• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଟଙ୍କା ଖାଇବେ ବୋଲି ଜୀଅନ୍ତା ମଣିଷକୁ ମାରିଦେଲେ ସରକାରୀ ଦସ୍ତାବିଜ୍‌ରେ ା ଜୀଇଁ ଥାଉ ଥାଉ ୧୧ ଜଣଙ୍କ ଦାହ ସଂସ୍କାର କରି ହରଣଚାଲ୍ କରିଦେଲେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା। ଜଣେ କି ଦୁଇ ଜଣ ନୁହଁନ୍ତି, ୧୧ ଜଣଙ୍କୁ ମୃତ ଦର୍ଶାଇ ଟଙ୍କା ଗୋଲ୍ କରିଦେଲେ। ଏବେ ସବୁ ଧରାପଡ଼ିବା ପରେ ବଞ୍ଚିଥିବା ଲୋକଙ୍କ ରାଗ ପଞ୍ଚମରେ। ଏଭଳି କାଣ୍ଡ କରିଥିବା ଲୋକଙ୍କୁ କିଏ କହୁଛି ଜୀଅନ୍ତା ଜାଳିଦେବାକୁ ତ ଆଉ କିଏ କହୁଛି କଠୋର ଶାସ୍ତି ଦେବାକୁ। ରୋଚକ କଥା ହେଉଛି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-ପିଇଓ କହୁଛନ୍ତି, ମୋର ଆଇଡ଼ି ଆଉ ପାସଓ୍ବାର୍ଡକୁ ବ୍ୟବହାର କରି କିଏ ଏଭଳି କରିଥାଇପାରେ।

ତେବେ କେମିତି ହୋଇଛି ଦୁର୍ନୀତି ? କେନ୍ଦ୍ରାପଡ଼ା ରାଜନଗର କୁରୁଣ୍ଟି ପଞ୍ଚାୟତରୁ ଦେଖନ୍ତୁ ଏହି ରିପୋର୍ଟ। ସଧବା ମହିଳା ମଥାରେ ଝଟକୁଛି ସିନ୍ଦୂର, ହାତରେ ଅଛି ଶଙ୍ଖା। ହେଲେ ସରକାରୀ ଦସ୍ତାବିଜ୍‌ରେ କିନ୍ତୁ ତାଙ୍କୁ ସଜାଇ ଦିଆଯାଇଛି ବିଧବା। କାଗଜ କଲମରେ ମାରିଦିଆଯାଇଛି ତାଙ୍କ ସ୍ବାମୀଙ୍କୁ। ଏକଥା ଜାଣିବା ପରେ ଖଡ଼ଗହସ୍ତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କୁରୁଣ୍ଟି ପଞ୍ଚାୟତର ସୁକାନ୍ତି ପ୍ରଧାନ। ଘଟଣା ସମ୍ପର୍କରେ ଜାଣିବା ପରେ ବୟସ୍କା ମା ଆଖିରେ ବି ଲୁହ ଶୁଖୁନି। କାହିଁକି ବା ନ ହେବ। ବଞ୍ଚିଥିବା ମଣିଷଟାକୁ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ୨ ହଜାର ପାଇଁ ସରକାରୀ ଖାତା ଖତିୟାନ୍‌ରେ ଯେହେତୁ ମାରିଦିଆଯାଇଛି ମିଳିମିଶି। ଆଉ ବୋହୂକୁ ଲଦି ଦିଆଯାଇଛି ବିଧବାର ଅପବାଦ। ତେଣୁ ଯିଏ ଏଭଳି କରିଛି ତାଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ନିଜେ ସୁକାନ୍ତି।

