• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ଷୋଭ, କ୍ରୋଧ, ଆକ୍ରୋଶ । କାଶ୍ମୀର ପଣ୍ଡିତ ରାହୁଲ ବଟ୍ଟ ହତ୍ୟା ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଥିଲେ କାଶ୍ମୀର ପଣ୍ଡିତ । ବଡଗାମରେ କାଶ୍ମୀର ପଣ୍ଡିତ ମାନେ ହତ୍ୟାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଶାସନ ବିରୋଧରେ ନାରାବାଜି କରିବା ସହ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ । ଘଟଣାକୁ ନେଇ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ଲୋକଙ୍କ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ ଲୋକେ ।

ଗତକାଲି ବ଼ଡଗାମ ରାଜସ୍ୱ ବିଭାଗରେ କାମ କରୁଥିବା ରାହୁଲଙ୍କୁ ତାଙ୍କ ଅଫିସ୍ ଭିତରେ ପଶି ଦୁଇଜଣ ଆତଙ୍କବାଦୀ ଗୁଳି କରିଥିଲେ, ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ତା ପରଠୁ ରାହୁଲଙ୍କୁ ନ୍ୟାୟ ପାଇଁ, ଟ୍ରାନଜିଟ୍ କ୍ୟାମ୍ପରେ ଥିବା ସଂଖ୍ୟାଲଘୁ କାଶ୍ମୀରୀ ପଣ୍ଡିତ ସଂପ୍ରଦାୟର ସୁରକ୍ଷା ପାଇଁ... ଜାମ୍ମୁ-କାଶ୍ମୀରର ଭିନ୍ନ ଭିନ୍ନ ଯାଗାରେ କେଉଁଠି ପ୍ରୋଟେଷ୍ଟ ମାର୍ଚ୍ଚ, ତ କେଉଁଠି ପ୍ଲାକାର୍ଡ ଧରି ଧାରଣା, ରାସ୍ତାରୋକ ଦେଖିବାକୁ ମିଳିଥିଲା । ଶ୍ରୀନଗରରେ କେନ୍ଦ୍ର ସରକାର ଓ ବିଜେପି ବିରୋଧୀ ସ୍ଳୋଗାନ୍ ଦେଇ ଶ୍ରୀନଗର ଏୟାରପୋର୍ଟ ଅଭିମୁଖେ ଯିବା ବେଳେ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଆନ୍ଦୋଳନକାରୀଙ୍କ ଉପରେ ଲାଠିମା଼ଡ଼ ସାଙ୍ଗକୁ ଟିୟର ଗ୍ୟାସ୍ ପ୍ରୟୋଗ କରାଯାଇଥିଲା ।

ସେପଟେ କାଶ୍ମୀର ପଣ୍ଡିତଙ୍କ ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ମୁସଲିମ୍ ସଂପ୍ରଦାୟ । ହିନ୍ଦୁ ଭାଇଙ୍କ ସୁରକ୍ଷା ଦାବି କରି ବହୁ ସଂଖ୍ୟାରେ ମୁମଲିମ୍ ବିରୋଧ ପ୍ରଦର୍ଶନରେ ସାମିଲ ହେବା ଲାଗି ଆହ୍ୱାନ ବି ଜଣାଇଛନ୍ତି । ସେପଟେ ଘଟଣାକୁ ନେଇ ରାଜନୀତି ବି ତେଜିଛି । ଆନ୍ଦୋଳନରତ କାଶ୍ମୀର ପଣ୍ଡିତଙ୍କୁ ସାନ୍ତ୍ୱନା ଦେବା ପାଇଁ ବଡଗାମ୍ ଯିବାକୁ ଉଦ୍ୟମ ବେଳେ ତାଙ୍କୁ ଅଟକାଇ ଗୃହବନ୍ଦୀ କରାଯାଇଥିବା ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି । ସେହିପରି ନ୍ୟାସନାଲ୍ କନଫରେନ୍ସ ନେତା ଓମାର ଅବବ୍ଦୁଲା ମଧ୍ୟ କାଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷାରେ ବିଫଳତା ପାଇଁ ଟୁଇଟ୍ କର ଲେଫ୍ଟନାଣ୍ଟ ଗଭଣ୍ଣରଙ୍କୁ ଦାୟୀ କରିଛନ୍ତି । ଶିବସେନା ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ।

୨୦୧୦ରେ କେନ୍ଦ୍ର ସରକାର କାଶ୍ମୀର ପଣ୍ଡିତମାନଙ୍କୁ ସରକାରୀ ନିଯୁକ୍ତିର ସୁଯୋଗ ଦେବା ପରେ ଏବେ ୪ ହଜାରରୁ ଅଧିକ କାଶ୍ମୀର ପଣ୍ଡିତ ଉପତ୍ୟକାର ବିଭିନ୍ନ ସ୍ଥାନରେ ଟ୍ରାନଜିଟ୍ କ୍ୟାମ୍ପ ଗୁଡିକରେ ରହୁଛନ୍ତି । ହେଲେ ଗତ କିଛି ମାସ ଧରି ସେମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି ଗଲା ଅକ୍ଟୋବର ମାସରୁ ଘାଟିରେ ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ୍ କିଲିଂ ଆରମ୍ଭ ହୋଇଯାଇଛି ।

କାଶ୍ମୀର ପଣ୍ଡିତ ଓ ପ୍ରବାସୀ ଶ୍ରମିକଙ୍କୁ ବାରମ୍ବାର ଟାର୍ଗେଟ୍ କରାଯାଉଛି । ଅକ୍ଟୋବରରେ ୫ ଦିନ ବ୍ୟବଧାନରେ ୭ ଜଣଙ୍କୁ ହତ୍ୟା କରାଯାଇଥିଲା । ଏମାନଙ୍କ ମଧ୍ୟରେ ଜଣେ କାଶ୍ମୀର ପଣ୍ଡିତ, ଜଣେ ଶିଖ୍ ଓ ଦୁଇ ଜଣ ଶ୍ରମିକ ଥିଲେ ରାହୁଲଙ୍କୁ ମିଶାଇ ଗଲା ୬ ମାସ ଭିତରେ ୩ ଜଣ ପଣ୍ଡିତଙ୍କୁ ହତ୍ୟା କରାଗଲାଣି ।