• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କାମାକ୍ଷାନଗର: ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁକୁ ୫ ଦିନ ରିମାଣ୍ଡରେ ନେଇ ଜେରା କରୁଛି ପୋଲିସ୍। ତାର କଳା କାରନାମାର ଅଧିକ ଗୁମର ଖୋଲିବାକୁ ଏକ ସ୍ପେଶାଲ୍ ଟିମ୍ ଗୁଡ଼େଇ ତୁଡ଼େଇ ପଚରାଉଚରା କରୁଛି। ବହୁ ବିବାହ, ଠକେଇ ସାଙ୍ଗକୁ ଅଙ୍ଗ ତସ୍କରି ଓ ଭୁଲ ଚିକିତ୍ସା ଭଳି ସଂଗୀନ ଅଭିଯୋଗ ଆସିଛି। ଏହି ନକଲି ଡାକ୍ତର ବିରୋଧରେ ବିଭିନ୍ନ ରାଜ୍ୟକୁ ତାର ଅପରାଧର ଚେର ଲମ୍ବିଥିବାରୁ ଏସବୁର ଗୁମର ଖୋଲିବା ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ୍ ହୋଇଛି।

ଖୋଲିବ ନକଲି ଡାକ୍ତର ରମେଶଚନ୍ଦ୍ର ସ୍ୱାଇଁର ସବୁ କେଳେଙ୍କାରୀର ଗୁମର ! ବିବାହକୁ ବିଜନେସ୍ କରି ଥିବା ରସିକ ନାଗରର ହେବ ପର୍ଦ୍ଦାଫାସ। ପଦାକୁ ଆସିବ ଏମବିବିଏସ୍ ନାମଲେଖା ଠକେଇ, ଅଙ୍ଗତସ୍କରୀ ଅଭିଯୋଗର ସତ। ୧୮ ପତ୍ନୀଙ୍କ ସ୍ୱାମୀ ସାଜିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ଏବେ ପୋଲିସ ରିମାଣ୍ଡରେ  ୫ ଦିନ ପାଇଁ ରିମାଣ୍ଡରେ ଆଣିବା ପରେ ତାକୁ କରାଯାଉଛି ମାରାଥନ ଜେରା। ମହିଳା ଥାନା, ସାଇବର ପୋଲିସ, ଆଣ୍ଟି ଫ୍ରଡ୍ ସେଲ୍‌ର ଅଫିସରଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ରମେଶକୁ ଜେରା କରୁଛି।

ରମେଶ ବିରୋଧରେ ଆଗରୁ ୨ଟି ମାମଲା ଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ୯ଟି ଠକେଇ ମାମଲା। ସେ ବାହା ହୋଇଥିବା ଜଣେ ମହିଳାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡରୁ ୨୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଢେଙ୍କାନାଳ କାମାକ୍ଷାନଗରରେ ଏକ କ୍ଲିନିକ କରି ଚିକିତ୍ସା ନାଁରେ ଅଙ୍ଗ ତସ୍କରି କରିଥିବାର ସାଂଘାତିକ ଅଭିଯୋଗ ଆସିଛି।  

ପ୍ରଶ୍ନ ଉଠୁଛି ରମେଶ ସ୍ୱାଇଁ କଣ ଏକା ଏକା ଏତେ କାଣ୍ଡ କରିଛି? ଏତେ ସବୁ ସଂଗୀନ ଅପରାଧ ପଛରେ କଣ କେବଳ ତାର ମୁଣ୍ଡ ଥିଲା ନାଁ ଏହା ପଛରେ ଆଉ କେହି ତାକୁ ସହଯୋଗ କରୁଥିଲେ? ଠକେଇର ଶିକାର ହୋଇଥିବା ରମେଶର ୧୮ ଜଣ ପତ୍ନୀଙ୍କ ମଧ୍ୟରୁ ଜଣେ ଅଭିଯୋଗ କରିଛନ୍ତି ଯେ, ରମେଶର ଏହି କଳା କାରନାମାରେ ସାହାଯ୍ୟ କରୁଥିଲେ ତାର ଆଉ ଜଣେ ପତ୍ନୀ, ଭିଣୋଇ ଓ ଡ୍ରାଇଭର।

ସେପଟେ ଚାରିଶ ବିଶ୍ ଡାକ୍ତର ରମେଶର ୩୦ ବର୍ଷର କ୍ରାଇମ୍ ଫାଇଲ ଘାଣ୍ଟୁଛି ପୋଲିସ୍। ପ୍ରକୃତରେ କେତେ ଜଣ ମହିଳାଙ୍କୁ ବାହା ହୋଇଛି, ସେମାନଙ୍କଠାରୁ ଠକି ନେଇଥିବା ଟଙ୍କା ଓ ଅଳଙ୍କାର କେଉଁଠି ଅଛି, ତାର ମଧ୍ୟ ଖୋଳତାଡ଼ ହେବ। ବାହାର ରାଜ୍ୟକୁ ମଧ୍ୟ ତାର କଳା କାରନାମାର ଚେର ଲମ୍ବିଥିବାରୁ ସେହି ସବୁ ସ୍ଥାନକୁ ଯାଇ ଛାନଭିନ୍ କରିବ କମିଶନରେଟ ପୋଲିସ୍।

ରିପୋର୍ଟ: ବିଦ୍ୟାଧର ବରାଳ ଏବଂ ଆଲୋକ ମହାନ୍ତି