ଏହି ପଞ୍ଚାୟତର କେବଳ ସୁକାନ୍ତି ନୁହଁନ୍ତି, ସୁସ୍ଥ ସବଳ ଥିବା ୬୪ ବର୍ଷିୟ ସନ୍ୟାସୀ ଖଟୁଆଙ୍କୁ ମଧ୍ୟ ମୃତ ଦର୍ଶାଯାଇଛି। ଆଉ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପୁଅ ଟଙ୍କା ଉଠାଇ ନେଇଥିବା ଉଲ୍ଲେଖ ରହିଛି। ହେଲେ ସନ୍ୟାସୀ ଜୀବିତ ଅଛନ୍ତି, ପୁଅ ରାଜ୍ୟ ବାହାରେ ଜୀବିକା ପାଇଁ ରହୁଛି। ଏଭଳି ଭାବେ ଏହି ପଞ୍ଚାୟତର ଏଗାର ଏଗାର ଜଣଙ୍କୁ ମୃତ ଦର୍ଶାଇ ୨୨ ହଜାର ଟଙ୍କା ହରଣଚାଲ୍ କରାଯାଇଛି। ଟଙ୍କା ଦୁଇ ହଜାର ପାଇଁ କାହା ପୁଅକୁ ତ ଆଉ କାହା ସ୍ୱାମୀକୁ ମାରି ଦିଆଯାଇଛି ସରକାରୀ ରେକର୍ଡରେ।     

ହରିଶ୍ଚନ୍ଦ୍ର ଯୋଜନାର ନିୟମ କହୁଛି, ଗରିବ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଶବ ସତ୍କାର ପାଇଁ ସଂପୃକ୍ତ ପରିବାରକୁ ରାଜ୍ୟ ସରକାର ୨ ହଜାର ଟଙ୍କା ତୁରନ୍ତ ପ୍ରଦାନ କରିଥାନ୍ତି। ସରପଞ୍ଚ ଏହି ସହାୟତା ରାଶି ଯୋଗାଇଥାନ୍ତି। ଆଉ ମୃତ୍ୟୁର ୧୫ ଦିନ ମଧ୍ୟରେ ମୃତକଙ୍କ ସଂପର୍କିତ ତଥ୍ୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବା ପିଇଓ, ୱେବସାଇଟ୍‌ରେ ଉଲ୍ଲେଖ କରିଥାନ୍ତି। ଏହାପରେ ବିଡ଼ିଓଙ୍କ ଅଥରାଇଜେସନ୍ ପରେ ରାଜ୍ୟ ସରକାର ପଞ୍ଚାୟତ ଆକାଉଣ୍ଟକୁ ଟଙ୍କା ଦେଇଥାନ୍ତି। ଘଟଣା ସମ୍ପର୍କରେ ପିଇଓ କହୁଛନ୍ତି, ତାଙ୍କ ଆଇଡ଼ି ଏବଂ ପାସୱାର୍ଡକୁ ବ୍ୟବହାର କରି କିଏ ଏଭଳି ଚଞ୍ଚକତା କରିଥାଇପାରେ। ସେପଟେ ରାଜନଗର ବିଡ଼ିଓ କହୁଛନ୍ତି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।  

ଯଦି ଏହି ଘୋଟାଲାରେ ପିଇଓ ଏବଂ ବିଡ଼ିଓଙ୍କ ସଂପୃକ୍ତି ନାହିଁ, ତେବେ ଏଭଳି ଘୋଟାଲା କଲା କିଏ ? ପିଇଓ ଏବଂ ବିଡ଼ିଓ ଏ ସମ୍ପର୍କରେ କେମିତି ଜାଣିପାରିଲେନି ? ନା ଜାଣି ଜାଣି ଅଜଣା ରହୁଛନ୍ତି ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଅପେକ୍ଷା ଜିଲ୍ଲା ପ୍ରଶାସନ। ଏହି ଘଟଣାକୁ କେତେ ଗୁରୁତର ସହ ନେଉଛି।

ରିପୋର୍ଟ: ପ୍ରବୀର କୁମାର ନାୟକ 

OTV is now on Whatsapp

Join and get latest news update delivered to you via whatsapp

Join Now