ଭାରତବର୍ଷରେ ଯେଉଁ ସମୟରେ ମହାପୁରୁଷ ଚୈତନ୍ୟଙ୍କର ଆବିର୍ଭାବ ହୋଇଥିଲା (ଖ୍ରୀ. ୧୪୮୬-୧୫୨୭), ସେହି ସମୟରେ(ଖ୍ରୀ. ୧୪୬୯-୧୫୩୯) ପଶ୍ଚିମ ଭାଗରେ ଧର୍ମରକ୍ଷା ନିମନ୍ତେ ମହାପୁରୁଷ ନାନକଙ୍କର ଆବିର୍ଭାବ ହୋଇଥିଲା। ଅତଏବ ବୈଷ୍ଣବଗୁରୁ ‘ଚୈତନ୍ୟ ଦେବ’ ଓ ଶିଖଗୁରୁ ‘ନାନକ’ ସମସାମୟିକ ଥିଲେ।
ଗୁରୁ ନାନକ ହିନ୍ଦୁ-ମୁସଲମାନ ଉଭୟ ସଂପ୍ରଦାୟର ସମନ୍ୱୟ ଆଣିଥିଲେ। ଉଭୟ ସଂପ୍ରଦାୟ ଉପରେ ନାନକଙ୍କ ଉପଦେଶର ପ୍ରଭାବ ପଡ଼ିଛି। ଗୁରୁ ନାନକଙ୍କ ଉପଦେଶର ସାର ଥିଲା- “ଈଶ୍ୱର ଏକ” । ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟ ଏହି ଏକେଶ୍ୱରଙ୍କର ଉପାସକ, ମୂର୍ତ୍ତିପୂଜା ଓ ବହୁଦେବ ଉପାସନା ଅନାବଶ୍ୟକ।
ଗୁରୁ ନାନକଙ୍କ ଉପଦେଶ ଯେଉଁ ଗ୍ରନ୍ଥରେ ସଂଗୃହୀତ ହୋଇଛି ତାହାର ନାମ ‘ଗ୍ରନ୍ଥ ସାହେବ’। ଶିଖମାନଙ୍କର ମଠ ବା ଗୁରୁଦ୍ୱାର ସାହେବମାନଙ୍କରେ ‘ଗ୍ରନ୍ଥ ସାହେବ’ ସଂରକ୍ଷିତ। ପୂଜିତ ଓ ନିୟମିତ ପଠିତ ହୋଇଥାଏ। ମିଷ୍ଟର ମାକ୍ଲିଫ୍ ନାମକ ଜଣେ ଶିଖ୍ ଧର୍ମ ପ୍ରେମୀ ଏହାର ସାରକଥା ସ୍ୱରୂପ କହିଛନ୍ତି- ଶିଖ୍ ଧର୍ମରେ ପ୍ରତିମା ପୂଜା, କପଟାଚାର, ଜାତି ବା ବର୍ଣ୍ଣ ଭେଦ, ସତୀଦାହ, ବିଧବାର ଆଜୀବନ ବୈଧବ୍ୟ, ମାଦକଦ୍ରବ୍ୟ ସେବନ, ହିନ୍ଦୁମାନଙ୍କର ତୀର୍ଥଯାତ୍ରାକୁ ନିଷିଦ୍ଧ କରାଯିବା ସହିତ ପରୋପକାର ଆଚରଣ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି।
Also Read
ଜୀବନକାଳ ମଧ୍ୟରେ ସନ୍ଥ ନାନକ ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିଲେ। ନାନକ କୁରୁକ୍ଷେତ୍ର, ହରିଦ୍ୱାର, ଆସାମ, କାମରୂପ ଓ ସେଠାରୁ ବୋଇତରେ ପୁରୀ-କଟକ, ଲାହୋର ଓ ମକ୍କା, ମାନ୍ଦ୍ରାଜ୍, କାଶ୍ମିରୀ, ବୃନ୍ଦାବନ, ପେଶବାର, କାବୁଲ, ବାଗଦାଦ ଏପରି ବହୁ ସ୍ଥାନ ଭ୍ରମଣ କରିଥିଲେ।
