• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦୁଝର (ପ୍ରଣୟ କୁମାର ପାଣି) : ’ଋଣ କରି  ବିଲାତି ଚାଷ କରିଥିଲୁ । ମାଆ ମଙ୍ଗଳା ଗୋଷ୍ଠୀରୁ ୬୦ ହଜାର ଓ ଏଜି ଗ୍ରୁପରୁ ୪୦ ହଜାର ଆଣିଥିଲୁ । ସାର, ମୂଲିଆ ଖର୍ଚ୍ଚ ଛାଡ଼ି ତଥା ଋଣ ଶୁଝି ଲକ୍ଷେ ଲକ୍ଷେ ଟଙ୍କା ଭାଗ ପାଇଛୁ । ଆମେ ପରିଶ୍ରମ କଲୁ, ଫଳ ପାଇଲୁ । ଆଉ ଘରେ ବସିଥିବା ମହିଳାଙ୍କୁ ମଧ୍ୟ ଚାଷ କରି ଟଙ୍କା ରୋଜଗାର କରିବାକୁ ସନ୍ଦେଶ ଦେଇଛନ୍ତି ମହିଳା ଚାଷୀ ’ ।

କେନ୍ଦୁଝର ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଆଗ ଅପେକ୍ଷା ଚାଷପ୍ରତି ଲୋକଙ୍କର ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । କରୋନା ମହାମାରୀ ଯୋଗୁଁ ଲୋକେ ବାହାରକୁ ନଯାଇ ନିଜ ଅଞ୍ଚଳରେ ଚାଷବାଷ କରି ପରିବାର ପ୍ରତିପୋଷଣ କରିବାକୁ ମନସ୍ଥିର କରୁଥିବା ଦେଖାଯାଉଛି । ବିଶେଷ କରି ମହିଳା ମାନେ ଚାଷ ପ୍ରତି ଆକୃଷ୍ଟ ହେବାରେ ଦେଖିବାକୁ ମିଳୁଛି । ଏହି କ୍ରମରେ କେନ୍ଦୁଝର ଜିଲ୍ଲାର ୫ ଜଣ ମହିଳା ବିଲାତି ଚାଷ କରି ଲକ୍ଷପତି ହୋଇପାରିଛନ୍ତି । ସେମାନେ ଚାଷ କ୍ଷେତ୍ରରେ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

କେନ୍ଦୁଝର ସଦର ବ୍ଲକ ବରଦାପାଳର ତଳ କୁସୁମିତା ଗାଁରେ ଏଭଳି କମାଲ କରି ଦେଖାଇଛନ୍ତି ମାଆ ମଙ୍ଗଳା ଉତ୍ପାଦକ ଗୋଷ୍ଠୀର ୫ ଜଣ ମହିଳା । ଚାଷବାସ କେବଳ ପୁରୁଷ ଲୋକଙ୍କର କାମ ନୁହେଁ । ମହିଳାମାନେ ବି ଏ ଦିଗରେ ପାରଦର୍ଶିତା ଦେଖାଇ ପାରନ୍ତି । ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ପ୍ରକଳ୍ପ ମାଧ୍ୟମରେ ମହିଳା ଉତ୍ପାଦକ ଗୋଷ୍ଠୀ ତିଆରି ହୋଇଛି । ଖରିଫ ଋତୁରେ ବିଲାତି ଚାଷ କରିବବାକୁ ଏହି ୫ଜଣ ମହିଳା ଅଣ୍ଟା ଭିଡିଥିଲେ । ନିଜ ଗ୍ରୁଫ ଓ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ରୁ ଏକ ଲକ୍ଷ ଟଙ୍କା ଋଣ ମାଧ୍ୟମରେ ଆଣି ଚାଷ ଆରମ୍ଭ କରିଥିଲେ ।

ଗତ ଜୁଲାଇ ମାସରୁ ଚାରା ପ୍ରସ୍ତୁତ କରି ୪.୫ ଏକର ଜମିରେ ବିଲାତି ଚାଷ ଆରମ୍ଭ କରିଥିଲେ । ତେବେ ଏଥିପାଇଁ ଆଇଡ଼ିଆଲ ଡେଭଲ୍ପମେଣ୍ଟ ଏଜେନସି (IDA) ସ୍ଥାନୀୟ ଏକ ସ୍ଵଛାସେବୀ ସଂଗଠନ ପକ୍ଷରୁ ସମସ୍ତ ବୟୀସୟିକ ଜ୍ଞାନ ପ୍ରଦାନ କରାଯାଇଥିଲା । ଗତ ଅକ୍ଟୋବର ମାସରୁ ବିଲାତି ଉତ୍ପାଦନ ହୋଇ ସେମାନେ ୬ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାରର ବିଲାତି ବିକ୍ରୟ କରିସାରିଛନ୍ତି । ଆଉ କିଛି ମଧ୍ୟ ବିକ୍ରି ହେବ ବୋଲି ଅନୁମାନ କରାଯାଉଛି । କିଛିଦିନ ତଳର ଲଗାଣ ବର୍ଷା ସେମାନଙ୍କୁ ଅସୁବିଧାରେ ପକାଇଲା ନଚେତ୍ ଅଧିକ ଲାଭ କରିଥାନ୍ତେ ବୋଲି କହିଛନ୍ତି ।

ଏହି ମହିଳା ମନେ ବିଲାତି ଚାଷ କରି ଲକ୍ଷପତି ହୋଇ ପରିବାର ପ୍ରତିପୋଷଣରେ ଅଗ୍ରଣୀ ଭୂମିକା ନେଇପାରିଛନ୍ତି ଏବଂ ଅଞ୍ଚଳ ପାଇଁ ବିଲାତି ଚାଷର ଉଦାହରଣ ସୃଷ୍ଟି କରିଛନ୍ତି । ହେଲେ ଏହି ଅଞ୍ଚଳରେ ବହୁ ପରିବା ଚାଷ ହେଉଥିବାରୁ ଶୀତଳ ଭଣ୍ଡାର ଅଭାବରୁ ଚାଷୀ କମ ଦରରେ ପରିବା ବିକିବାକୁ ବାଧ୍ୟ ହେଉଛି । ଏଠାରେ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇ ପାରିଲେ ଚାଷୀ ଅଧିକ ଦୁଇ ପଇସା ଲାଭ ପାଇ ପାରନ୍ତା ବୋଲି ଚାଷୀ କ୍ଷୋଭର ସହ କହିଛନ୍ତି । ଅନ୍ୟପଟେ ଅଧିକା ମହିଳା ଗୋଷ୍ଠୀଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବାକୁ ଆଇଡିଏ ଚେଷ୍ଟା ଜାରି ରଖିଥିବା କହିଛି ।