Advertisment

Unveiling Boudh: ଇତିହାସ ରଚିବାର ଲକ୍ଷ୍ୟରେ ରେଳବିଭାଗ; ପାହାଡ଼ ଭେଦି ସାକାର ହେବାକୁ ଯାଉଛି ରେଳ ସ୍ବପ୍ନ...

ଅମଡ଼ା ବାଟରେ ଲୌହ ପଥ ବିଛାଇ ତିଆରି କରାଯାଉଛି ବିକାଶର ନୂଆ ବାଟ। ରାତିଦିନ ଏକ୍ କରି ଲାଗିପଡ଼ିଛନ୍ତି କୁଶଳୀ ଶ୍ରମିକ। ରେଳପଥ ସଂଯୋଗୀକରଣରେ ନୂଆ ଏକ ଇତିହାସ ରଚିବାର ଲକ୍ଷ୍ୟ ରଖିଛି ରେଳବିଭାଗ।

author-image
Sujit kumar Swain
undefined

Milestone Tunnel Progresses Rail Development

ଫିଟିବାକୁ ଯାଉଛି ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନିର୍ମାଣାଧିନ ସୁଡ଼ଙ୍ଗର ବାଟ। ସଫଳ ହେବାକୁ ଯାଉଛି ବୌଦ୍ଧ-ଦଶପଲ୍ଲାବାସୀଙ୍କ ଟ୍ରେନ୍ ସ୍ବପ୍ନ। ଉଭୟ ଜିଲ୍ଲାରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳରେ ମୋଟ୍ ୭ଟି ଟନେଲରୁ ୬ଟିର ବାଟ ଫିଟିସାରିଛି। ବୌଦ୍ଧ ଜିଲ୍ଳାର ଆଡ଼େଣିଗଡ଼ରେ କେବଳ ବାକି ଅଛି ରାଜ୍ୟର ସର୍ବବୃହତ ୪.୧୮୫ କିଲୋମିଟର ଲମ୍ବର ଟନେଲ୍। ଅନ୍ୟ ୬ଟି ଟନେଲ୍ ମଧ୍ୟରୁ କେଉଁଠି ଟ୍ରାକ୍ ବିଛାଯାଉଛି ତ ଆଉ କେଉଁଠି ଚାଲିଛି ୱାଲ୍ ନିର୍ମାଣ କାମ। ସବୁ କାର୍ଯ୍ୟ ଦ୍ରୁତଗତିରେ ଚାଲୁଥିବାରୁ କିଛିଦିନ ପରେ ପାହାଡ଼ ଭେଦି ଦୌଡ଼ିବ ରେଳ। ତେବେ କେମିତି ଚାଲିଛି କାମ, ଆସନ୍ତୁ ଜାଣିବା...

Advertisment

ପାହାଡ଼ ଭେଦି ସାକାର ହେବାକୁ ଯାଉଛି ରେଳ ସ୍ବପ୍ନ...ଅମଡ଼ା ବାଟରେ ଲୌହ ପଥ ବିଛାଇ ତିଆରି କରାଯାଉଛି ବିକାଶର ନୂଆ ବାଟ। ରାତିଦିନ ଏକ୍ କରି ଲାଗିପଡ଼ିଛନ୍ତି କୁଶଳୀ ଶ୍ରମିକ। ରେଳପଥ ସଂଯୋଗୀକରଣରେ ନୂଆ ଏକ ଇତିହାସ ରଚିବାର ଲକ୍ଷ୍ୟ ରଖିଛି ରେଳବିଭାଗ। ଆଉ ମାତ୍ର ଦିନ କେଇଟାରେ ସବୁ ସୁଡ଼ଙ୍ଗ ଦେଇ ଦୌଡ଼ିବ ଟ୍ରେନ୍, ବୌଦ୍ଧ-ନୟାଗଡ଼ ବାସୀଙ୍କ ପାଇଁ ଯୋଡ଼ିହେବ ଆଉ ଏକ ନୂତନ ଅଧ୍ୟାୟ। କାରଣ ବୌଦ୍ଧ ପଟୁ ସରିଆସିଲାଣି ରେଳଧାରଣା ବିଛା କାମ। ଚାଲିଛି ବିଦ୍ୟୁତ ସଂଯୋଗୀକରଣ। ପୁରୁଣାକଟକ ରେଳ ଷ୍ଟେସନ ନିର୍ମାଣ ବି ଶେଷ ପର୍ଯ୍ୟାୟରେ। ଟିକେଟ କାଉଣ୍ଟର, ରିଲେ ରୁମ, ସିଗ୍ନାଲ ରୁମ, ସବୁ କାମ ସରି ସରି ଆସିଲାଣି। ପୁରୁଣାକଟକ ଷ୍ଟେସନକୁ ପରୀକ୍ଷା ମୂଳକ ଭାବେ ଟ୍ରେନ ଇଞ୍ଜିନ ରୋଲିଂ ସଫଳ ହୋଇଥିଲା। ଅପେକ୍ଷା କେବଳ ସେଫଟି କମିଶନରଙ୍କ ଗ୍ରୀନ ସିଗ୍ନାଲକୁ। ଏହାପରେ ଏହି ଟ୍ରାକରେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଦୌଡ଼ିପାରିବ ଟ୍ରେନ୍। 

