Advertisment

Olasuni Mela: ବଂଶୀସ୍ୱର ଶୁଣି ଏଇ ପାହାଡ଼ରେ ପଥର ପାଲଟି ଯାଇଥିଲେ ଦେବୀ ଚଣ୍ଡୀ

ଓଳାଶୁଣୀ ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗାଁ ନିକଟରେ ଅବସ୍ଥିତ। ଏହାର ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼, ଯେଉଁଠି ଅଛି ପୁରାଣପ୍ରସିଦ୍ଧ ଗୋକର୍ଣ୍ଣ ବଟ। ଯେଉଁ ବୃକ୍ଷର ପତ୍ରଗୁଡିକର ଗୋଟିଏ ପଟେ ଅଶ୍ୱତ୍‌ଥ ଓ ଅନ୍ୟ ପଟେ ବରପତ୍ର। ଦକ୍ଷିଣ ଦିଗରେ ଅଛି ଗୋବରୀ ନଦୀ। ପଶ୍ଚିମ ପଟେ ଶୁଖୁଆପୋଡ଼ା ଗାଁ। ଉତ୍ତର ଦିଗରେ ଲଳିତଗିରି ପାହାଡ଼।

author-image
Sarojini Sankhua
ଅଦ୍ୟତନ ହୋଇଛି
When is the Olasuni Mela celebrated

When is the Olasuni Mela celebrated

ଓଳାଶୁଣୀ ମେଳା କେବେ ପାଳନ ହୁଏ?

ଓଡ଼ିଶାର ଯେତେଗୁଡ଼ିଏ ଗୁମ୍ଫାକ୍ଷେତ୍ର ଦେଖାଦିଏ, ସେଥିମଧ୍ୟରୁ ଓଳାଶୁଣି ଗୁମ୍ଫାକ୍ଷେତ୍ର ଅନ୍ୟତମ। ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଓଳାଶୁଣୀ ଦେବୀ। ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ। ଓଳାଶୁଣୀ ଗୁମ୍ଫାରେ ମାଘ କୃଷ୍ଣପକ୍ଷ ଏକାଦଶୀରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ।

Advertisment

କେଉଁଠି ଅଛି ଓଳାଶୁଣୀ ଗୁମ୍ଫା?

ଓଳାଶୁଣୀ ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗାଁ ନିକଟରେ ଅବସ୍ଥିତ। ଏହାର ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼, ଯେଉଁଠି ଅଛି ପୁରାଣପ୍ରସିଦ୍ଧ ଗୋକର୍ଣ୍ଣ ବଟ। ଯେଉଁ ବୃକ୍ଷର ପତ୍ରଗୁଡିକର ଗୋଟିଏ ପଟେ ଅଶ୍ୱତ୍‌ଥ ଓ ଅନ୍ୟ ପଟେ ବରପତ୍ର। ଦକ୍ଷିଣ ଦିଗରେ ଅଛି ଗୋବରୀ ନଦୀ। ପଶ୍ଚିମ ପଟେ ଶୁଖୁଆପୋଡ଼ା ଗାଁ। ଉତ୍ତର ଦିଗରେ ଲଳିତଗିରି ପାହାଡ଼। ପୂର୍ବଦିଗରେ ଅବସ୍ଥିତ ଗାଙ୍ଗୀ ପାହାଡ଼। ଏହାର ପୂର୍ବ– ଦକ୍ଷିଣ କୋଣର ଅନତି ଦୂରରେ ରହିଛି ପୁରାଣପ୍ରସିଦ୍ଧ ପଞ୍ଚୁପାଣ୍ଡବଙ୍କର ମନ୍ଦିର। ଏହି ଓଳାଶୁଣୀର ଆଖପାଖରେ ରତ୍ନଗିରି, କୋଲଣଗିରି, ବ୍ରଜଗିରି ଇତ୍ୟାଦି ବୌଦ୍ଧପୀଠ ଅବସ୍ଥିତ।

ଓଳାଶୁଣୀରେ ମେଳା କାହିଁକି ହୁଏ?

କୁହାଯାଏ ସନ୍ନ୍ୟାସୀ ଅରକ୍ଷିତ ଦାସ ସମଗ୍ର ଜୀବନକୁ ଅରକ୍ଷିତ ଭାବେ ଭାବେ ବିତାଇବା ପରେ ଶେଷ ଜୀବନ ଓଳାଶୁଣୀ ପାହାଡ଼ ଉପରେ କଟାଇ ୧୮୩୭ ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ ସମାଧିସ୍ଥ ହୋଇଥିଲେ। ତାଙ୍କର ଶ୍ରାଦ୍ଧ ଦିବସକୁ ଏହି ଓଳାଶୁଣୀ ଗୁମ୍ଫାରେ ମେଳା ଉତ୍ସବ ରୂପେ ପାଳନ କରାଯାଏ।

Advertisment

କିଏ ଏହି ସନ୍ନ୍ୟାସୀ ଅରକ୍ଷିତ ଦାସ?

