Advertisment

ଶ୍ରୀମନ୍ଦିର ସ୍ୱର୍ଣ୍ଣିମ ଇତିହାସରେ ଯୋଡ଼ି ହେଲା ନୂଆଫର୍ଦ୍ଦ

ଯୁଗ ଯୁଗ ଧରି ଜଗନ୍ନାଥ ଭକ୍ତଙ୍କୁ ଅନନ୍ୟ ଅନୁଭୂତି ଦେବାକୁ ବିରାଟ ପଦକ୍ଷେପ। ବର୍ଣ୍ଣାଢ୍ୟ ଉତ୍ସବରେ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ।

author-image
Pramod Behera
Srimandira Heritage

Srimandira Heritage

ଏହା ଥିଲା ଅବିସ୍ମରଣୀୟ ମୂହୁର୍ତ୍ତ। ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ରଖିଥିଲେ ପରିକ୍ରମା ପ୍ରକଳ୍ପର ଆଧାରଶିଳା। ମନ୍ତ୍ରଧ୍ୱନୀ ଓ ବେଦପାଠରେ କମ୍ପୁଥିଲା ଚଉଦିଗ। ଉତ୍ସବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମୁଖ୍ୟମନ୍ତ୍ରୀ ସକାଳ ସାଢ଼େ ୯ଟାରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଐଶାନ୍ୟ କୋଣରେ ଯଜ୍ଞ ବେଦୀ ନିକଟ ଶିଳାପୂଜନ ସ୍ଥଳରେ ପହଞ୍ଚି ପବିତ୍ର ଶିଳାରେ ଚନ୍ଦନ ଓ ସିନ୍ଦୁର ଲଗାଇଥିଲେ।

Advertisment

୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳାବିଜେ ପରେ ଅତ୍ୟନ୍ତ ଶୁଭ ମୁହୁର୍ତ୍ତ ୧୦ଟା ୧୫ରୁ ସାଢ଼େ ୧୦ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶିଳା ସଂସ୍ଥାପନ କାର୍ଯ୍ୟ ସମ୍ପନ୍ନ କରିଥିଲେ। ସେପଟେ ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ବି ୧୧ଟା ମଧ୍ୟରେ ପୂର୍ଣ୍ଣାହୁତି ଦେଇଥିଲେ ଗଜପତି। ଏହି ଅବସରରେ ବ୍ୟାଟେରୀ ଚାଳିତ ଗାଡ଼ିରେ ବସି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶ୍ୱର ସମସ୍ତ ଜଗନ୍ନାଥ ଭକ୍ତଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିର ଉତ୍ସବରେ ବିଧାନସଭା ବାଚସ୍ପତି, ଆଇନମନ୍ତ୍ରୀ, ମୁଖ୍ୟ ଶାସନସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ସହ ପିସିସି ସଭାପତି ପ୍ରମୁଖ ସାମିଲ ହୋଇଥିଲେ। ତେବେ ଏହି ପ୍ରକଳ୍ପର ସମସ୍ତ କାମ ଆରମ୍ଭ ହୋଇସାରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ଅବସରରେ ଐତିହ୍ୟ କରିଡର ପାଇଁ ଜମିଦାନ କରିଥିବା ପରିବାର ଓ ଅନୁଷ୍ଠାନ ମଧ୍ୟରୁ ୧୦ ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ସମସ୍ତଙ୍କୁ ଏକ ରୂପା କଏନ୍, ଖଣ୍ଡୁଆ ପାଟ ଓ ମହାପ୍ରସାଦ ଥିବା ଗୋଟିଏ ଲେଖାଏଁ କିଟ୍ ପ୍ରଦାନ କରିଥିଲେ। ମନ୍ଦିର ପାଖରେ ଘରଦ୍ୱାର ଛାଡ଼ିଥିବାରୁ ମନରେ ସାମାନ୍ୟ ଦୁଃଖ ଥିଲେ ବି ଏହା ମହାପ୍ରଭୁଙ୍କ କାମରେ ଲାଗିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଥିଲେ।

ଶିଳାନ୍ୟାସ ଉତ୍ସବ ପାଇଁ ଶ୍ରୀମନ୍ଦିରକୁ ବି ଆକର୍ଷଣୀୟ ଢଙ୍ଗରେ ସଜା ଯାଇଥିଲା ଓ ଭକ୍ତଙ୍କ ଦର୍ଶନରେ କୌଣସି ସମସ୍ୟା ସୃଷ୍ଟି ହୋଇ ନ ଥିଲା। ତେଣେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମହାପ୍ରଭୁଙ୍କ କାମରେ ସମସ୍ତଙ୍କ ସହଯୋଗ ରହିଥିବା କହିଛନ୍ତି। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଆମେ ସମସ୍ତେ ଏ ସବୁ କାମ କରିବା ବୋଲି ସେ କହିଛନ୍ତି।

ଆସନ୍ତା ଦେଢ଼ ବର୍ଷରେ ସମ୍ପନ୍ନ ଲକ୍ଷ୍ୟ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରକୃତ ଉଦ୍ଦେଶ୍ୟ ହେଲା, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୁରକ୍ଷା କରିଡର୍‌ ସହ ସୌନ୍ଦର୍ଯ୍ୟକରଣ ଚାରିପାଖେ ଥିବା ପୁରାତନ ମଠ ଓ ମନ୍ଦିରଗୁଡିକର ପୁନଃବିକାଶ ସହ ରଥଯାତ୍ରା ଓ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ ପ୍ରସ୍ତୁତ କରିବା। ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ନିର୍ମାଣ, ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ୫୦୦ ବର୍ଗମିଟର ପରିମିତ ଗୃହ ସହ ଶୌଚାଳୟ ନିର୍ମାଣ, ସମସ୍ତ ଦ୍ୱାରରେ ସୂଚନା ଓ ଦାନକେନ୍ଦ୍ର ପ୍ରତିଷ୍ଠା, ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବାକେନ୍ଦ୍ର ସହ ୬ ହଜାର ଭକ୍ତଙ୍କ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ହେବ।

Odisha Srimandira Heritage
Advertisment
Advertisment