Advertisment

ଉଇକିପିଡିଆ ନିଶାରେ ସଂଗ୍ରାମ : ଲଗାତାର ୨୫୦୦ ଦିନ ପ୍ରସଙ୍ଗ ଲେଖିଥିବା ପ୍ରଥମ ଓଡ଼ିଆ

ଉଇକିପିଡ଼ିଆରେ ନିତିଦିନ ଅତି କମ୍‌ରେ ଗୋଟିଏ ପ୍ରସଙ୍ଗ ଲେଖିବା ସଂଗ୍ରାମଙ୍କ ନିଶା। ଲଗାତାର କରିଛନ୍ତି ୨୫୦୦ ଦିନର ଲିଖନ ଯାତ୍ରା, ଉଇକିପିଡ଼ିଆରେ ଲେଖିଛନ୍ତି ୩୦୦୦ରୁ ଅଧିକ ତଥ୍ୟଭିତ୍ତିକ ପ୍ରସଙ୍ଗ।

author-image
Pramod Behera
First Odia to write 25,000 consecutive days of content in Wikipedia

First Odia to write 25,000 consecutive days of content in Wikipedia

ଗୁଗୁଲ୍‌ରେ ଆପଣ ଯାହା ବି କିଛି ଖୋଜିଲେ, ପ୍ରଥମେ ଯେଉଁ ଲିଙ୍କ୍ ଦେଖାଏ, ତାହା ହେଉଛି ଉଇକିପିଡ଼ିଆ। ଏହି ଉଇକିପିଡ଼ିଆ କୌଣସି ସରକାରୀ ସଂସ୍ଥା ନୁହେଁ, କିଛି ହାତଗଣତି ଲୋକମାନଙ୍କ ଦ୍ୱାରା ଗଢ଼ାଯାଇଥାଏ। ୨୦୦୧ ମସିହାରୁ ଇଂରାଜୀ ଭାଷାର ଉଇକିପିଡ଼ିଆ ଆରମ୍ଭ ହୋଇଥିଲା ଏବଂ ୨୦୦୨ ମସିହାରୁ ଦକ୍ଷିଣ ଏସିଆର ପ୍ରଥମ ଭାଷା ଭାବରେ ‘ଓଡ଼ିଆ ଉଇକିପିଡ଼ିଆ’ ଉପଲବ୍ଧ ଅଛି, ଯେଉଁଥିରେ ୨୦୧୧ ମସିହାରୁ ସ୍ୱେଚ୍ଛାସେବୀମାନେ ତଥ୍ୟ ଭିତ୍ତିକ ପ୍ରସଙ୍ଗ ଯୋଡ଼ି ଆସୁଛନ୍ତି ।

Advertisment

ଭଦ୍ରକ ଜିଲ୍ଲାର ଯୁବ ଇଞ୍ଜିନିୟର ତଥା ‘ଶୁଭପଲ୍ଲବ’ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ୨୦୧୪ ମସିହାରେ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଆରମ୍ଭ କରିଥିଲେ। ମାର୍ଚ୍ଚ ୨୦୧୭ରୁ ପ୍ରତିଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ସେ ଏଯାବତ୍ ୨୫୦୦ ଦିନ ଅତିକ୍ରମ କରିସାରିଲେଣି। ଯେଉଁଥିରେ ସେ ଗୋଟିଏ ବି ଦିନ ବିରତି ନେଇନାହାନ୍ତି, ବରଂ ସମୟ ସମୟରେ ଗୋଟିଏ ଦିନରେ ୨୦ରୁ ଅଧିକ ପ୍ରସଙ୍ଗ ଗଢ଼ିଛନ୍ତି।