ନାନକ ୧୫୦୮ ଖ୍ରୀଷ୍ଟାବ୍ଦରେ ଆସାମରୁ ଜାହାଜରେ ପୁରୀକୁ ଆସିଥିଲେ। ଖ୍ରୀ. ୧୫୦୮ରେ ଚୈତନ୍ୟ ମଧ୍ୟ ପୁରୀରେ ଥିଲେ। ପୁରୀରେ ଚୈତନ୍ୟଙ୍କ ସହ ନାନକଙ୍କର ସାକ୍ଷାତ, ଧର୍ମଚର୍ଚ୍ଚା ଓ କୀର୍ତ୍ତନ କରାଯାଇଥିବା କଥା ଈଶ୍ୱର ଦାସଙ୍କ ଓଡ଼ିଆ ଚୈତନ୍ୟ ଭାଗବତରେ ଅଛି।
ପୁରୀରେ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଆରତି ହେବା ସମୟରେ ନାନକ ପଣ୍ଡାମାନଙ୍କ ଦ୍ୱାରା ଅନୁରୁଦ୍ଧ ହୋଇ ଆରତି ଦେଖିଲେ ଓ ରୂପକ ଛନ୍ଦରେ ପ୍ରଭୁଙ୍କ ଆରତି ବର୍ଣ୍ଣନା କଲେ। ସେ କହିଲେ, “ପ୍ରଭୋ। ଗଗନ ଅଟେ ତୁମ୍ଭର ଆରତିର ଥାଳି। ରବି, ଚନ୍ଦ୍ର ତହିଁର ପ୍ରଦୀପ ଓ ତାରକାମଣ୍ଡଳୀ ସେ ଥାଳିରେ ମୋତି, ମଳୟ ପବନ ତୁମର ଧୂପ, ବାୟୁ ତୁମର ଚାମର, ବଣର ଫୁଲ ତୁମର ପୁଷ୍ପ, ଦେହ ମଧ୍ୟରେ ଥିବା ଷଟ୍ଚକ୍ରରୁ ଉଠୁଥିବା ଅଜପା ଗାୟତ୍ରୀ ଅନାହତ ଧ୍ୱନି ତୁମର ଭେରୀ। ଏହି ପ୍ରକାର ଆରତୀ ସଦା ପ୍ରଚଳିତ। ଏହା ହିଁ ପ୍ରଭୁଙ୍କର ପ୍ରକୃତ ଆରତୀ।”
ପୁରୀଠାରୁ ନାନକ କଟକ ଆସିଲେ ଏବଂ କଟକରେ ମହାନଦୀ ପାରିହେବା ପୂର୍ବରୁ ‘କାଳିଆବୋଦା’ଠାରେ ବିଶ୍ରାମ କରିଥିଲେ। କଟକରେ ସେ ସମୟ ହିନ୍ଦୁ ଶାସକମାନେ ନାନକଙ୍କ ଅସାଧାରଣ ବ୍ୟକ୍ତିତ୍ୱ କଥା ଶୁଣି ତାଙ୍କୁ ଦେଖିବାକୁ ଆସିଥିଲେ। ଏହାଦ୍ୱାରା ଶାସକ କର୍ତ୍ତାଙ୍କ ଧର୍ମଗୁରୁ ଚୈତନ୍ୟ ଭାରତୀ ଶାସକ ନିମନ୍ତେ ଖଣ୍ଡିଏ ସାହାଡ଼ା ଡାଳ ହାତରେ ଧରି କାଳିଆବୋଦାରେ ଆସି ପହଞ୍ଚିଲେ। ନାନକଙ୍କ ଅଲୌକିକ ଶକ୍ତିର ପ୍ରମାଣ ପାଇ ଲଜ୍ଜିତ ହୋଇ ସେଠାରୁ ଚାଲିଗଲେ। ସାହାଡ଼ା ଡାଳଟିକୁ କିନ୍ତୁ ସେଠାରେ ଛାଡ଼ିଦେଇଗଲେ।