ଅରକ୍ଷିତ ଦାସ ଗଞ୍ଜାମ ଜିଲ୍ଲା ବଡ଼ଖେମଣ୍ଡିର ବିଜୟନଗରରେ ଆନୁମାନିକ ୧୭୮୦ ଠାରୁ ୧୭୮୮ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ, ତାଙ୍କର ପୂର୍ବନାମ ଥିଲା ବଳଭଦ୍ର ଦେବ। ତାଙ୍କର ପିତା ଥିଲେ ବଡ଼ଖେମଣ୍ଡି ରାଜ୍ୟର ପ୍ରଜାବତ୍ସଳ ରାଜା ପଦ୍ମନାଭ ଦେବ। ପିତାଙ୍କ ମୃତ୍ୟୁ ପରେ ରାଜସିଂହାସନର ଦାବିଦାର ହୋଇଥିଲେ ମଧ୍ୟ ସେ ୧୮ ବର୍ଷ ବୟସରେ ଐଶ୍ୱର୍ଯ୍ୟର ମୋହକୁ ଛାଡ଼ି ପରଂବ୍ରହ୍ମଙ୍କ ପରମତତ୍ତ୍ୱ ଅନ୍ୱେଷଣରେ ରାଜପ୍ରାସାଦ ଛାଡ଼ି ଯୁବକ ଅବସ୍ଥାରେ ସନ୍ନ୍ୟାସ ଧର୍ମ ଗ୍ରହଣ କରିଥିଲେ।

କିମ୍ବଦନ୍ତୀରେ ଓଳାଶୁଣୀ ଦେବୀ

କିମ୍ବଦନ୍ତୀ କୁହେ ଓଳାଶୁଣୀ ପାହାଡ଼ରେ ଓଳାଶୁଣୀ ନାମକ ଚଣ୍ଡୀ ଦେବୀ ରହୁଥିଲେ। ସନ୍ନ୍ୟାସୀ ଅରକ୍ଷିତ ଦାସ ବୃନ୍ଦାବନରୁ ମୋହନ ବଂଶୀ ଆଣି ଓଳାଶୁଣୀ ପାହାଡ଼ ତଳେ ବସି ବଜାଇବା ପରେ ସେଠାରେ ଏକ ସଙ୍ଗୀତମୟ ପରିବେଶ ସୃଷ୍ଟି ହୋଇଥିଲା। ପାହାଡ଼ରେ ରହୁଥିବା ମାଆ ଚଣ୍ଡୀ ମଧ୍ୟ ସେହି ବଂଶୀସ୍ୱର ଶୁଣି ପାରି ଅଭିଭୂତ ହୋଇ ଯାଇଥିଲେ। କିମ୍ବଦନ୍ତୀ ଅନୁଯାୟୀ, ଚଣ୍ଡୀ ଯେଉଁଦିନ ଏହି ବଂଶୀସ୍ୱର ଶୁଣିବେ ସେଦିନ ତାଙ୍କର ସବୁ ଶକ୍ତି ଲୋପ ପାଇଯିବ ଓ ସେ ପଥର ପାଲଟି ଯିବେ। ତାହା ହିଁ ହେଲା। ଦେବୀ ଚଣ୍ଡୀ, ସନ୍ଥ ଅରକ୍ଷିତ ଦାସଙ୍କୁ ପାହାଡ଼ର ସମସ୍ତ ଦାୟିତ୍ଵ ଦେଇ, ପାହାଡ଼ ତଳେ ପଥର ମୂର୍ତ୍ତି ପାଲଟିଗଲେ ଓ ଜଗୁଆଳି ହୋଇ ପାହାଡ଼କୁ ଜଗି ରହିଲେ।

ଓଳାଶୁଣୀରେ କେଶ ଯାତ୍ରା କଣ?