ତାଙ୍କ ଦ୍ୱାରା ଗଢ଼ାଯାଇଥିବା ପ୍ରସଙ୍ଗ ମଧ୍ୟରେ- ଓଡ଼ିଶାର କଳା, ସଂସ୍କୃତି, ପର୍ବପର୍ବାଣୀ, ସାହିତ୍ୟ, ଇତିହାସ, ଖାଦ୍ୟପେୟ, ମଠ-ମନ୍ଦିର, କଥାଚିତ୍ର, ରାଜନୀତି, ଜଣାଶୁଣା ବ୍ୟକ୍ତିତ୍ୱ, ଦର୍ଶନୀୟ ସ୍ଥାନ ଆଦି ଅନ୍ତର୍ଭୁକ୍ତ। ସେ ୭୦୦ ପାଖାପାଖି ଓଡ଼ିଆ ଭାଷାର କଥାଚିତ୍ର ବାବଦରେ ପ୍ରସଙ୍ଗ ଗଢ଼ିଛନ୍ତି, ଫଳରେ ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆ ଭାଷାର ସମୁଦାୟ କଥାଚିତ୍ରର ତଥ୍ୟ ଅନ୍ତର୍ଭୁକ୍ତ ହୋଇପାରିଛି। ସେ ଗଢ଼ିଥିବା ୧୨୦୦ରୁ ଅଧିକ ରାଜନେତାଙ୍କ ପ୍ରସଙ୍ଗ ଜରିଆରେ ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶା ବିଧାନସଭା ତଥା ଭାରତୀୟ ସଂସଦର ଉଭୟ ସଦନ; ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କର ଜୀବନୀ ବିସ୍ତୃତ ଭାବରେ ଉପଲବ୍ଧ ହେଉଛି ।

Advertisment

ତାଙ୍କର ଏହି ୧୦ ବର୍ଷର ଉଇକିପିଡ଼ିଆ ଯାତ୍ରାରେ ସେ ୧୦ରୁ ଅଧିକ ସର୍ବଭାରତୀୟ ଉଇକିମିଡ଼ିଆ କର୍ମଶାଳା ସହିତ ହାଇଦ୍ରାବାଦରେ ଅନୁଷ୍ଠିତ ଉଇକି-ଇଣ୍ଡିଆ କନ୍‌ଫରେନ୍ସରେ ଯୋଗ ଦେଇଛନ୍ତି । ତାଙ୍କ ଉଦ୍ୟମରେ ୨୫ରୁ ଅଧିକ ଜାତୀୟ ତଥା ଆନ୍ତର୍ଜାତୀୟ ଗଣ-ସମ୍ପାଦନା ଓଡ଼ିଆରେ ଅନୁଷ୍ଠିତ ହୋଇପାରିଛି ଏବଂ କିଛି ଗଣ-ସମ୍ପାଦନା ସେ ଓଡ଼ିଆ ସହିତ ଅନ୍ୟ ଭାଷାରେ ମଧ୍ୟ ଆୟୋଜନ କରାଇଛନ୍ତି । ଅନ୍‌ଲାଇନ୍‌ରେ ନୂଆ ଉଇକିଆଳି (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ ଲେଖୁଥିବା ବ୍ୟକ୍ତି) ମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ କିଛି କର୍ମଶାଳାରେ ଉପସ୍ଥିତ ରହି ନିଜେ ମଧ୍ୟ ପ୍ରଶିକ୍ଷଣ ଦିଅନ୍ତି।

First Odia to write 25,000 consecutive days of content in Wikipediaସହଯୋଗୀଙ୍କ ସହ ସଂଗ୍ରାମ

ଏହି ୨୫୦୦ ଦିନର ଅଭିଜ୍ଞତା ବାବଦରେ ସଂଗ୍ରାମ କୁହନ୍ତି, "ପ୍ରଥମେ ମୁଁ ୧୦୦ ଦିନ ପାଇଁ ଚେଷ୍ଟା କରିଥିଲି। ଏହି ୧୦୦ ଦିନ ହିଁ ମୋ ପାଇଁ ଟିକେ କଷ୍ଟକର ଥିଲା। କାରଣ ୨୦୧୭ ମସିହାର ଭଦ୍ରକ ଦଙ୍ଗା ସମୟରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ ଥିବା ସତ୍ତ୍ୱେ ପ୍ରସଙ୍ଗ ଲେଖିବା ବନ୍ଦ ହୋଇନଥିଲା। ବାଲେଶ୍ୱର ସୀମାକୁ ଯାଇ ମୋବାଇଲ୍ରେ ପ୍ରସଙ୍ଗ ଲେଖିଥିଲି। ଏମିତିକି ଭଉଣୀ ବାହାଘରର ବ୍ୟସ୍ତତା ଭିତରେ ବି ମୁଁ ପ୍ରସଙ୍ଗ ଲେଖିବା ବନ୍ଦ କରିନଥିଲି।"

