Advertisment

Health Tips: ଆକନି ହାଇପର-ପିଗମେଣ୍ଟେସନ୍: ମୁଖବ୍ରଣ ପର କଳାଦାଗର ଚିକିତ୍ସା

ମୁହଁରେ ବ୍ରଣ ହେବା ଓ ଏହା ଭଲ ହେବା ପରେ କଳାଦାଗ ହେବା ଏକ ସାଧାରଣ କଥା। ସାଧାରଣତଃ କେତେକ କ୍ଷେତ୍ରରେ ଏହି ଦାଗ ୬ -୧୨ ମାସ ମଧ୍ୟରେ ଆପେଆପେ କମିଯାଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହା ୪-୫ ବର୍ଷ ମଧ୍ୟ ରହିଯାଏ। କାହିଁକି ଏପରି ହୁଏ, କ’ଣ ଏହାର ଚିକିତ୍ସା ଆସନ୍ତୁ ଜାଣିବା।

author-image
Ipsita Pradhan
ଅଦ୍ୟତନ ହୋଇଛି
Treatment of black Spot on face after acne

Treatment of black Spot on face after acne

ମୁଖବ୍ରଣ ଭଲ ହେବା ପରେ, ସେହି ଯାଗାରେ ଗାଢ ବାଦାମି ବା କଳା ରଙ୍ଗର ଦାଗ ହୋଇଯିବା ପ୍ରାୟ ସମସ୍ତେ ଲକ୍ଷ୍ୟ କରିଥିବେ। ଏହି କଳା ଦାଗକୁ ହିଁ ଆକନି (ମୁଖବ୍ରଣ) ହାଇପର-ପିଗମେଣ୍ଟେସନ୍ (ଗାଢ ରଙ୍ଗର ଦାଗ) କୁହାଯାଏ। ଏହି ଦାଗ ନା ଚମଡା ଠାରୁ ଉଚ୍ଚ ହୋଇ ବମ୍ପ ପରି ରୁହେ ନା ଚମଡାରେ ଖାଲ ସୃଷ୍ଟି କରେ, ବର° ଚମଡା ସହ ସମତଳ ହୋଇ ଥାଏ। ସାଧାରଣତଃ ଏହି ଦାଗ ୬ -୧୨ ମାସ ମଧ୍ୟରେ ଆପେଆପେ କମିଯାଏ।

Advertisment

କିଛିକିଛି ଲୋକଙ୍କ ଠାରେ ଅବଶ୍ୟ ଏହା ୪ -୫ ବର୍ଷ ମଧ୍ୟ ରହିଯାଏ। ଯଦିଓ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନୁହେଁ କିନ୍ତୁ କସମେଟିକ୍ ବା ସୌନ୍ଦର୍ଯ୍ୟରେ ବାଧା ସୃଷ୍ଟିକରେ। କେବଳ ଏହି କାରଣ ପାଇଁ ହିଁ ଏହି ହାଇପର- ପିଗମେଣ୍ଟେସନ୍ ବା କଳାଦାଗକୁ ଦୂର କରିବା ପାଇଁ ସମସ୍ତେ ବିଭିନ୍ନ ଉପାୟ କରନ୍ତି।

ଆକନି ହାଇପର-ପିଗମେଣ୍ଟେସନର କାରଣ:

ଶରୀରର ଯେ କୌଣସି ଯାଗାରେ ଇନଫେକସନ୍ ବା ଆଘାତ ହେଲେ ଶରୀରରେ ଇନଫ୍ଲାମେଟୋରୀ ଆକ୍ସନ୍ ବା କାର୍ଯ୍ୟକଳାପ ଦେଖାଯାଏ। ଶରୀରର ବାହ୍ୟ ବା ଚର୍ମ ସ୍ତରରେ ଇନଫ୍ଲାମେଟୋରୀ ଆକ୍ସନ୍ ହେଲେ, କ୍ଷତ ଭରିବା ସମୟରେ ଅଧିକ ମେଲାନିନ୍ ତିଆରି ହୋଇଥାଏ ଏବଂ ସେହି ଯାଗାରେ ଗାଢ ବାଦାମି ବା କଳା ରଙ୍ଗ ଦାଗ ଦେଖାଯାଏ।

Advertisment

ମୁଖବ୍ରଣ କ୍ଷେତ୍ରରେ ମଧ୍ୟ ଠିକ୍ ଏହି ପ୍ରକ୍ରିୟା କାମ କରେ। ସେହିପରି ମୁଖବ୍ରଣକୁ ନଖ କିମ୍ବା ଅନ୍ୟ କୌଣସି ମାଧ୍ୟମ ଦ୍ଵାରା ବାରମ୍ବାର ଖେଞ୍ଚିଲେ ବା ଖଣ୍ଡିଆ କଲେ ସେହି ଯାଗାରେ ଅଧିକ କ୍ଷତ ସୃଷ୍ଟି ହୋଇ, ଅଧିକ ଇନଫ୍ଲାମେଟୋରୀ ଆକ୍ସନ୍ ଦେଖାଯାଏ ଏବଂ କଳାଦାଗ ଅଧିକ ଦେଖାଯାଏ। ଏହିପରି ସୃଷ୍ଟି ହୋଇଥିବା ଦାଗଗୁଡିକ ଆପେଆପେ ଫିକା ପଡିବା କଷ୍ଟକର ହୋଇପଡେ।

ଆକନି ହାଇପର-ପିଗମେଣ୍ଟେସନ୍‌ର ଚିକିତ୍ସା:

୧- ସନ୍ ପ୍ରୋଟେକସନ୍:

ନିୟମିତ ସନସ୍କ୍ରିନ୍ (ଏସ୍ ପି ଏଫ୍ ୩୦ ଯୁକ୍ତ) ଲଗାଇ ସୂର୍ଯ୍ୟକିରଣ ବା ୟୁ ଭି ପ୍ରୋଟେକସନ୍ ଦ୍ୱାରା ମୁଖବ୍ରଣ ପରର କଳା ଦାଗକୁ ଅନେକ ମାତ୍ରାରେ ରୋକିହୁଏ। ଏହା ଛଡା ଖରାରେ ବାହାରକୁ ଯିବା ସମୟରେ ଛତା କିମ୍ବା କପଡା ଦ୍ଵାରା ମୁହଁକୁ ଢାଙ୍କିବା ଭଲ।

୨- ଡର୍ମାଟୋଲୋଜିଷ୍ଟ ବିଶେଷଜ୍ଞଙ୍କ ପରାମର୍ଶ:

କ୍ଲିନିକାଲ୍ କସମେଟୋଲୋଜିଷ୍ଟ କିମ୍ବା ଚର୍ମରୋଗ/ ଡର୍ମାଟୋଲୋଜିଷ୍ଟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ, ୨% ହାଇଡ୍ରୋକ୍‌ବିନୋନ୍, ଆଜେଲାଇକ ଏସିଡ୍, ଗ୍ଲାଇକୋଲିକ୍ ଏସିଡ୍, କୋଜିକ୍ ଏସିଡ୍, ମାଣ୍ଡେଲିକ୍ ଏସିଡ୍, ରେଟିନୋଏଡ୍ସ, ନିଆସିନାମାଇଡ୍ କିମ୍ବା ଭିଟାମିନ୍-ସି ଯୁକ୍ତ କ୍ରିମ୍ କିମ୍ବା ଜେଲ୍ ଉପକାରୀ ହୋଇଥାଏ। କିନ୍ତୁ ମନେରଖନ୍ତୁ ଏହିସବୁ କ୍ରିମ୍ ସନ୍ଧ୍ୟା କିମ୍ବା ରାତିରେ ଲଗାଇବା ସହ ଦିନରେ ସନସ୍କ୍ରିନ୍ ଲଗାଇବା ନିହାତି ଜରୁରୀ, ନହେଲେ ଚର୍ମରେ ଅଧିକ କଳାଦାଗ ଦେଖାଯାଏ।

୩- କେମିକାଲ ପିଲ୍:

କ୍ଲିନିକାଲ୍ କସମେଟୋଲୋଜିଷ୍ଟଙ୍କ ତତ୍ତ୍ୱାବଧାନରେ ଏ ଏଚ୍ ଏ ( ଯଥା ଗ୍ଲାଇକୋଲିକ୍ ଏସିଡ୍) କିମ୍ବା ବି ଏଚ୍ ଏ (ଯଥା ସାଲିସିଲିକ୍ ଏସିଡ୍) କେମିକାଲ ପିଲ୍ ମୁଖବ୍ରଣଜନିତ କଳାଦାଗ ଦୂର କରିବାରେ ବିଶେଷ ଉପକାରୀ। ଏହା କୌଣସି ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ଏବଂ ତତ୍ତ୍ୱାବଧାନରେ କ୍ଲିନିକରେ କରାଯାଏ। ଏହା ଯେକୌଣସି କ୍ରିମ ଅପେକ୍ଷା ଅଧିକ ଭଲ କାମ କରିଥାଏ। କେମିକାଲ ପିଲି° ପରେ ସିଧା ଏବଂ ପ୍ରଖର ସୂର୍ଯ୍ୟକିରଣକୁ ବାରଣ କରିବା ଆବଶ୍ୟକ, ଏବଂ ଏସ୍ ପି ଏଫ୍ ୩୦-୫୦ ଯୁକ୍ତ ସନସ୍କ୍ରିନ୍ ଲଗାଇବା ଉଚିତ।

୪- ମାଇକ୍ରୋ-ଡର୍ମାବ୍ରେସନ୍:

