ଖୋର୍ଦ୍ଧା, ପୁରୀ, କଟକ ଅବା କେନ୍ଦ୍ରାପଡ଼ା... ଗାଁ ଯେଉଁଠି ବି ଥାଉ, ଯେଉଁ ନଈ କୂଳ ଲଂଘିଥାଉ... ରାତିର କିଟି କିଟି ଅନ୍ଧାରରେ ସବୁ ବନ୍ୟାଞ୍ଚଳର ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସବୁ ବିପନ୍ନଙ୍କ ସମାନ ଦୁର୍ଦ୍ଦଶା। ସଞ୍ଜ ନଇଁଲେ ବଢ଼ି ପାଣିକୁ ଗିଳି ଚଉଦିଗରୁ ମାଡ଼ି ମାଡ଼ି ଆସେ ଘନ ଅନ୍ଧାରର ବନ୍ୟା ଆଉ ଦିନସାରା ସାହାଯ୍ୟ ଟିକେ ପାଇବା ଆଶାରେ ଏଣେ ତେଣେ ଧାଁଦୌଡ଼ କରୁଥିବା ବାସହରା ମଣିଷମାନେ, ପଶିଯାଆନ୍ତି ଏଇ ମିଞ୍ଜି ମିଞ୍ଜି ଡିବି ଜଳୁଥିବା ଜରିପାଲ ଭିତରକୁ। କିଏ ଭାତ ଟିକେ ଫୁଟାଏ, ଆଉ କିଏ ପିଲାଙ୍କ ମୁହଁରେ ଶୁଖିଲା ଚୁଡ଼ାମୁଢ଼ି ଟିକେ ଦେଇ, ନିଜେ ଭୋକକୁ ଗିଳି ଶୋଇଯାଏ।
ଘରଦ୍ୱାର ବଢ଼ିପାଣିରେ ବତୁରା ବିସ୍କୁଟ୍ ପାଲଟିବା ପରେ, ୪-୫ ଦିନ ହେଲା ଅନେକ ବିପନ୍ନ ପରିବାରର ଏଇ ଦୟନୀୟ ଅବସ୍ଥା। କିଏ ଉଚ୍ଚା ଜାଗା, ତ ଆଉ କିଏ ନଦୀବନ୍ଧ ନହେଲେ ମୁଖ୍ୟ ସଡ଼କ ଉପରକୁ ଆସି ପାଲ ଟାଣି ରାତି କାଟୁଛନ୍ତି। ସେଇଠି ଗୋରୁଗାଈ, ସେଇଠି ମଣିଷ। କଟକ ବାଙ୍କୀ ଅଞ୍ଚଳର ଏକ ବୁଢ଼ୀ ମାଉସୀର ୩ ଦିନ ହେଲା ଜ୍ୱର ଛାଡ଼ୁନି। ଜରିପାଲ କିଣିବା ପାଇଁ ବି ଅଣ୍ଟିରେ କଉଡ଼ି ନାହିଁ। ଭଡ଼ାରେ ପାଲ ଆଣିଥିବା ବେଳେ ମୂଲ ଲାଗି ଟଙ୍କା ଶୁଝିଦେବେ ବୋଲି ସେ କହିଛନ୍ତି।
ପୁରୀ ଜିଲ୍ଲା ଗୋପ ବ୍ଲକ୍ ଷୋଳପୁର ଗାଁର ଦୁର୍ଦ୍ଦଶା କହିଲେ ନ ସରେ। ଦାଣ୍ଡରେ ୩ ଫୁଟର ପାଣି, କାନ୍ଥ କେତେବେଳେ ଗଳିପଡ଼ିବ କହିବା ମୁସ୍କିଲ୍। ବିଳମ୍ବିତ ରାତିରେ ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଏଠାକାର ପରିବାର।
କିଛି ସ୍ଥାନରେ ବନ୍ୟାପାଣି କମୁଥିଲେ ବି, ବୋଝ ଉପରେ ନଳିତା ବିଡ଼ା ସାଜିଛି ଝିପିଝିପି ଲଘୁଚାପ ବର୍ଷା। ରାତିସାରା ଜନ୍ତୁଜୁନ୍ତାଙ୍କ ଡର ରହିଛି। ସେଥିପାଇଁ କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳର ପରିବାରରେ ଜଣେ ଶୋଇଲେ, ଜଣେ ଜଗି ବସୁଛନ୍ତି।
ଭୁବନେଶ୍ୱର ଉପକଣ୍ଠ ପ୍ରତାପ ଶାସନର ଅବସ୍ଥା ବି କହିଲେ ନ ସରେ। ଚାରିଆଡ଼େ ପାଣି, ହେଲେ ପିଇବା ପାଇଁ ନାହିଁ। ୨ କିଲୋମିଟର ଦୂରରୁ ପାଣି ଆଣି ରୋଷେଇ କରି ଖାଉଛନ୍ତି ଲୋକେ।
(ରିପୋର୍ଟ : ବାଙ୍କୀରୁ ସଞ୍ଜୀପ ନାୟକ, କୋଣାର୍କରୁ ସଞ୍ଜୟ ପତି, କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ ଏବଂ ଭୁବନେଶ୍ୱରରୁ ଅତୁଲ୍ୟ ବାଉତ)