ଉଇକିପିଡ଼ିଆରେ ଲେଖିବା ପାଇଁ କେତେ ପାରିଶ୍ରମିକ ପାଆନ୍ତି ପ୍ରଶ୍ନର ଉତ୍ତରରେ ସଂଗ୍ରାମ କୁହନ୍ତି, "ଅନେକ ଲୋକ ଭାବନ୍ତି ଉଇକିପିଡ଼ିଆରେ ଲେଖିଲେ ପାରିଶ୍ରମିକ ମିଳେ। କିନ୍ତୁ ଏହା ଭୁଲ୍ କଥା। ସବୁ ପ୍ରସଙ୍ଗ ସ୍ୱେଚ୍ଛାସେବୀମାନେ ହିଁ ଗଢ଼ନ୍ତି। କେବଳ ଜଣାଶୁଣା ବ୍ୟକ୍ତିତ୍ୱ, ସ୍ଥାନ ଓ ଘଟଣା ବାବଦରେ ଲେଖାଯାଏ, ଏଥିରେ କୌଣସି ପ୍ରକାରର ଗପ କିମ୍ବା କବିତା ପ୍ରକାଶ କରାଯାଏନି। କିମ୍ବା ପ୍ରଚାର କରିବା ଭଳି କୌଣସି ପ୍ରସଙ୍ଗ ଲେଖାଯାଏନି। ଏହା ଇଣ୍ଟରନେଟରେ ଥିବା ଏକ ଏନ୍‌ସାଇକ୍ଲୋପେଡ଼ିଆ, ଯାହାକି ମୁକ୍ତ ଭାବରେ ଉପଲବ୍ଧ। ଏହାର ମୂଳମନ୍ତ୍ର ହେଉଛି 'ଥିଲେ ପଢ଼ନ୍ତୁ, ନଥିଲେ ଯୋଡ଼ନ୍ତୁ'।"

ସାଥୀ ଉଇକିଆଳି ତଥା ଭାରତରେ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରାଇଥିବା ଚିନ୍ମୟୀ ମିଶ୍ର, କୁହନ୍ତି, "କାମ ବ୍ୟସ୍ତତା ସତ୍ୱେ ଟିକେ ଫାଙ୍କା ମିଳିଲେ, ମୁଁ ଗପୁଭାଇଙ୍କୁ ପ୍ରସଙ୍ଗ ଲେଖିବା ଦେଖିଛି। ବିଳମ୍ବିତ ରାତି ଯାଏଁ ମଧ୍ୟ ସେ ଉଇକିପିଡିଆରେ ପ୍ରସଙ୍ଗ ଲେଖନ୍ତି।"

ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ନିଳୋକ ଗ୍ରାମରେ ଜନ୍ମିତ ସଂଗ୍ରାମ ୨୦୧୬ ମସିହାରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିବା ପରେ ୨୦୧୮ ମସିହାରୁ ଶୁଭପଲ୍ଲବ ନାମକ ଏକ ଓଡ଼ିଆ ମାସିକ ଓଡ଼ିଆ ପତ୍ରିକାର ପ୍ରକାଶ କରୁଛନ୍ତି, ଯାହାକି ଇଣ୍ଟରନେଟରେ ଆଦୃତ ହେବା ସହିତ ଜଣେ ପୁସ୍ତକ ପ୍ରକାଶକ ଭାବରେ ସେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ବଛା ବଛା ୨୦ଟିରୁ ଅଧିକ ପୁସ୍ତକ ପ୍ରକାଶ କରିଛନ୍ତି । ଏଥିସହିତ ତାଙ୍କର ପଡ଼କାଷ୍ଟିଂ କମ୍ପାନୀ ‘ଶୁଭବାଣୀ’ ଓ ‘ଗପୁଫାଏ’ ଜରିଆରେ ସେ ଅନେକ ଜଣାଶୁଣା ଲୋକଙ୍କର ସାକ୍ଷାତକାର ତଥା ବିଭିନ୍ନ ପ୍ରସଙ୍ଗର ପଡ଼କାଷ୍ଟ ପବ୍ଲିଶ୍ କରନ୍ତି। ତାଙ୍କ ଦ୍ୱାରା ପରିଚାଳିତ କିଛି ବ୍ଲଗ୍ ଜରିଆରେ ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପର୍ବପର୍ବାଣୀ, ଦର୍ଶନୀୟ ସ୍ଥାନ, ଖାଦ୍ୟପେୟ ବାବଦରେ ପ୍ରସଙ୍ଗ ଲେଖନ୍ତି, ଯାହାକି ଦେଶ ବିଦେଶରେ ଲୋକ ପଢ଼ନ୍ତି ।

Hidden Talents Wikipedia
Advertisment
Advertisment