• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଅସ୍ଥିରତାର ଚରମସୀମାରେ ମଧ୍ୟପ୍ରାଚ୍ୟର ସମ୍ବେଦନଶୀଳ ରାଷ୍ଟ୍ର ଇରାକ । କ୍ଷମତା କନ୍ଦଳ ପାଇଁ ଏବେ ସେଠି ହିଂସା, ଅଶାନ୍ତି ଓ ଅରାଜକତାର ରାଜୁତି । ଶ୍ରୀଲଙ୍କା ଭଳି ଏଠାରେ ବି ସରକାରୀ ପ୍ରତିଷ୍ଠାନ ଗୁଡ଼ିକରେ ବିକ୍ଷୋଭକାରୀଙ୍କ ହଙ୍ଗାମା ଓ ମଉଜମସ୍ତି । ରାଜନୀତି ଛାଡ଼ିବା ପାଇଁ ସିଆ ଧର୍ମଗୁରୁ ମୌଲବୀ ମକ୍ତାଦା ଅଲ୍ ସଦର୍ ଙ୍କ ଘୋଷଣା ପରେ ତାତି ଉଠିଛନ୍ତି ତାଙ୍କ ସମର୍ଥକ । ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ସାରା ଦେଶରେ ପ୍ରତିବାଦ କରିଛନ୍ତି । ବାଗଦାଦରେ ପଡ଼ିଛି ଏହାର ଗୁରୁତର ପ୍ରଭାବ ।

ସେପଟେ ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଭବନକୁ ଦଖଲ କରି ନେଇଛନ୍ତି । ସୁଇମିଂ ପୁଲରେ ଗାଧୋଇବା ସହିତ ପୁରା ରାଷ୍ଟ୍ରପତି ଭବନରେ ଭଙ୍ଗାରୁଜା କରିଛନ୍ତି । ଏହା ସହିତ ଅନ୍ୟ ସ୍ଥାନରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା ଓ ହିଂସାକାଣ୍ଡ, ପୋଡ଼ାଜଳା ହୋଇଛି । ଆନ୍ଦୋଳନକୁ ଦମନ କରିବା ପାଇଁ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସର ଗୁଳି ଚଳାଇବାରୁ ଅନେକ ମୃତାହତ ହୋଇଛି । ମୃତ୍ୟୁ ସଂଖ୍ୟା ୨୦ ଟପିଛି । ଓ୍ୱାର ଜୋନ୍ ପାଲଟିଛି ସେଣ୍ଟ୍ରାଲ ବାଗଦାଦ୍ । ଏଠି ହିଁ ଗୁଳମାଡ଼ର ମାତ୍ରା ବଢ଼ିଛି । ସପ୍ତାହେ ହେବ ଇରାକ ସଂସଦ ସାମ୍ନାରେ ବିରୋଧ ପ୍ରଦର୍ଶନ କରୁଥିବା ସମର୍ଥକ ହଠାତ୍ ନିଜ ନେତାଙ୍କ ରାଜନୀତିରୁ ଇସ୍ତଫା ଘୋଷଣା ପରେ ଉତ୍ତେଜିତ ହୋଇ ଉଠିଛନ୍ତି ।

ଦେଶରେ ସ୍ଥିତି ବେକାବୁ ହେବା ପରେ ଇରାକୀ ସେନା ପକ୍ଷରୁ ଦେଶବ୍ୟାପୀ କର୍ଫ୍ୟୁ ଘୋଷଣା କରାଯାଇଛି । କ୍ୟାବିନେଟ୍ ସେସନକୁ ବାତିଲ କରାଯାଇଛି । ପୋଲିସ ସହ ବିକ୍ଷୋଭକାରୀଙ୍କ ହିଂସାରେ ଅନେକ ଗୁରୁତର ଆହତ ହୋଇଥିବା ମେଡିକାଲ ଟିମ୍ ପକ୍ଷରୁ କୁହାଯାଇଛି । ବିଗତ ୧୦ ମାସ ହୋଇଗଲା ଇରାକରେ ନା ପ୍ରଧାନମନ୍ତ୍ରୀ ଅଛନ୍ତି ନା ଅଛି ମନ୍ତ୍ରିମଣ୍ଡଳ ନା ରହିଛି ସରକାର । ଆଉ ଏହି କାରଣରୁ ସେଠାରେ ରାଜନୈତିକ ଅସ୍ଥିରତା ଚରମସୀମାରେ ପହଞ୍ଚିଛି । ଅର୍ଥାତ ଯେଉଁ ସ୍ଥିତି ଶ୍ରୀଲଙ୍କାରେ ଦେଖା ଦେଇଥିଲା । ଏବେ ସମାନ ସ୍ଥିତିର ସମ୍ମୁଖିନ ହୋଇଛି ଇରାକ ।

ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଇରାକରେ ରାଜନୈତିକ ଅଶାନ୍ତିର ସୂତ୍ରପାତ ହୋଇଥିଲା । କୁହାଯାଉଛି ଯେ, ନିଜ ବିରୋଧୀଙ୍କ ଉପରେ ଚାପ ପକାଇବା ପାଇଁ ଅଲ୍ ସଦର ଏମିତି ପନ୍ଥା ଆପଣାଇଛନ୍ତି । ଗତ ବର୍ଷ ଅକ୍ଟୋବରରେ ସାଧାରଣ ନିର୍ବାଚନ ହୋଇଥିଲା । ନିର୍ବାଚନରେ ଅଲ ସଦରଙ୍କ ପାର୍ଟି ବହୁମତ ପାଇଥିଲା । ବହୁମତ ସତ୍ତ୍ୱେ ସରକାର ଗଠନ ହୋଇପାରିନଥିଲା । ଏହାକୁ ନେଇ ଅସନ୍ତୋଷର ନିଆଁରେ ଜଳୁଥିଲେ ଅଲ ସଦରଙ୍କ ସମର୍ଥକ ।

ଇରାକ ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଅନେକ ସ୍ଥିତି ନେଇ ଅଜ୍ଞ ଅଛନ୍ତି ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ୍ କରିଛନ୍ତି । ସେପଟେ ହିଂସା ସ୍ଥିତି କାରଣରୁ ଇରାକ-ଇରାନ ସୀମା ସିଲ୍ କରି ଦିଆଯାଇଛି ।