ଅଧିକ ପଢ଼ନ୍ତୁ : ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ

Advertisment

ଏବେ ଦେଖିବା କେମିତି ଚାଲିଛି ଟନେଲ୍ କାମ। ଟନେଲ୍-୫ କଂକ୍ରିଟ କାମ ସରିବା ପରେ ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ କୁଶଳୀ ଶ୍ରମିକଙ୍କ ଦ୍ବାରା ଚାଲିଛି ରେଳ ଧାରଣା ବିଛା। ପରେ ହେବ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ। ଏଭଳି ଭାବେ ବୌଦ୍ଧ ଜିଲ୍ଲାରେ ୪ଟି ଓ ନୟାଗଡ଼ ଜିଲ୍ଲାରେ ୩ଟି ଟନେଲ କାମ ଚାଲିଛି। ବୌଦ୍ଧ ଜିଲ୍ଲାର ୪ଟିରୁ କେବଳ ଆଡ଼ଣିଗଡ଼ର ୪ ନମ୍ବର ଟନେଲ୍ ବାଟ ଫିଟିନି। ଯାହା ରାଜ୍ୟର ସବୁଠୁ ବଡ଼ ଟନେଲ, ଲମ୍ବ ରହିଛି ୪ କିମି ୧୮୫ ମିଟର। ଏବେ ଜୋରସୋରରେ ଖନନ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲ୍ଲାର ମାର୍ଦ୍ଧିଙ୍ଗ ଗାଁରେ ନିର୍ମିତ ୨ଟି ଟନେଲ୍ ମଧ୍ୟରୁ ୫ ନମ୍ବରର ଲମ୍ବ ୩୧୭ ମିଟର ଏବଂ ୬ନମ୍ବର ଟନେଲର ଲମ୍ବ ୩୧୫ ମିଟର।

ସେହିପରି ତେଇଶି ମାଇଲ୍ ସ୍ଥିତ ୭ନମ୍ବର ଟ୍ରନେଲର ଉଭୟ ପଟୁ ବାଟ ଫିଟିଛି। ଯାହାର ଲମ୍ବ ୧.୯୭୫ କିମି। ଏଣେ ଦଶପଲ୍ଲା ପଟୁ ସମସ୍ତ ୧-୨ ଓ ୩ ନମ୍ବର ଟନେଲର ବାଟ ଫିଟିସାରିଛି। ଏହି ପ୍ରକଳ୍ପରେ ୭୫ କିମି ମଧ୍ୟରେ ଥିବା ୭ଟି ସୁଡ଼ଙ୍ଗର ମୋଟ ଲମ୍ବ ୧୨.୭୬ କିଲୋମିଟର। ଆଡ଼ଣିଗଡ଼ର ୪ ନମ୍ବର ଟନେଲର ବାଟ ଫିଟିଗଲା ପରେ ସରିଯିବ ଟନେଲ୍ ଖନନ କାମ। ପୂର୍ବରୁ ଦଶପଲ୍ଲା ଷ୍ଟେସନ ନିକଟରେ ୧ ନମ୍ବର ଓ ୩ ନମ୍ବର ଟନେଲ ଖନନ ସରିଥିବାରୁ ଦଶପଲ୍ଲା-ବାଣିଗୋଛା ମଧ୍ୟରେ ଟ୍ରେନ ଚଳାଚଳର ଆଶା ଉଜ୍ଜୀବିତ ହୋଇଛି। 

ଅଧିକ ପଢ଼ନ୍ତୁ : ଏହି ଚାଷରେ ବହୁତ ରୋଜଗାର, ଆଦିବାସୀ ଅଧ୍ୟୁଷିତ ଗାଁରେ ଫୁଟିଲା ହସ

Tunnel
Advertisment
Advertisment