• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଗୁଜୁରାଟର ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ।

  • ୟୁନେସ୍କୋ ହେରିଟେଜ୍ କମିଟି ପକ୍ଷରୁ ଏହି ନିଷ୍ପତ୍ତି ।

  • ୟୁନେସ୍କୋର ୪୪ତମ ଓ୍ୱାଲ୍ଡ ହେରିଟେଜ୍ କମିଟି ବୈଠକରେ ନିଷ୍ପତ୍ତି ।

ନୂଆଦିଲ୍ଲୀ: ଗୁଜୁରାଟର ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା । ୟୁନେସ୍କୋ ହେରିଟେଜ୍ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୟୁନେସ୍କୋର ୪୪ତମ ଓ୍ୱାଲ୍ଡ ହେରିଟେଜ୍ କମିଟି ବୈଠକରେ ଗୁଜୁରାଟର ହରପ୍ପା ଯୁଗର ସହର କୁହାଯାଉଥିବା ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦିଆଯାଇଛି ।

ଆସନ୍ତୁ ଜାଣିବା ଏହା କାହିଁକି ସ୍ୱତନ୍ତ୍ର । ଏଠାରେ ଥିବା କାନ୍ଥ ଗୁଡ଼ିକ, ଖାଲି ଭଙ୍ଗା କାନ୍ଥ, ପଥର ଖଣ୍ଡ, କି ଧୂଳି ଧୂସରିତ ଇଲାକା ନୁହେଁ । ଏହା ବହୁ ପ୍ରାଚୀନ ସଭ୍ୟତାର ଅବଶେଷ । ପ୍ରାୟ ୫ ହଜାର ବର୍ଷ ତଳେ ଏଠି ଗଢ଼ି ଉଠିଥିଲା ଏକ ସମୃଦ୍ଧ ନଗରୀ । ସେତେବଳର ଏଭଳି ବ୍ୟବସ୍ଥିତ ନଗର ନିର୍ମାଣ ଶୈଳି ଏବେବି ଆଶ୍ଚର୍ଯ୍ୟ ଚକିତ କରେ । ଆଧୁନିକ ସ୍ଥପତିଙ୍କୁ ଅନୁମାନ କରାଯାଏ, ୩ ହଜାରରୁ ୧୫ ଶହ ଖ୍ରୀଷ୍ଟପୂର୍ବ ମଧ୍ୟରେ ସିନ୍ଧୁ ଉପତ୍ୟକା ସଭ୍ୟତା କାଳରେ ଖୁବ୍ ଚଳଚଞ୍ଚଳ ଓ ପ୍ରତିଷ୍ଠିତ ଥିଲା ଏହି ହରପ୍ପା ନଗରୀ । ଗୁଜରାଟର ଧୋଲାବିରାରେ ଥିବା ଏହି ସ୍ଥାନକୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦେଇଛି ୟୁନେସ୍କୋ ।

ଏହାର ଜଳ ପରିଚାଳନା ବ୍ୟବସ୍ଥା, ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ, ନିର୍ମାଣରେ ପଥରର ବ୍ୟାପକ ବ୍ୟବହାର ଏବଂ ସ୍ୱତନ୍ତ୍ର ସମାଧି ସ୍ଥଳ । ଏହାକୁ ଅନ୍ୟ ସାଂସ୍କୃତିକ ସ୍ଥଳଠାରୁ ଭିନ୍ନ କରେ ବୋଲି ୟୁନେସ୍କୋ ପକ୍ଷରୁ କୁହାଯାଇଛି । ୧୯୬୮ ମସିହାରେ ଆବିଷ୍କୃତ ଏହି ଐତିହ୍ୟ ସ୍ଥଳରୁ ତମ୍ବା, ଶାମୁକା ଓ ପଥରରେ ତିଆରି ବହୁ ପ୍ରାଚୀନ ସାମଗ୍ରୀ ଏବଂ ଦାମୀ ପଥର, ସୁନା, ହାତୀଦାନ୍ତ ଓ ଟେରାକୋଟା ଅଳଙ୍କାର ମଧ୍ୟ ଉଦ୍ଧାର ହୋଇଥିଲା ।

ଧୋଲାବିରା ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ପାଇବା ପରେ ଖୁବ୍ ଖୁସି ବୋଲି ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛାତ୍ରାବସ୍ଥାରେ ପ୍ରଥମେ ଏହି ଧୋଲାବିରା ଯାଇ ବିମୋହିତ ହୋଇଯାଇଥିଲି । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହାର ସଂରକ୍ଷଣ ଓ ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ବୋଲି ସେ ଲେଖିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟୁଇଟ୍ କରିଛନ୍ତି ଯେ, ଏହା ଆମ ଗୌରବମୟ ଇତିହାସର ପ୍ରତିଫଳନ । ଏବେ ଭାରତର ମୋଟ ୪୦ଟି ସ୍ଥାନ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ସ୍ଥାନ ପାଇଛି । ଗତ ରବିବାର ତେଲେଙ୍ଗାନାର ପ୍ରସିଦ୍ଧ ରାମପ୍ପା ମନ୍ଦିର ମଧ୍ୟ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଥିଲା ।