ଢେଙ୍କାନାଳ: ପେଟ ପୋଷ, ନାହିଁ ଦୋଷ। ଏଇ ହାତ ଜଗନ୍ନାଥ। ବାପା ମାଆ ସିନା ଜନ୍ମଦେଇ ଏ ଦୁନିଆକୁ ଆଣିଲେ, ହେଲେ କର୍ମ ତ ଦେଇ ନାହାନ୍ତି। ତେଣିକି ଯାହା ଭାଗ୍ୟରେ ଥିବ। ଏମିତି ଆମେ ସମସ୍ତେ ଭାବନ୍ତି। ହେଲେ ଯିଏ ପରିଶ୍ରମ କରେ, ଖଟି ଖାଏ, ମୁଣ୍ଡଝାଳକୁ ତୁଣ୍ଡରେ ପିଇ ଯାଏ ତା ପାଇଁ ଭାଗ୍ୟ କଣ? ତା ଭାଗ୍ୟ ଭଗବାନ ନୁହେଁ, ସେ ନିଜେ ଲେଖେ। ଆଉ ଏହାର ଜଳ୍ୱନ୍ତ ଉଦାହରଣ ହେଉଛନ୍ତି ଶତ୍ରୁଘ୍ନ ନାଏକ।
ଢେଙ୍କାନାଳ ଜିଲ୍ଲା, ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜେଇଡିହ ଗାଁରେ ଶତ୍ରୁଘ୍ନଙ୍କର ଘର। ବୟସ କେତେ ନିଜକୁ ବି ଜଣାନାହିଁ। କଅଁଳା ଛୁଆଟିଏ ହେଇଥିଲେ। ଏନ୍ତୁଡ଼ିଶାଳରୁ ବାହାରି ନ ଥିଲେ। କଣ କେମିତି ହେଲା କେଜାଣି, ନିଆଁରେ ପଡ଼ିଗଲେ। ବାପ ମାଆ ହାଁ ହାଁ ମୋ ଛୁଆ ପୋଡ଼ିଗଲା କହିଲା ବେଳକୁ ଆଉ କି ଅଛି ? ହାତରେ ନିଆଁ ଲାଗିଗଲା। ଆଉ ତାରି ପରଠୁ ଅବସ୍ଥା ଏମିତି। ଏବେ ବାପା ମାଆ ବି ନାହାନ୍ତି। କୋଉ କାଳୁ ସେମାନେ ବି ଗଲେଣି। ବାହା ସାହା ହୋଇଥିଲେ ଯେ, ଭଗବାନ ସ୍ତ୍ରୀକୁ ତାଙ୍କ ପାଖକୁ ନେଇଗଲେ। ଏବେ ଶତ୍ରୁଘ୍ନଙ୍କ ନିଜର କହିଲେ ସ୍ତ୍ରୀ ଚାଲିଯିବା ଆଗରୁ ଛାଡ଼ି ଯାଇଥିବା ଝିଅଟିଏ। ତାକୁ ବି ୟା ଭିତରେ ୧୫ ବର୍ଷ ହେଲାଣି। ପାଠ ପଢ଼ିଲାଣି।
Also Read
ଶତ୍ରୁଘ୍ନଙ୍କ ଅତିସାଧାରଣ ଓ ସରଳ ମଧ୍ୟ । ଏମିତି ଅବସ୍ଥାରେ ବି ସେ କାହା ପାଖରେ ହାତ ପାତି ନାହାନ୍ତି। ବରଂ ଭଗବାନ ଯେମିତି ଛାଡ଼ିଛନ୍ତି ସେଇ ଆକୁ ଆଦରି ନେଇଛନ୍ତି। ଖାଲି ଗଞ୍ଜେଇଡିହ ଗାଁ କାହିଁକି, ଆଖ ପାଖ ଗାଁରେ ସତୁରା ଭାଇ ନ ହେଲେ କାମ ହେଇ ପାରିବନି ବୋଲି ଅନେକ କହନ୍ତି।
ଶତ୍ରୁଘ୍ନ ଗୋଟିଏ ହାତରେ ସିନା କାମ କରୁଛନ୍ତି, ହେଲେ ତିନିଟା ଲୋକ ବି ୟାଙ୍କୁ କାମରେ ପାରିବେନି। ବାଲିଗୋଡି ସିମେଣ୍ଟ୍ ଫେଣ୍ଟିବାରେ ଯେମିତି, କୂଅରୁ ଗୋଟେ ହାତରେ ପାଣି କାଢ଼ିବାରେ ବି ସେମିତି। ଏ ଦୁନିଆରେ ଏମିତି ବହୁତ୍ ଲୋକ ଅଛନ୍ତି, ହାତଗୋଡ଼ ଆଖି ନାକ ଥାଇ ବି, ଭିକ ମାଗୁଛନ୍ତି। କାମ ନ କରି ଅନ୍ୟ ଉପରେ ନିର୍ଭର କରୁଛନ୍ତି। ହେଲେ ଶତ୍ରୁଘ୍ନ, ଭିନ୍ନକ୍ଷମ ସିନା ହେଲେ ତାଙ୍କ ମନୋବଳ ଭାଙ୍ଗି ଯାଇନି। ବରଂ ଆଖପାଖ ଅଞ୍ଚଳରେ ଭଲ ମଣିଷରେ ନାଁ ଲେଖେଇଛନ୍ତି। ୫ଲୋକ ଡାକି ତାଙ୍କୁ କାମ ଦେଉଛନ୍ତି। ଶତ୍ରୁଘ୍ନ ପ୍ରମାଣ କରି ଦେଇଛନ୍ତି, ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ। ସତ୍ୟ ଧର୍ମ ନ୍ୟାୟରେ ରହିଲେ, ଭଗବାନ ବାଟ କଢ଼େଇ ନେବେ।