାର୍ଗେଟ କରିଛନ୍ତି ବିରୋଧୀ । ବରିଷ୍ଠ ପୋଲିସ ପ୍ରଶାସକଙ୍କ ମତରେ ଯେତିକି ଧରା ପଡ଼ୁଛନ୍ତି, ତାହା ସମୁଦ୍ରରୁ ଶଙ୍ଖେ । ଅନ୍ୟପକ୍ଷରେ ଧରାପଡିବା ପରେ ବି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉ ନାହିଁ । ତେଣୁ ଦୁର୍ନୀତି ରୋକିବା ନାଁରେ ଭିଜିଲାନ୍ସ ଚଢାଉ କେବଳ ଭେଳିକି ବୋଲି ଅଭିଯୋଗ ଉଠିଛି ।

ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ- ଏନସିଆରବି ସଦ୍ୟତମ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୧ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ସେହିପରି ଗତବର୍ଷ ସରକାରୀ ବାବୁଙ୍କ ବିରୋଧରେ ମଧ୍ୟ ୭୫ଟି ଅପରାଧ ମାମଲା ରୁଜୁ କରିଛି ଭିଜିଲାନ୍ସ । ଏହି ମାମଲା କ୍ଷେତ୍ରରେ ତାମିଲନାଡୁ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ୨୦୨୧ରେ ରାଜ୍ୟ ସରକାର ଦୋଷୀସାବ୍ୟସ୍ତ ୧୨ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି, ଯାହାକି ଦେଶରେ ଦ୍ୱିତୀୟ । ଗତବର୍ଷ ୩୭ଟି ଭିଜିଲାନ୍ସ ମାମଲାର ବିଚାର ଶେଷ ହୋଇଛି ଓ ୪୬ ଜଣ ଦୋଷୀସାବ୍ୟସ୍ତ ହୋଇଛନ୍ତି । କିନ୍ତୁ ଅନ୍ୟ ୫୦ଟି ମାମଲାରେ ୬୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ଏପଟେ ସରକାରୀ ବାବୁଙ୍କ ବିରୁଦ୍ଧରେ ମାଳ ମାଳ ଦୁର୍ନୀତି ମାମଲାକୁ ନେଇ ଜୋର ଧରିଛି ରାଜନୀତି । ସ୍ୱଚ୍ଛତାର ଦ୍ୱାହି ଦେଉଥିବା ରାଜ୍ୟ ସରକାର ନିଜ ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବାକୁ ଏଭଳି ଭେଳିକି କରୁଥିବା ଅଭିଯୋଗ ‌ଆଣିଛନ୍ତି ବିରୋଧୀ । ରାଜ୍ୟର ସରକାରୀ ଅଧିକାରୀ ଓ ରାଜ୍ୟ ସରକାର ଦୁର୍ନୀତିରେ ବୁଡିଥିବା ଏନସିଆରବି ରିପୋର୍ଟରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବହୁ ଅଧିକାରୀ ଦୁର୍ନୀତି ମାମଲାରେ ଧରାପଡୁଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏପଟେ ପୂର୍ବତନ ପୋଲିସ ପ୍ରଶାସକ କହିଛନ୍ତି ଯେ, ଯେତେ ଜଣ ଅଧିକାରୀ ଦୁର୍ନୀତି ମାମଲାରେ ଧରା ପଡୁଛନ୍ତି, ତାହା ପ୍ରକୃତ ସଂଖ୍ୟା ତୁଳନାରେ ନାଁକୁ ମାତ୍ର ।

ଯେଉଁ ଅଧିକାରୀମାନେ ସରକାରଙ୍କ ଶୁଭ ଦୃଷ୍ଟିରେ ନାହାନ୍ତି କେବଳ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ମାତ୍ର ବହୁ ଅଧିକାରୀ ଅନେକ ଆର୍ଥିକ ଅନିୟମିତତାରେ ସାମିଲ ଥିଲେ ମଧ୍ୟ ସରକାର ସେମାନଙ୍କ ପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଆସୁଛି ।