Advertisment

World AIDS Day: କେଉଁଠୁ ଆସିଲା ଏଚ୍.ଆଇ.ଭି ଭାଇରସ୍, ଜାଣନ୍ତୁ କ’ଣ କୁହେ ଇତିହାସ...

ଆଜି ବିଶ୍ୱ ଏଡସ୍ ଦିବସ। ଏହିଦିନ ଏଡ୍ସ୍ ସଚେତନତା ଏବଂ ଏହାକୁ ପ୍ରତିରୋଧ କରିବା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଏ। ତେବେ ଆସନ୍ତୁ ଆଜିର ଦିନରେ ଏଡସ୍ ଦିବସର ଇତିହାସ, ଗୁରୁତ୍ୱ ଏବଂ ଚଳିତ ବର୍ଷର ଥିମ୍ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
World Aids Day 2022

World Aids Day 2022 theme history significance and importance

ଏଚ୍.ଆଇ.ଭି / ଏଡ୍‌ସ୍ ଏକ ମାରାତ୍ମକ ରୋଗ ହୋଇଯାଇଛି, ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଉପଶମ ବାହାରି ନାହିଁ। ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତି ଜୀବନ ସହ ଯୁଦ୍ଧ କରନ୍ତି। ତେବେ ଏହାକୁ ଏଡ଼ାଇବା ପାଇଁ ବିଶେଷଜ୍ଞମାନେ କିଛି ଉପାୟ ଦେଇଛନ୍ତି। ନିୟମିତ ଔଷଧ ସେବନ ଦ୍ୱାରା ଏହି ରୋଗର ଜଟିଳତାକୁ ହ୍ରାସ କରାଯାଇପାରେ।

Advertisment

ଏଡ୍‌ସ୍ ସଚେତନତା ଏବଂ ଏହାକୁ ପ୍ରତିରୋଧ କରିବା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି। ଲୋକେ ଏ ବିଷୟରେ ସବିଶେଷ ଜାଣିବା ସହ ଏହାର ଇତିହାସ ମଧ୍ୟ ଜାଣିବା ଜରୁରୀ। ତେବେ ଏଡ୍‌ସ୍ କେଉଁଠୁ ଆସିଲା? କେବେ, କିଏ ଓ କାହିଁକି ଏଡ୍‌ସ୍ ଦିବସ ପାଳନ କରିବା ଆରମ୍ଭ କଲେ? ଏସବୁ ଜାଣିବା ସହିତ ବିଶ୍ୱ ଏଡସ୍ ଦିବସର ଇତିହାସ, ଗୁରୁତ୍ୱ ଏବଂ ଚଳିତ ବର୍ଷର ଥିମ୍ କ’ଣ ଆସନ୍ତୁ ଜାଣିନେବା।

ଅଧିକ ପଢ଼ନ୍ତୁ: ଏଡ୍‌ସ୍ ବ୍ୟାପିବାର କାରଣ କ’ଣ ? ଏହାର ଲକ୍ଷଣ କ’ଣ ?

ଇତିହାସ:

ଏଚ୍.ଆଇ.ଭିର ଉତ୍ପତି ପଶୁମାନଙ୍କଠାରେ ହୋଇଥିଲା। ସୂଚନା ଅନୁଯାୟୀ, ଊନବିଂଶ ଶତାବ୍ଦୀରେ ଆଫ୍ରିକାର ଏକ ସ୍ୱତନ୍ତ୍ର ପ୍ରଜାତିର ମାଙ୍କଡ଼ ଠାରେ ଏଡ୍‌ସ୍ ଭୂତାଣୁ ପ୍ରଥମେ ମିଳିଥିଲା। ଏହି ରୋଗ ମାଙ୍କଡରୁ ମଣିଷକୁ ବ୍ୟାପିଗଲା। ଆଫ୍ରିକାରେ ମଣିଷମାନେ ମାଙ୍କଡ଼ ଖାଉଥିଲେ। ଏଭଳି ପରିସ୍ଥିତିରେ ଭୂତାଣୁ ମଣିଷଙ୍କ ନିକଟରେ ପହଞ୍ଚିଥିବାର ବିଶ୍ୱାସ କରାଯାଉଥିଲା।

Advertisment

ମିଳିଥିବା ସୂଚନା ଅନୁଯାୟୀ, ୧୯୨୦ରେ ଆଫ୍ରିକାର କଙ୍ଗୋରେ ଏଚ୍.ଆଇ.ଭି ସଂକ୍ରମଣ ବ୍ୟାପିଗଲା। ୧୯୫୯ ମସିହାରେ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନାରେ ପ୍ରଥମ ଏଚ୍.ଆଇ.ଭି ଜୀବାଣୁ ଚିହ୍ନଟ ହୋଇଥିଲା। ଏହି ସଂକ୍ରମିତ ବ୍ୟକ୍ତି ଏଚ୍.ଆଇ.ଭିର ପ୍ରଥମ ରୋଗୀ ଭାବରେ ବିବେଚନା କରାଯାଏ।

ମହାମାରୀ ଉପରେ ନିୟନ୍ତ୍ରଣ ନେଇ ଅଗଷ୍ଟ ୧୯୮୮ରେ ଜେମ୍ସ ଡବ୍ଲୁ ବନ୍ ଏବଂ ଥୋମାସ୍ ନେଟର୍‌ଙ୍କ ଦ୍ୱାରା ବିଶ୍ୱ ଏଡ୍‌ସ୍ ଦିବସ ପ୍ରଥମେ ନାମିତ ହୋଇଥିଲା। ଉଭୟ ଜେମ୍ସ ଓ ଏବଂ ଥୋମାସ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏଡ୍‌ସ୍ ଗ୍ଲୋବାଲ୍ ପ୍ରୋଗ୍ରାମ୍ ପାଇଁ ଜନ ସୂଚନା ଅଧିକାରୀ ଥିଲେ।

ଏହି ଦିନ ପାଳନ ପାଇଁ ସେମାନେ ଏହି ଚିନ୍ତାକୁ ଏଡ୍‌ସ୍ ଗ୍ଲୋବାଲ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ଡକ୍ଟର ଜୋନାଥନ୍ ମାନ୍‌ଙ୍କୁ ଜଣେଇଥିଲେ। ସେ ଡିସେମ୍ବର ୧ ପାଇଁ ଏହାକୁ ଅନୁମୋଦନ କରିଥିଲେ। ୧୯୯୦ ଦଶକରୁ ଅନୁସନ୍ଧାନ ଏବଂ ଚିକିତ୍ସା ବ୍ୟବସ୍ଥା ଏଚ୍.ଆଇ.ଭି ପାଇଁ ଯଥେଷ୍ଟ ଉନ୍ନତି ଆଣିଛି।

ଏଡ୍‌ସର ପୁରୁଣା ନାମ:

୧୯୮୧ ରେ ଲସ୍‌ ଏଞ୍ଜେଲ୍ସରେ ପ୍ରଥମେ ଏଡସ୍ ଚିହ୍ନଟ ହୋଇଥିଲା। ଜଣେ ଡାକ୍ତର ୫ ଜଣ ରୋଗୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ନିମୋନିଆ ଚିହ୍ନଟ କରିଥିଲେ। ଏହି ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ହଠାତ୍ ଦୁର୍ବଳ ହୋଇଯାଇଥିଲା। ସମସ୍ତ ୫ ଜଣ ରୋଗୀ ସମଲିଙ୍ଗୀ ଥିଲେ। ସେଥିପାଇଁ ଡାକ୍ତରମାନେ ଭାବିଥିଲେ ଯେ ଏହି ରୋଗ କେବଳ ସମଲିଙ୍ଗୀଙ୍କ ସମ୍ପର୍କରେ ହୋଇଥାଏ।

ତେଣୁ ଏହି ରୋଗର ନାମ ହେଲା 'ଗେ ରିଲେଟେଡ୍ ଇମ୍ୟୁନ୍ ଡେଫିସିଏନ୍ସି' (GRID) ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଭୂତାଣୁ ଅନ୍ୟ ଲୋକଙ୍କଠାରେ ମଧ୍ୟ ମିଳିଥିଲା, ତା’ପରେ ୧୯୮୨ ମସିହାରେ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରରେ ଏହି ରୋଗର ନାମ ଏଡ୍‌ସ୍ ହୋଇଥିଲା।

ବିଶ୍ୱ ଏଡସ୍ ଦିବସ କେବେ ଓ କାହିଁକି ପାଳନ କରାଯାଏ:

ପ୍ରଥମ ଥର ପାଇଁ ୧୯୮୮ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ଏଡସ୍ ଦିବସ ପାଳନ କଲା। ପ୍ରତିବର୍ଷ ଡିସେମ୍ବର ୧ରେ ଏଡ୍‌ସ୍ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସମସ୍ତ ବୟସ ଏବଂ ଶ୍ରେଣୀର ଲୋକଙ୍କୁ ଏଡ୍‌ସ୍ ବିଷୟରେ ଅବଗତ କରାଇବା।

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ ବିଶ୍ୱ ଏଡ୍‌ସ୍ ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ପାଳନ କରାଯାଏ। ଏନେଇ ଚଳିର ବର୍ଷର ବିଷୟବସ୍ତୁ ହେଉଛି 'ସମାନତା'(Equalize)। ଏହାର ଅର୍ଥ ହେଉଛି ସମାଜରେ ବ୍ୟାପିଥିବା ଅସମାନତାକୁ ଦୂରକରି ଏଡ୍‌ସ୍‌କୁ ମୂଳରୁ ହଟାଇବା ପାଇଁ ପଦକ୍ଷେପ ନେବା।

World AIDS Day HIV AIDS
Advertisment
Advertisment