ଓଳାଶୁଣୀ ଯାତ୍ରାର ପୂର୍ବ ଦିନ ବା ଦଶମୀ ତିଥିରେ ଏଠାରେ କେଶ ଯାତ୍ରା ଅନୁଷ୍ଠିତ ହୁଏ। କେଶ ଯାତ୍ରା ପରେ ଓଳାଶୁଣୀ ମେଳା ଆରମ୍ଭ ହୁଏ। ଅରକ୍ଷିତ ଦାସ ଲଳିତଗିରିର କଳ୍ପତରୁ ମହାରଣାଙ୍କ ପୂର୍ବପୁରୁଷଙ୍କ ଘରକୁ ଯାଉଥିଲେ। ସେଠି ଅମ୍ବି ମହାରଣା ଜଣେ ବୃଦ୍ଧା ତାଙ୍କ କେଶ କୁଣ୍ଡାଇ ଦେବାବେଳେ ମହାପୁରୁଷଙ୍କ ଗୋଟିଏ କେଶ ଝଡ଼ି ପଡ଼ିଥିଲା। ସେ କେଶଟିକୁ ଅମ୍ବି ଲୁଚାଇ ଦେଇଥିଲେ। ଏହାକୁ ଦେଖି ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ପ୍ରଶ୍ନ କରିଥିଲେ, ତୁ ଯାହାକୁ ଲୁଚାଇ ରଖିଲୁ ତାକୁ ସମ୍ଭାଳିପାରିବୁ ତ, ବୋଲି ପ୍ରଶ୍ନ କରିଥିଲେ। ସେଥିରେ ସେ ମହାପୁରୁଷଙ୍କ ଅନୁମତି ମାଗିଥିଲେ। ସେହି କେଶଟିକୁ ରଖିବାକୁ ସନ୍ଥ ଅନୁମତି ଦେଇଥିଲେ। ଏହା ପରେ କେଶଟିକୁ ଅମ୍ବି ଏକ ଫରୁଆ ଭିତରେ ସାଇତି ରଖିବା ସହ ପୂଜା କରୁଥିଲେ। ଧୀରେ ଧୀରେ ଝଡ଼ିପଡ଼ିଥିବା ଗୋଟିଏ କେଶ ଏବେ ଜଟାରେ ପରିଣତ ହେଲାଣି। ସେଦିନଠାରୁ ଫରୁଆ ମଧ୍ୟରେ ରହିଥିବା କେଶକୁ ପୂଜା କରାଯାଏ। ଧୀରେ ଧୀରେ ସେହି କେଶର ବୃଦ୍ଧି ଘଟୁଥିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। ତେବେ ପରମ୍ପରା ଅନୁଯାୟୀ ଫରୁଆ ମଧ୍ୟରେ ରହିଥିବା କେଶ ଦଶମୀ ତିଥିରେ ଓଳାଶୁଣୀ ପାହାଡ଼ର ଶୀର୍ଷ ଦେଶରେ ଥିବା ମହାପୁରଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠକୁ ଯିବା ପରେ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳାର ପ୍ରକ୍ରିିୟା ଆରମ୍ଭ ହୋଇଥାଏ, ଯାହାକୁ କେଶ ଯାତ୍ରା ବୋଲି କୁହାଯାଏ।

ଓଳାଶୁଣୀ ପୀଠର ଅନ୍ୟ ବିଶେଷତ୍ଵ

ଏହି ପୀଠରେ ଜଗନ୍ନାଥଙ୍କ ମୂର୍ତ୍ତି ପୂଜା ହୁଏ। ରାଧାକୃଷ୍ଣଙ୍କର ବିଗ୍ରହ ଓ ସାଧନାସିଦ୍ଧ ସାତଟି ମହାପୁରୁଷଙ୍କର ସମାଧି ମନ୍ଦିର ଏବେ ବି ପୂଜାପାଇ ଆସୁଛି। ଆହୁରି ମଧ୍ୟ ମହାବୀର, ଗଣେଶ ଓ କେତୋଟି ଶାଳଗ୍ରାମ ବିଗ୍ରହ ପୂଜିତ ହେଉଛନ୍ତି। ଏହି ପାହାଡ଼ର ପ୍ରାଚୀନ ବଡ଼ ଗୁମ୍ଫାଟି କେବେ କାହାଦ୍ୱାରା ନିର୍ମାଣ କରାଯାଇଥିଲା ତାହାର କୌଣସି କିମ୍ବଦନ୍ତୀ କିମ୍ବା ଇତିହାସ ଏ ପର୍ଯ୍ୟନ୍ତ ମିଳିନାହିଁ। ତେବେ ଏଥିରେ କୌଣସି ବୌଦ୍ଧଶ୍ରମଣ ନିତେଇ ଧୋବଣୀ କିମ୍ବା ପତ୍ର ସଉରୁଣୀ ଆଦି ତନ୍ତ୍ରାଚାରୀଙ୍କର ସଙ୍କେତ ଦେଖିବାକୁ ମିଳେ। ଏଠାରେ ମହାପୁରୁଷଙ୍କ ସମୟରୁ କୃପାମହୌଷଧି ରୂପେ କାଞ୍ଜିପାଣି ଏପର୍ଯ୍ୟନ୍ତ ରହି ଆସିଅଛି। ପେଟ ଓ ଅନ୍ୟାନ୍ୟ ରୋଗ ପାଇଁ ଲୋକମାନେ ଏହାକୁ ବ୍ୟବହାରକରି ରୋଗମୁକ୍ତ ହେଉଛନ୍ତି। ଏହା ମଧ୍ୟ ଗୋମହିଷାଦିଙ୍କୁ ଆରୋଗ୍ୟ କରିବାରେ ସୁଖ୍ୟାତି ଅର୍ଜନ କରିଛି।

Advertisment
Advertisment