ଏହା ମଧ୍ୟ ଏକ କ୍ଲିନିକାଲ୍ ପ୍ରୋସିଜିୟର୍। ଏଥିରେ ଡାଇମଣ୍ଡ (ହୀରା) ଟିପ୍ ଥିବା ଏକ ମେସିନ୍ ଦ୍ଵାରା ଚର୍ମର ଉପରି ସ୍ତର, ଏପିଡର୍ମିସ୍ ରେ ମାପଚୁପ ତରିକାରେ କ୍ଷତ ସୃଷ୍ଟିକରି ନିଓ-କୋଲାଜିନେସନ୍ କରାଯାଏ। ଏହା ଦ୍ଵାରା ନୂତନ ଏବଂ ଉଜ୍ଜ୍ୱଳ ଚର୍ମ ସୃଷ୍ଟି ହୁଏ ଏବଂ ଦାଗ ଦୂର ହୁଏ।

୫- ଲେଜର ଚିକିତ୍ସା:

ଏହି ଚିକିତ୍ସା ମଧ୍ୟ ଡାକ୍ତରଙ୍କ ତତ୍ତ୍ୱାବଧାନରେ ହୋଇଥାଏ। ଲେଜର୍ ଲାଇଟ ଶକ୍ତି ଦ୍ଵାରା, ଚର୍ମରେ ମାପଚୁପ ହିସାବରେ କ୍ଷତି ଏବଂ ଷ୍ଟିମୁଲେସନ୍ ସୃଷ୍ଟି କରି ନୂତନ, ଚିକ୍କଣ ତଥା ଉଜ୍ଜ୍ୱଳ ଚର୍ମକୋଷ ସୃଷ୍ଟି ହେବାରେ ସାହାଯ୍ୟ ମିଳେ। ଏହି ଚିକିତ୍ସା ପଦ୍ଧତି ଅପେକ୍ଷାକୃତ ବ୍ୟୟବହୁଳ। ତଥା ଚିକିତ୍ସା ପରେ ସୂର୍ଯ୍ୟ କିରଣରୁ ଦୂରରେ ରହିବା ଏବ° ସନସ୍କ୍ରିନ୍ ଲାଗାଇବା ଆବଶ୍ୟକ।

୬- ହୋମିଓପ୍ୟାଥିକ ଡାକ୍ତରଙ୍କ ପରାମର୍ଶ:

ହୋମିଓପ୍ୟାଥିକ ଡାକ୍ତରଙ୍କ ପରାମର୍ଶ କ୍ରମେ ବରବେରିଶ୍ ଆକ୍ୱାଫୋଲିୟମ୍ ଯୁକ୍ତ କ୍ରିମ୍ କିମ୍ବା ଜେଲ ରାତିରେ ଲଗାଇବା ଭଲ ପରିଣାମ ଦେଇଥାଏ। ସେହିପରି ଶୋଇବା ଆଗରୁ ବରବେରିଶ୍ ଆକ୍ୱାଫୋଲିୟମ୍ କ୍ୟୁ ୫ ଠୋପା ପାଣିରେ ମାଶାଇ ସେବନ କଲେ କେବଳ ଦାଗ ଦୂର ହୁଏନି ବର° ତ୍ୱଚା ମସୃଣ ହେବାସହ ଇଭେନଟୋନ୍ ମିଳିଥାଏ।

୭- ଘରୋଇ ଚିକିତ୍ସା:

ନିୟମିତ ସନ୍ଧ୍ୟାରେ କ୍ଷୀର ସର ସହ କଞ୍ଚା ହଳଦୀ (ଭିଟାମିନ୍ ଏ ବା ରେଟିନୋଏଡ୍ ଥାଏ) ଲଗାଇବା ଦ୍ୱାରା ମଧ୍ୟ ସୁଫଳ ମିଳେ। ଲେମ୍ବୁରସ (ଭିଟାମିନ୍ ସି ଥାଏ) ରେ ଗୋଲାପ ଜଳ ମିଶାଇ ଲଗାଇଲେ ମଧ୍ୟ ଦାଗ ଦୂର ହୁଏ। ଘିକୁଅଁରୀ (ଭିଟାମିନ୍ ଇ) ରସକୁ କିଛି ସମୟ ଫ୍ରିଜରେ ରଖି (ଫ୍ରିଜରେ ରଖିଲେ ଆଉ କୁଣ୍ଡାଇ ହୁଏନାହିଁ) ଲଗାଇଲେ ମଧ୍ୟ କିଛି ଦିନରେ ମୁଖବ୍ରଣଜନିତ କଳାଦାଗ ଦୂର ହୁଏ।

କିନ୍ତୁ ମନେ ରଖନ୍ତୁ ହଳଦୀ, ଲେମ୍ବୁରସ ଏବଂ ଘିକୁଅଁରୀ ଏସବୁ ଚର୍ମକୁ ସୂର୍ଯ୍ୟକିରଣ ପ୍ରତି ସେନ୍ସିଟିଭ୍ କରିଦିଏ, ତେଣୁ ଏସବୁକୁ ସନ୍ଧ୍ୟା ସମୟରେ ଲଗାଇବା ସହ ଦିନରେ ସନସ୍କ୍ରିନ୍ ଲଗାଇବା ଆବଶ୍ୟକ। ନହେଲେ ଅଧିକ କଳାଦାଗ ହେବାର ଆଶଙ୍କା ଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Acne Breakouts Health Tips In Odia
Advertisment
Advertisment