• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍କଟ ଆର୍ଥିକ ସ୍ଥିତିକୁ ନେଇ ପାକିସ୍ତାନବାସୀ ତ୍ରାହି ତ୍ରାହି ଡାକୁଥିବା ବେଳେ ପ୍ରଳୟଙ୍କରୀ ବନ୍ୟା ସେମାନଙ୍କ ଉପରେ ବେଡି ଉପରେ କୋରଡା ଭଳି ହୋଇଛି । କୁଆଡେ ଯିବେ, କଣ ଖାଇବେ, କେଉଁଠି ରହିବେ ସାଢେ ୩ କୋଟିରୁ ଅଧିକ ଲୋକଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଖାସ୍ କରି ଦେଶର କୃଷି ବନ୍ୟାରେ ଧୋଇ ଯାଇଥିବାରୁ ସ୍ଥିତି ଅଧିକ ସଙ୍ଗୀନ ହେବା ଆଶଙ୍କା କରାଯାଉଛି । ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ମାତ୍ରାଧିକ ମୌସୁମୀ ପାକିସ୍ତାନର ଏଭଳି ଭୟଙ୍କର ସ୍ଥିତି ପାଇଁ ଦାୟୀ ବୋଲି କୁହାଯାଉଛି ।

ପାକିସ୍ତାନରେ ଏବେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି । ଏଭଳି ସ୍ଥିତିରେ ବନ୍ୟା ସାଧାରଣ ପାକିସ୍ତାନୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଦେଶର ବହୁ ଅଞ୍ଚଳ ଜଳମଗ୍ନ ରହିବା ଦ୍ୱାରା ଚାଷକୁ ବିପୁଳ କ୍ଷତି ହୋଇଛି । ପନିପରିବା ଓ ଦେଶର ପ୍ରମୁଖ ଅର୍ଥକରୀ ଫସଲ କପାଚାଷ ଅଧେରୁ ଅଧିକ ପାଣିରେ ବୁଡି ରହିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବନ୍ୟାରେ ମୋଟ ୧୦ ବିଲିୟନ ଡଲାର ଅର୍ଥ ମୂଲ୍ୟର କ୍ଷତି ହୋଇଥିବା ପାକିସ୍ତାନ ଅର୍ଥମନ୍ତ୍ରୀ କହିଛନ୍ତି ।

ପ୍ରକୃତିର କୋପରେ ତ୍ରସ୍ତ ପାକିସ୍ତାନ ବନ୍ୟା ପାଣିରେ ବୁଡ଼ିଛି ଦେଶର ଏକ ତୃତୀୟାଂଶ ଅଞ୍ଚଳ ୧୧ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ପ୍ରାୟ ସାଢ଼େ ୩ କୋଟି ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଖାଦ୍ୟ ଓ ପିଇବା ପାଇଁ ହାହାକାର ଖେଳି ଯାଇଥିବା ବେଳେ ଖୋଲା ରାଜପଥ ପାଲଟିଛି ଆଶ୍ରୟସ୍ଥଳ ସ୍ଥଳ । ବାୟୁସେନା ସମେତ ପାକିସ୍ତାନ ନୌସେନାକୁ ବି ରିଲିଫ୍ ଓ ଉଦ୍ଧାର କାମରେ ନିୟୋଜିତ କରାଯାଇଛି । ଦେଶର ଆର୍ଥିକ ସଂକଟ ଉତ୍କଟ ସ୍ଥିତିରେ ଥିବା ବେଳେ ବନ୍ୟାର ତାଣ୍ଡବ ପାକିସ୍ତାନବାସୀଙ୍କୁ ଅକଥନୀୟ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି ।

ପ୍ରଳୟଙ୍କରୀ ବନ୍ୟା ଗ୍ରାସ କରିଛି ସମଗ୍ର ପାକିସ୍ତାନକୁ । ପଞ୍ଜାବ ଓ ସିନ୍ଧ୍ ପ୍ରଦେଶର ଦକ୍ଷିଣାଞ୍ଚଳ, ଖାଇବର ପଖତୁନଖବା, ବଲୁଚିସ୍ତାନ ଏବଂ ଗିଲଗିଟ୍ ବଲ୍ଟିସ୍ତାନ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଦେଶର ଏକ ତୃତୀୟାଂଶ ଅଞ୍ଚଳ ପାଣିରେ ବୁଡି ରହିଥିବା କହିଛନ୍ତି ପାକିସ୍ତାନର ପରିବେଶ ମନ୍ତ୍ରୀ ସେରୀ ରେହମାନ୍ । ଦେଶର ୧୫୦ ଜିଲ୍ଲା ମଧ୍ୟରୁ ୧୧୦ ଜିଲ୍ଲାରେ ସ୍ଥିତି ଅତି ସଂଗୀନ ବନ୍ୟା ଯୋଗୁଁ ୧୧ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ତେବେ ଉଦବେଗର ବିଷୟ ହେଉଛି ଏମାନଙ୍କର ଏକ ତୃତୀୟାଂଶ ହେଉଛନ୍ତି ଛୋଟପିଲା । ସେହିପରି ପ୍ରାୟ ୨ ହଜାର ଲୋକ ଆହତ ହୋଇଛନ୍ତି । ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।

  ବନ୍ୟାରେ ଖାଇବର ପଖତୁନଖବା ପ୍ରଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠିକାର ଚର୍ସଦା ଜିଲ୍ଲାର ପ୍ରାୟ ୨ ଲକ୍ଷ ଏବଂ ନୌସେରାର ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ଅଧିକାଂଶ ଲୋକ ଇସଲାମାବାଦ୍-ପେଶାଓ୍ୱର ରାଜପଥରେ ଆଶ୍ରୟ ନେଇଛନ୍ତି । ସମଗ୍ର ପାକିସ୍ତାନରେ ୧୦ ଲକ୍ଷରୁ ଅଧିକ ଘର ବନ୍ୟା ପାଣିରେ ଧୋଇ ଯାଇଛି । ତେଣୁ ଖୋଲା ଆକାଶ ତଳେ ଦିନ କାଟିବା ବ୍ୟତୀତ ଲୋକଙ୍କ ପାଖରେ ଚାରା ନାହିଁ ।