ଭାରତୀ ଯିବାପରେ ନାନକ ସେଇ ସାହାଡ଼ା ଡାଳଖଣ୍ଡିକୁ ଧରି କହିଲେ, ତାଙ୍କ ଦାନ୍ତକାଠି ହେବାପାଇଁ ଏ ସାହାଡ଼ା ଡାଳଖଣ୍ଡି ପ୍ରଭୁ ଏଠାକୁ ଆଣିଥିଲେ। ଖଣ୍ଡେ ଡାଳ ଭାଙ୍ଗି ଦାନ୍ତକାଠି ଭାବରେ ବ୍ୟବହାର କଲେ। ଦାନ୍ତ ଘଷିସାରି ଦାନ୍ତକାଠିକୁ ସେଠାରେ ପୋତିଦେଲେ। ସେହି ଦାନ୍ତକାଠି ସେଠାରେ ଏକ ବୃହତ ସାହାଡ଼ା ଗଛ ଭାବରେ ଆବିର୍ଭୁତ ହୋଇଛି। ଏହାକୁ ଶିଖ୍ମାନେ ଦାନ୍ତନ୍ ସାହେବ ବା ସମ୍ମାନନୀୟ ଦାନ୍ତକାଠି କହନ୍ତି ଓ ଏଥିସହିତ ସଂଲଗ୍ନ ମଠକୁ ‘ଗୁରୁଦ୍ୱାର ଦାନ୍ତନ ସାହେବ’ କୁହାଯାଏ। ଏହା କଟକର କାଳିଆବୋଦାଠାରେ ଅବସ୍ଥିତ।
ହିନ୍ଦୁଧର୍ମର ଚାରିଧାମ ମଧ୍ୟରୁ ‘ପୁରୀ’ ଓ ‘ମୁସଲମାନମାନଙ୍କ ମକ୍କା ଯାଇ ସେଠାରେ ଏକେଶ୍ୱରବାଦ ପ୍ରଚାର କରିଥିଲେ। ହିନ୍ଦୁଧର୍ମରେ ପ୍ରଚଳିତ ବିଷ୍ଣୁସହସ୍ର ନାମର “ଯତଃ ସର୍ବାଣି ଭୂତାନି ଭବନ୍ତ୍ୟାଦି ଯୁଗାଗମେ ଯସ୍ମିଂଶ୍ଚ ପ୍ରଳୟଂ ଯାନ୍ତି ପୁନରେକ ଯୁଗକ୍ଷୟେ’ । ମୁସଲମାନମାନଙ୍କର ନମାଜରେ “ଆଲ୍ଲା ହୋ ଆକବର” “ଜଗତର ଆଲ୍ଲା ହିଁ ଏକମାତ୍ର ଈଶ୍ୱର” ପଦମାନ ତୁଳନା କଲେ ଦେଖାଯାଏ ଯେ, ନାନକଙ୍କ ପ୍ରବର୍ତ୍ତିତ ଧର୍ମନୀତି ହିନ୍ଦୁ-ମୁସଲମାନଙ୍କ ସମନ୍ୱୟର ମାଧ୍ୟମ ‘ଏକେଶ୍ୱରବାଦ’ ଛଡ଼ା ଅନ୍ୟ କିଛି ନୁହେଁ।
ଆଜି ଆମେ ନାନକଙ୍କର ଜୟନ୍ତୀ ପାଳନ ଅବସରରେ ତାଙ୍କ ଚିନ୍ତାଚେତନାକୁ ସ୍ମରଣ କରୁଛେ। ନାନକ ଯେଉଁ ଆଧ୍ୟାତ୍ମିକ ବୀଜ ବୁଣିଥିଲେ ତା’ର ଆଦର୍ଶ କେବଳ ଶିଖ ଜାତିକୁ ନୁହେଁ, ସମଗ୍ର ବିଶ୍ୱବାସୀଙ୍କୁ ଅନୁପ୍ରାଣିତ କରିଛି ଏହା ନିଃସନ୍ଦେହରେ ସ୍ୱୀକାର କରାଯାଇପାରେ।
ବିଜୟଲକ୍ଷ୍ମୀ ଦାଶ
(ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ)