• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଜଗତସିଂହପୁରରେ ମହିଳା ହୋମଗାର୍ଡଙ୍କୁ ଥାନାବାବୁଙ୍କ ପ୍ରତାରଣା ମାମଲାରେ ନୂଆ ମୋଡ଼ । ପୀଡ଼ିତା ହୋମଗାର୍ଡଙ୍କୁ ଏସପିଙ୍କ ଅଫିସକୁ ବଦଳି କରାଯାଇଛି । ଆଜିଠୁ ଏସପିଙ୍କ କାର୍ଯ୍ୟାଳୟରେ ଡ୍ୟୁଟି କରିବେ ମହିଳା ହୋମଗାର୍ଡ । ଅଭିଯୁକ୍ତ ନିଲମ୍ୱିତ ପୋଲିସ ଅଧିକାରୀ ଗିରଫ ହୋଇ ଆଳିପିଙ୍ଗଳ ଜେଲରେ ଅଛନ୍ତି ।

ଅଭିଯୁକ୍ତ ପୋଲିସ ଅଧିକାରୀ ତପନ ନାହାକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଜଗତସିଂହପୁର ସଦର ଥାନାରେ ପାଲଟା ଅଭିଯୋଗ କରାଯାଇଛି। ମହିଳା ହୋମଗାର୍ଡ ନିଲମ୍ୱିତ ପୋଲିସ ଅଧିକାରୀଙ୍କ ଠାରୁ ୫୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଧାର ନେଇଥିବା ଟଙ୍କା ମାଗିବାରୁ ତପନଙ୍କ ନାଁରେ ମିଥ୍ୟା କେସ୍ ରୁଜୁ କରାଯାଇଥିବା ନେଇ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ଅଭିଯୁକ୍ତଙ୍କ ସମ୍ପର୍କୀୟ।

କେସ୍ ରଫାଦଫା କରିବାକୁ ଧମକ ମିଳୁଥିବା ଅଭିଯୋଗ ଆଣିଛନ୍ତି ପୀଡିତା ହୋମଗାର୍ଡଙ୍କ ବାପା । ସ୍ଥାନୀୟ ସରପଞ୍ଚଙ୍କ ସମେତ ରାଜନୈତିକ ବ୍ୟକ୍ତି ମଧ୍ୟ ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି । ଝିଅ ନାଁରେ ଅଭିଯୁକ୍ତଙ୍କ ସମ୍ପର୍କୀୟ ଦେଇଥିବା ଏତଲା ଭିତ୍ତିହୀନ ବୋଲି ସେ କହିଛନ୍ତି। ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । 

ଜଗତସିଂହପୁର ଜିଲ୍ଲାରେ ଜଣେ ହୋମଗାର୍ଡଙ୍କ ଗୁରୁତର ଅଭିଯୋଗ ପରେ ଜେଲ୍ ଯାଇଛନ୍ତି ଥାନା ଅଧିକାରୀ । ଜୀବନରୁ ମାରି ଦେବାକୁ ଧମକ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା ହୋମଗାର୍ଡ । ସେ କହିଛନ୍ତି, ଆମ ପରିବାରକୁ ମଧ୍ୟ ସଫା କରିଦେବାକୁ ଧମକ ମିଳୁଛି । ଜଣେ କନଷ୍ଟେବଳ ମୋତେ ଷ୍ଟାଡିୟମକୁ ଡାକିଥିଲେ । ଆଡିସନାଲ ଏସ୍‌ପି ପଠାଇଛନ୍ତି ବୋଲି କହିଲେ । ୨୫ କି ୨୭ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଲେ । ମାମଲା ରଫାଦଫା କର, ନ ହେଲେ ଚାକିରିରୁ ଡିସ୍‌ମିସ୍‌ କରି ଦିଆଯିବ ବୋଲି ଧମକ ଦିଆଯାଇଥିବା କହିଛନ୍ତି ଅଭିଯୋଗକାରିଣୀ ହୋମଗାର୍ଡ । ଏପରିକି ଗଣମାଧ୍ୟମରେ ମୁହଁ ଖୋଲିଲେ ଡିସମିସ୍‌ କରାଯିବ ବୋଲି ମଧ୍ୟ ତାଙ୍କୁ ଧମକ ମିଳିଥିବା ସେ କହିଥିଲେ ।

ଅଧିକ ପଢ଼ନ୍ତୁ: ଜେଲରେ ରସିକିଆ ପୋଲିସ୍ IIC, ରଫାଦଫା କରିବାକୁ ମହିଳା ହୋମଗାର୍ଡଙ୍କ ଉପରେ ଉପର ଅଫିସରଙ୍କ ଚାପ

ସେ ପୁଣି କହିଥିଲେ, ଆଇଆଇସି ସାର୍ ଓ ମୋ ଭିତରେ ପ୍ରେମ ସଂପର୍କ ଥିଲା । ତେବେ ଅନ୍ୟମାନେ ହସ୍ତକ୍ଷେପ କରିବା ପରେ ଆମର ସଂପର୍କ ବିଗିଡିଥିଲା । ଦୁଇଜଣଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏହି କଥା ମୁଁ ଏତଲାରେ ମଧ୍ୟ ଲେଖିଛି । କିନ୍ତୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ମୁଁ ଏତଲା ଦେଇଛି । ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନାଁ ମଧ୍ୟ ଏତଲାରେ ରହିଛି ।

ମୋ ପାଖରେ କଥା ଥିଲା କିନ୍ତୁ ମୋ ବାପାମାଆଙ୍କୁ ବି ଧମକ ଦିଆଗଲାଣି । ମୁଁ ଓ ମୋ ପରିବାର ଲୋକମାନେ ଭୟଭୀତ ବୋଲି କହିଛନ୍ତି ପୀଡ଼ିତା । ମୋ ଜୀବନ ପ୍ରତି ବିପଦ ଅଛି ଓ ମୋତେ ନ୍ୟାୟ ଦରକାର ବୋଲି ସେ କହିଛନ୍ତି । ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦଗାତା ଏହି ଅଭିଯୋଗ ଉପରେ ଗତକାଲି କହିଥିଲେ ଯେ, ହୋମଗାର୍ଡଙ୍କ ଅଭିଯୋଗର ସତ୍ୟତା ନାହିଁ । ଏହା ମିଥ୍ୟା ଅଭିଯୋଗ ବୋଲି ସେ କହିଛନ୍ତି । ତାଙ୍କୁ କେହି ଧମକ ଦେଇନାହାନ୍ତି ।

( ଜଗତସିଂହପୁରରୁ ମାନସ କାନୁନଗୋଙ୍କ ରିପୋର୍ଟ ) 

ଅଧିକ ପଢ଼ନ୍ତୁ: କାଳ ହେଲା ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ; ଗିରଫ ହେଲେ ରସିକିଆ ଥାନା ବାବୁ...

OTV is now on Whatsapp

Join and get latest news update delivered to you via whatsapp

Join Now