• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଗଦା ଗଦା ବ୍ୟାନର ଓ ପୋଷ୍ଟର୍‌ରେ ଛାଇ ଯାଇଛି ସୁନ୍ଦରଗଡ଼ ବିଶ୍ରା (କ) ଜିଲ୍ଲା ପରିଷଦ ଜୋନ୍। ଏଠୁ ଏଥର ଲଢୁଛନ୍ତି ୯ ପ୍ରାର୍ଥୀ। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସକୁ ଛାଡ଼ିଲେ ଜେଏମ୍ଏମ୍ ଓ ସିପିଆଇଏମ୍ ସହ ସ୍ୱାଧୀନ ପ୍ରାର୍ଥୀ ବି ମଇଦାନକୁ ଓଅହ୍ଲାଇଛନ୍ତି। ପ୍ରଚାର ବି ସରଗରମ ହେଉଛି। ଅନ୍ୟ ପ୍ରାର୍ଥୀଙ୍କ କଥା ଛାଡନ୍ତୁ, ଏଠି ଏଥର ରଣାଙ୍ଗନକୁ ଓହ୍ଲାଇଛନ୍ତି ରଘୁନାଥପାଲ୍ଲିର ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରି।

ସମସ୍ତଙ୍କର ଗୋଟିଏ ଦମ୍ଭୋକ୍ତି, ଭୋଟର୍‌ ଭଲ ପ୍ରାର୍ଥୀ ହିଁ ବାଛିବେ। ସେମିତି ସମାନ ସଂଖ୍ୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆଉ ଏକ ZP ଆସନ ହେଲା କେନ୍ଦ୍ରାପଡ଼ା ମାର୍ଶାଘାଇର ୨୪ ନମ୍ବର ଜୋନ୍। ଏଠି ବିଜେପି, ବିଜେଡି ଓ କଂଗ୍ରେସ ଦଳ ସହ ଲଢେଇକୁ ଅବତୀର୍ଣ୍ଣ ହୋଇଛନ୍ତି ଆଉ ୫ ସ୍ୱାଧୀନ ପ୍ରାର୍ଥୀ। ଗଲା ସନ ଏ ଆସନ ବିଜେପି ହାତରେ ଥିଲା। ତେଣୁ ଏଥର ଏ ଜୋନ୍‌କୁ କବ୍‌ଜା କରିବାକୁ ସବୁ ପ୍ରାର୍ଥୀ କଳବଳ କୌଶଳ ଲଗାଇ ଥିବାବେଳେ ବିଜେପି କିନ୍ତୁ ଗଡ଼ ବଜାୟ ରଖିବା ନେଇ ଆଶାବାଦୀ।

ତେଣେ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ କାଶୀପୁର ବ୍ଲକ୍ (ଖ) ଜୋନ୍‌ରେ କିନ୍ତୁ ଏଥର ଲଢ଼େଇ ହେଉଛି ୧୦ ପ୍ରାର୍ଥୀଙ୍କ ମଧ୍ୟରେ। ଦଳୀୟ ପ୍ରାର୍ଥୀମାନଙ୍କୁ ବି କଡ଼ା ଟକ୍କର ଦେଉଛନ୍ତି ଉଚ୍ଚଶିକ୍ଷିତ ସ୍ୱାଧୀନ ପ୍ରାର୍ଥୀ। ଦୁର୍ଗମ ଅଞ୍ଚଳର ଲୋକଙ୍କ ମନ ଜିଣିବାକୁ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂକୁ ସମସ୍ତେ ଗୁରୁତ୍ୱ ଦେଉଥିବା ଦେଖାଯାଉଛି।

 

ତେବେ କେବଳ ଜିଲ୍ଲା ପରିଷଦ ନୁହେଁ ସରପଞ୍ଚ ପଦ ପାଇଁ ବି ବହୁ ପଞ୍ଚାୟତରେ ଲଢୁଛନ୍ତି ଗଦା ଗଦା ପ୍ରାର୍ଥୀ। ସମ୍ବଲପୁର ଜିଲ୍ଲା ଝାଙ୍କରପାଲ୍ଲୀର ପ୍ରାର୍ଥୀଙ୍କ ସଂଖ୍ୟା ଶୁଣିଲେ ମୁଣ୍ଡ ଘୂରିଯିବ। ଏଥର ଏ ପଞ୍ଚାୟତର ରଣାଙ୍ଗନରେ ଅଛନ୍ତି ୨୭ ଯୋଦ୍ଧା। ଗତ ଥର ତଫସିଲଭୁକ୍ତ ଜାତିର ମହିଳାଙ୍କ ପାଇଁ ଆସନ ଉଦ୍ଦିଷ୍ଟ ଥିଲା, ହେଲେ ଏ ବର୍ଷ ଅଣ-ସଂରକ୍ଷିତ ହୋଇଯିବା ପରେ ସରପଞ୍ଚ ପଦରେ ବସିବାକୁ ମନ ବଳାଇଛନ୍ତି ୨୭ ଆଶାୟୀ।

ସେହିପରି ଗଞ୍ଜାମର କୁକୁଡ଼ାଖଣ୍ଡି ବ୍ଲକ ଲୋଚାପଡ଼ା ପଞ୍ଚାୟତ ବି ଆହୁରି ଚର୍ଚ୍ଚାରେ। ଏଠି ସରପଞ୍ଚ ପଦ ପାଇଁ ଯେତିକି ସମିତିସଭ୍ୟ ପାଇଁ ବି ଲଢୁଛନ୍ତି ସେତିକି। ଅର୍ଥାତ୍ ସରପଞ୍ଚ ପଦରେ ୧୧ ପ୍ରାର୍ଥୀ ଥିବାବେଳେ ସମିତି ସଭ୍ୟ ପାଇଁ ବି ୧୧ ପ୍ରାର୍ଥୀ ଅଛନ୍ତି ମୈଦାନରେ। ଏମିତି କି କିଛି ପ୍ରାର୍ଥୀ ଉଭୟ ସରପଞ୍ଚ ଓ ସମିତିସଭ୍ୟ ପଦ ପାଇଁ ବି ଲଢୁଛନ୍ତି। ଏଥିସହ ଏଠିକାର ୨୧ ଓ୍ୱାର୍ଡରେ ବି ମାଳ ମାଳ ପ୍ରାର୍ଥୀ। ଗାଁ ସାରା ଏତେ ପୋଷ୍ଟର ବ୍ୟାନର ଲାଗିଛି ଯେ, ଭୋଟର ବି କାହାକୁ ବାଛିବେ ବାଉଳା ହେଉଥିବା ଦେଖାଯାଏ।

ଏବେ ଅପେକ୍ଷା ଏସବୁ ମାଳ ମାଳ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ପସନ୍ଦ କରୁଛନ୍ତି ମତଦାତା।

OTV is now on Whatsapp

Join and get latest news update delivered to you via whatsapp

Join Now