• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଆମ ରାଜ୍ୟରେ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ସବୁବେଳେ ବିବାଦ ଦେଖାଦେଉଛି । କେବେ ଯୋଗ୍ୟ ହିତାଧିକାରୀ ଚୟନରେ ଅନିୟମିତତା ତ ଆଉ କେବେ ହିତାଧିକାରୀଙ୍କ ଅର୍ଥ ଆତ୍ମସାତ୍ ଅଭିଯୋଗ ହେଉଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତରେ ଏବେ ଯୋଡ଼ି ହୋଇଛି ଆବାସ କେଳେଙ୍କାରୀର ନୂଆ ଫର୍ଦ୍ଦ । ଜୀଇଁଥିବା ଅବସ୍ଥାରେ ଅସହାୟଙ୍କୁ ଆବାସ ଯୋଜନାରେ ଘର ମିଳୁନଥିବା ବେଳେ ମଲା ଲୋକ ନାଁରେ ଘର ତିଆରି ହୋଇ ଟଙ୍କା ଗାଏବ୍ କରାଯାଇଛି ।

ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚୟତର ସମାକୁଦ ଗାଁରେ ଘର ଘୋଟାଲା, ନଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ସମାକୁଦ ଗାଁର ଭାନୁମତୀ ସାହୁଙ୍କର ୧୦ ବର୍ଷ ତଳେ ମୃତ୍ୟୁ ହୋଇଥିଲା କିନ୍ତୁ ଆରଟିଆଇ କାଗଜ କହୁଛି, ଭାନୁମତୀଙ୍କ ନାଁରେ ଘର ତିଆରି କରାଯାଇଛି । ୨୦୨୦-୨୧ରେ ଭାନୁମତୀ ସାହୁଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଛି । ଘର ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ପ୍ରଥମ କିସ୍ତିରେ ୨୦ ହଜାର, ଦ୍ୱିତୀୟ କିସ୍ତିରେ ୩୫, ତୃତୀୟ କିସ୍ତିରେ ୪୫ ଓ ଚତୁର୍ଥ କିସ୍ତିରେ ପୁଣି ୩୦ ହଜାର ଏଭଳି ୪ଟି କିସ୍ତିରେ ମୋଟ ଲକ୍ଷେ ୩୦ ହଜାର ଟଙ୍କା ହଡପ୍ କରାଯାଇଛି ।

ହେଲେ ମୃତ ଭାନୁମତୀଙ୍କ ଘରର ଅବସ୍ଥା ଭାଙ୍ଗିରୁଜି ମାଟିରେ ମିଶିବାକୁ ବସିଲାଣି । ବଞ୍ଚିଥିବା ଅବସ୍ଥାରେ ଘର ଖଣ୍ଡେ ପାଇଁ ଗୁହାରି କରି ପାଇନଥିଲେ, କିନ୍ତୁ ମୃତ୍ୟୁର ୧୦ ବର୍ଷ ପରେ କାଗଜପତ୍ରରେ ଘର ଦର୍ଶାଇ ଟଙ୍କା ଖାଇଯାଇଛନ୍ତି ।

ସମାକୁଦ ଗାଁର ଘନଶ୍ୟାମ ସାହୁଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି । ସମାନ ଘଟଣା ଘନଶ୍ୟାମଙ୍କର ମଧ୍ୟ ୧୦ ବର୍ଷ ତଳୁ ମୃତ୍ୟୁ ହୋଇସାରିଛି । କିନ୍ତୁ କାଗଜପତ୍ରରେ ଘର ନିର୍ମାଣ ସରିଥିବା ଦର୍ଶାଇ ୪ଟି କିସ୍ତିରେ ଆସିଥିବା ସମ୍ପୂର୍ଣ୍ଣ ଲକ୍ଷେ ୩୦ ହଜାର ଟଙ୍କା ଖାଇଦେଇଛନ୍ତି ବିଭାଗୀୟ ଅଧିକାରୀ । ଘନଶ୍ୟାମଙ୍କ ବିଧବା ସ୍ତ୍ରୀ ନୁଆଁଣିଆ ଚାଳ ଘରେ ଦିନ କାଟୁଛନ୍ତି । ଆବାସ ଯୋଜନାର ଘର ବାବଦରେ ତାଙ୍କ ପରିବାର ଲୋକ କିଛି ଜାଣିନାହାନ୍ତି ।

ଭାନୁମତୀ ଓ ଘନଶ୍ୟାମଙ୍କର ପରଲୋକ ପରେ କିଭଳି ତାଙ୍କ ନାଁରେ ବ୍ଲକରୁ ଆସିଲା କାର୍ଯ୍ୟାଦେଶ ? ଘର ତିଆରି ହୋଇଛି ବୋଲି କିଭଳି କାଗଜପତ୍ରରେ ଦେଖାଗଲା ? ଯେଉଁ ଲୋକ ସ୍ୱର୍ଗବାସୀ, ତାଙ୍କ ନାଁରେ କେମିତି ଏଭଳି ଜାଲିଆତି କରି ଟଙ୍କା ଚଳୁ ହୋଇଛି, ତାର ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ଦାୟିତ୍ୱ ପଞ୍ଚାୟତର ପିଇଓ ଏବଂ ଜିଆରଏସଙ୍କ ହାତରେ ରହିଥାଏ । ହିତାଧିକାରୀ ଚୟନ, ଗୃହ ବଣ୍ଟନ, ଘର ନିର୍ମାଣର ତଦାରଖ ସହିତ ଅର୍ଥ ପଇଠ ଇତ୍ୟାଦି କାର୍ଯ୍ୟ ଏହି ଦୁଇ କର୍ମଚାରୀଙ୍କ ଉପରେ ନ୍ୟସ୍ତ ଥାଏ । ତେଣୁ ରାଇସୁଆଁ ପଞ୍ଚାୟତରେ ହୋଇଥିବା ଏହି ଆବାସ ଚଞ୍ଚକତାରେ ପିଇଓ ଏବଂ ଜିଆରଏସଙ୍କ ପ୍ରତ୍ୟକ୍ଷ ହାତ ରହିଥିବା ସ୍ପଷ୍ଟ ଜଣାପଡୁଛି । ତେବେ ଏ ସମ୍ପର୍କରେ ତେଲକୋଇ ବ୍ଲକର ଭାରପ୍ରାପ୍ତ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତଦନ୍ତ କରାଯିବା କଥା କହିଛନ୍ତି ।

କେବଳ ଭାନୁମତି କି ଘନଶ୍ୟାମ ନୁହନ୍ତି, ରାଇସୁଆଁ ପଞ୍ଚାୟତରେ ଏଭଳି ଅନେକ ମଲା ଲୋକଙ୍କ ନାଁରେ ଘର ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି । ଫାଇଭ୍ ଟିର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏହାର ବିଧିବଦ୍ଧ ତଦନ୍ତ କରିବା ଆବଶ୍ୟକ ।

OTV is now on Whatsapp

Join and get latest news update delivered to you via whatsapp

Join Now