• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୱାଶିଂଟନ : ମଣିଷ ଶରୀରରେ ପ୍ରତିରୋପଣ ହେଲା ଘୁଷୁରୀ ହୃଦୟ । ଆମେରିକାର ଏକ ଡାକ୍ତରୀ ଟିମ୍ ଏପରି ଚମତ୍କାର କରିଛନ୍ତି । ୫୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ସଫଳତାର ସହ ଘୁଷୁରୀ ହୃଦୟକୁ ପ୍ରତିରୋପଣ କରିଛନ୍ତି  । ଚିକିତ୍ସା ଇତିହାସରେ ଏହା ପ୍ରଥମ ଥର ହୋଇଥିବା ବେଳେ ବିରଳ ରେକର୍ଡ ବୋଲି କୁହାଯାଉଛି । ଆଗାମୀ ସମୟରେ ଅଙ୍ଗଦାନର ଅଭାବକୁ ପୂରଣ କରିବାକୁ ଏହି ପଦ୍ଧତି ସାହାଯ୍ୟ କରିବ ବୋଲି ବିଶ୍ୱାସ କରାଯାଉଛି । ତେବେ ଶୁକ୍ରବାର ଦିନ ଏହି ଐତିହାସିକ ପ୍ରତିରୋପଣ କରାଯାଇଛି ବୋଲି University of Maryland School of Medicine ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।

ଅନେକ ରୋଗରେ ପୀଡିତ ଥିଲେ ରୋଗୀ

ପ୍ରତିରୋପଣ ପରେ ରୋଗୀ ସମ୍ପୂର୍ଣ୍ଣ ଭଲ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି । ତେବେ ମଣିଷ ଶରୀରରେ ଘୁଷୁରୀ ହୃଦୟ ପ୍ରତିରୋପଣ ପରେ ମଧ୍ୟ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇଯାଇଛନ୍ତି ବୋଲି କହିହେବ ନାହିଁ । ହେଲ ପ୍ରାଣୀମାନଙ୍କ ଠାରୁ ମନୁଷ୍ୟ ଶରୀରକୁ ଅଙ୍ଗ ପ୍ରତିରୋପଣ ଏକ ମାଇଲଖୁଣ୍ଟରୁ କମ୍ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଡେଭିଡ ବେନେଟ ନାମକ ଜଣେ ରୋଗୀଙ୍କର ଅନେକ ଗୁରୁତର ରୋଗ ହେତୁ ତାଙ୍କ ଠାରେ ମାନବ ହୃଦୟ ପ୍ରତିରୋପଣ ହୋଇପାରିଲା ନାହିଁ । ସେଥିପାଇଁ ଡାକ୍ତରମାନେ ତାଙ୍କ ଠାରେ ଜେନେଟିକ୍ ରୂପାନ୍ତରିତ ଘୁଷୁରୀର ହୃଦୟ ଲଗାଇଥିଲେ ।

ରୋଗୀଙ୍କ ପ୍ରତ୍ୟେକ ହୃଦସ୍ପନ୍ଦନ ଉପରେ ଡାକ୍ତରଙ୍କ ଆଖି

ବର୍ତ୍ତମାନ ରୋଗୀ ସୁସ୍ଥ ଅଛନ୍ତି ଏବଂ ଘୁଷୁରୀର ହୃଦୟ ତାଙ୍କ ଶରୀରରେ କିପରି କାମ କରୁଛି ତାହା ଉପରେ ଡାକ୍ତରମାନେ ଅତି ନିକଟରୁ ନଜର ରଖିଛନ୍ତି । ରୋଗୀଙ୍କ କହିବା ଅନୁସାରେ 'ମୋ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା, ମରିବା କିମ୍ବା ଏହି ଟ୍ରାନ୍ସପ୍ଲାଣ୍ଟ କରିବା । କୌଣସି ମତେ ବଞ୍ଚିବାକୁ ଚାହୁଁଥିବାରୁ ଅନ୍ଧାରରେ ତୀର ମାରିବା ପରି ଏହି ବିକଳ୍ପ ବାଛିବା ପାଇଁ ପଡ଼ିଲା । ସେ ଗତ କିଛି ମାସ ଧରି ଏକ ହୃଦୟ-ଫୁସଫୁସ ବାଇପାସ୍ ମେସିନ୍ ସାହାଯ୍ୟରେ ହସ୍ପିଟାଲରେ ଅଛନ୍ତି ଏବଂ ବର୍ତ୍ତମାନ ସେ ଯଥାଶୀଘ୍ର ଡାକ୍ତରଖାନା ଛାଡିବାକୁ ଚାହୁଁଛନ୍ତି ।

ଗତ ବର୍ଷ ମିଳିଲା ଅନୁମୋଦନ

ନୂତନ ବର୍ଷର ଠିକ୍ ପୂର୍ବରୁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଏହି ଜରୁରୀକାଳୀନ ପ୍ରତିରୋପଣକୁ ଶେଷ ଚେଷ୍ଟା ଭାବରେ ଅନୁମୋଦନ କରିଥିଲା । ଅସ୍ତ୍ରୋପଚାର ମାଧ୍ୟମରେ ଘୁଷୁରୀର ହୃଦୟକୁ ଟ୍ରାନ୍ସପ୍ଲାଣ୍ଟ କରିଥିବା ଡକ୍ଟର ବାର୍ଟଲି ଗ୍ରିଫିଥ କହିଛନ୍ତି ଏକ ସଫଳ ଅସ୍ତ୍ରୋପଚାର । ଆଗାମୀ ସମୟରେ ଅଙ୍ଗ ଅଭାବର ସଙ୍କଟ ଦୂର କରିବା ପାଇଁ ଆମେ ଗୋଟିଏ ପାଦ ଆଗକୁ ବଢ଼ିଥିବା ସେ କହିଛନ୍ତି ।