• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାୟଗଡା(ମନୋଜ ପାତ୍ର ) : ରାୟଗଡା ଜିଲ୍ଲାର ବିରଳ ଜନଜାତି ଅଧ୍ୟୁଷିତ ନିୟମଗରି ଅଞ୍ଚଳରେ ଡଙ୍ଗରିଆଙ୍କ ପାଇଁ ଏବେ ଆଶୀର୍ବାଦ ପାଲଟିଛି ଟୋଏସ୍‍ (ଟ୍ରାଇବାଲ୍‍ ଓଡିଶା ଆଇ ଡିଜିଜ ସର୍ଭେ ) କାର୍ଯ୍ୟକ୍ରମ । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଡଙ୍ଗରିଆ ଆଦିବାସୀ ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯିବା ସହ ମାଗଣାରେ ଚଷମା ପ୍ରଦାନ କରାଯାଉଛି । ସରକାରଙ୍କ ଏହି କାର୍ଯ୍ୟକ୍ରମ ସହ ହାତ ମିଳାଇଛି ଭୁବନେଶ୍ୱରର ଏକ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ । ରାୟଗଡା ଜିଲ୍ଲାର ତିନୋଟି ବ୍ଲକର ଡଙ୍ଗରିଆ ମାନଙ୍କୁ ଗାଁ ଗାଁ ବୁଲି ସ୍କ୍ରିନଂ ପ୍ରକ୍ରିୟାରେ ଚିହ୍ନଟ କରାଯିବା ପରେ ଆବଶ୍ୟକ ସ୍ଥଳେ ମୋତିଆ ବିନ୍ଦୁ ଅପରେସନ୍‍ କରାଯାଉଛି ।

କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ଗବେଷଣା ତାଲିମ ପ୍ରତିଷ୍ଠାନ ଓ ରାଜ୍ୟ ସରକାରଙ୍କ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜିବୀକା ଉନ୍ନତି କାର୍ଯ୍ୟକ୍ରମ ମିଳିତ ଉଦ୍ୟମରେ ରାଜ୍ୟରେ ପ୍ରଥମ ଥର ପାଇଁ ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ବିରଳ ଜନଜାତିଙ୍କ ଚକ୍ଷୁ ପରୀକ୍ଷା । ଯାହାର ଗୁରୁଦାୟିତ୍ୱ ନେଇଛି ଭୁବନେଶ୍ୱରର ଏକ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ । ଜିଲ୍ଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡା ବ୍ଲକ୍‍ରେ ଆରମ୍ଭ ହୋଇଛି ଏହି ସର୍ଭେ କାର୍ଯ୍ୟକ୍ରମ ।

ଓପିଲିପି ଜରିଆରେ ତିନୋଟି ବ୍ଳକର ୨୬୦୦ ଡଙ୍ଗରିଆ ପରିବାରକୁ ଏହି ସର୍ଭେରେ ସାମିଲ କରାଯାଇଛି । ପ୍ରଥମେ ଡଙ୍ଗରିଆ ଗ୍ରାମ ଗୁଡିକୁ ଯାଇ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଚକ୍ଷୁ ବାଧିତ ରୋଗାକ୍ରାନ୍ତ ଲୋକଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ପ୍ରଥମେ ଭିଜନ୍‍ ସେଣ୍ଟରକୁ ପଠାଯାଉଛି । ସେଠାରେ ସ୍କ୍ରିନିଂ ପରେ ଚଷମା ଦିଆଦିବା ସହ ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର ପାଇଁ ରାୟଗଡା ଚକ୍ଷୁ ଚିକିତ୍ସାଳୟକୁ ସା୍ଥନାନ୍ତର କରାଯାଉଛି ।

ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ଚକ୍ଷୁ ଚିକିତ୍ସା ଅଭିଯାନରେ ଆଗାମୀ ୬ ମାସରେ ମୋଟ ୧୨ ହଜାର ୫୦୦ ଲୋକଙ୍କ ଚକ୍ଷୁ ପରୀକ୍ଷା ପାଇଁ ଟାର୍ଗେଟ କରାଯାଇଛି । ତେବେ ଏଯାଏଁ ପାଖାପାଖି ୭,୫୦୦ ଲୋକଙ୍କ ସ୍କ୍ରିନିଂ କରାଯାଇ ୩୦ରୁ ଉର୍ଦ୍ଧ୍ୱ ଚକ୍ଷୁରୋଗୀ ଡଙ୍ଗରିଆଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସରିଲାଣି ।

ପାଖାପାଖି ୭ ଶହ ଲୋକଙ୍କୁ ଚଷମା ବଣ୍ଟନ କରାଯାଇଛି । ଯାହାକୁ ନେଇ ବେଶ୍‍ ଖୁସି ଅଛନ୍ତି ନିୟମଗିରିର ଡଙ୍ଗରିଆ ଅଧିବାସୀ । ଆଗରୁ ଲୋକେ ଚକ୍ଷୁ ଚିକିତ୍ସା କଣ ଜାଣି ନଥିବା ବେଳେ ଏବେ ମାଗଣାରେ ଚିକିତ୍ସିତ ହୋଇ ଦୃଷ୍ଟିଶକ୍ତି ଫେରି ଆସିବା ସାଙ୍ଗକୁ ନୂଆ ଦୁନିଆ ଦେଖି ପାରୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।