ଆମେ ଯେପରି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥୀ, ପ୍ରଥମ ମହିଳା ସୋସିଆଲ ୱେଲଫେୟାର ବୋର୍ଡ଼ର ଅଧ୍ୟକ୍ଷା ଭାବେ ନରସିଂହପୁର ରାଜମାତା କନକ ମଞ୍ଜରୀ ଦେବୀ ଏବଂ ପ୍ରଥମ ଓଡିଆ ମହିଳା ରାଜ୍ୟପାଳ ଭାବେ ଦୌପଦୀ ମୁର୍ମୁଙ୍କ ପାଇଁ ଗୌରବ ଅନୁଭବ କରୁଛେ, ସେହିପରି ୧୯୫୨ ମସିହାରେ ମନ୍ତ୍ରୀପଦ ପାଇଥିବା ପ୍ରଥମ ମହିଳା ମନ୍ତ୍ରୀ ଭାବେ ବସନ୍ତ ମଞ୍ଜରୀଙ୍କ ପାଇଁ ଗୌରବ ଅନୁଭବ କରିବା କଥା। କିନ୍ତୁ ପୂଜ୍ୟପୂଜାର ବ୍ୟତିକ୍ରମ ଏବଂ ଦୁର୍ବଳ ଓଡିଆ ମାନସିକତା ହେତୁ ଆମେ ତାଙ୍କୁ ଯଥାର୍ଥ ସ୍ଥାନ ଦେଇପାରିନାହୁଁ।
ନୀଳଗିରି ରାଜଜେମା ବସନ୍ତ ମଞ୍ଜରୀ ରଣପୁର ଯୁବରାଜ ବିରଞ୍ଚି ନାରାୟଣଙ୍କୁ ବିବାହ କରିଥିଲେ। ବିଧିର ବିଡମ୍ବନା, ଯୁବରାଜଙ୍କ ଅକାଳ ବିୟୋଗ ଘଟିଲା। ଯକ୍ଷ୍ମା ରୋଗରେ ସ୍ୱାମୀଙ୍କ ବିୟୋଗ କାରଣରୁ ବସନ୍ତ ମଞ୍ଜରୀ ୩୮ବର୍ଷ ବୟସରେ ବିଧବା ହୋଇଗଲେ। ଏହାର ୩-୪ ବର୍ଷ ପରେ(୧୯୪୫ ମସିହା ଜୁନ୍ ୨୧ ତାରିଖରେ) ତାଙ୍କ ଶ୍ୱଶୁର ରାଜା କୃଷ୍ଣଚନ୍ଦ୍ର ସିଂହଦେଓ ବୀରବର ବଜ୍ରଧର ନରେନ୍ଦ୍ର ମହାପାତ୍ରଙ୍କର ପରଲୋକ ହେଲା। ଫଳରେ ବସନ୍ତ ମଞ୍ଜରୀଙ୍କର ଏକମାତ୍ର ପୁତ୍ର ବ୍ରଜେନ୍ଦ୍ର ଚନ୍ଦ୍ର ରାଜା ହେଲେ। ବ୍ରଜେନ୍ଦ୍ର ଚନ୍ଦ୍ର ନାବାଳକ ଥିବାରୁ ରାଜମାତା ବସନ୍ତ ମଞ୍ଜରୀ ରାଜ ପ୍ରତିନିଧି ଭାବରେ ରାଜକାର୍ଯ୍ୟ ପରିଚାଳନା କଲେ।
ରଣପୁର ଏକ କ୍ଷୁଦ୍ର ରାଜ୍ୟ ହେଲେ ମଧ୍ୟ ଏ ରାଜ୍ୟର ପ୍ରଜାମାନେ ସେମାନଙ୍କ କର୍ତ୍ତବ୍ୟ ଓ ଅଧିକାର ଉପରେ ଅଧିକ ସଚେତନ। ବିଶେଷତଃ ୧୯୩୮ ମସିହାରୁ ୧୯୪୫ ମସିହା ମଧ୍ୟରେ ରଣପୁରରେ ଭୟଙ୍କର ପ୍ରଜା ଆନ୍ଦୋଳନ, ପଲିଟିକାଲ୍ ଏଜେଣ୍ଟ ମେଜର ବେଜଲଗେଟ୍ ହତ୍ୟାକାଣ୍ଡ ଓ ଶହୀଦ ରଘୁ-ଦିବାକର ଫାଶୀଦଣ୍ଡ ଆଦି ବହୁ ଚର୍ଚ୍ଚିତ ଘଟଣା ଘଟିଥିଲା। ବସନ୍ତ ମଂଜରୀ ଏଥିରୁ ଯଥାର୍ଥ ଶିକ୍ଷା ଲାଭ କରିଥିଲେ। ଫଳରେ ରାଜକାର୍ଯ୍ୟ ପରିଚାଳନାରେ ଏହି ଅଭିଜ୍ଞତା ସହାୟକ ହୋଇଥିଲା ଓ ତାଙ୍କର ଦକ୍ଷତା ବହୁ କ୍ଷେତ୍ରରେ ପ୍ରମାଣିତ ହୋଇଥିଲା।
ଗଡ଼ଜାତ ମିଶ୍ରଣ ଯୋଗୁଁ ରଣପୁର ୧୯୪୭ ମସିହା ଡିସେମ୍ବର ୩୧ ତାରିଖରେ ଓଡ଼ିଶା ସହ ସାମିଲ ହେଲା। ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବାରୁ ୧୯୫୨ ମସିହାରେ ଓଡ଼ିଶା ବିଧାନ ସଭା ପାଇଁ ପ୍ରଥମ ସାଧାରଣ ନିର୍ବାଚନ ହେଲା। ଏଥିରେ କଂଗ୍ରେସ ଓ କମ୍ୟୁନିଷ୍ଟ ଦୁଇ ଦଳର ପ୍ରାର୍ଥୀ ମୁଖ୍ୟତଃ ପ୍ରତିଦ୍ୱନ୍ଦତା କରିଥିଲେ। କମ୍ୟୁନିଷ୍ଟ ଦଳର ସର୍ବସମ୍ମତ ପ୍ରାର୍ଥୀ ଭାବେ ଅବିଭକ୍ତ ପୁରୀ ଜିଲା କମ୍ୟୁନିଷ୍ଟ ଦଳର ସଂପାଦକ ତଥା ଶାରଙ୍ଗଧରପୁର ନିବାସୀ ଗଙ୍ଗାଧର ମିଶ୍ର ଓ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ରଣପୁର ରାଜମାତା ବସନ୍ତ ମଞ୍ଜରୀ ଦେବୀ ନିର୍ବାଚନ ଲଢିଲେ ଓ ବିପୁଳ ଭୋଟ ବ୍ୟବଧାନରେ ଜୟଯୁକ୍ତ ହୋଇ ଓଡ଼ିଶା ବିଧାନସଭାର ସଦସ୍ୟା ହେଲେ। ସେ ଓଡ଼ିଶାର ମନ୍ତ୍ରିମଣ୍ଡଳରେ ଉପମନ୍ତ୍ରୀଭାବେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନେଇ ବହୁ ଜନହିତକର କାର୍ଯ୍ୟ କଲେ। ଉପମନ୍ତ୍ରୀ ହେବାରେ ସେ ଥିଲେ ଓଡ଼ିଶାର ପ୍ରଥମ ମହିଳା।
୧୯୫୭ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବସନ୍ତ ମଞ୍ଜରୀ ଦେବୀ ରଣପୁରରୁ ନିର୍ବାଚିତ ହୋଇ ଓଡ଼ିଶା ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀଭାବେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନେଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହେବାରେ ସେ ମଧ୍ୟ ପ୍ରଥମ ଓଡିଆ ମହିଳା ଥିଲେ। ଦ୍ୱିତୀୟ ଥର ମନ୍ତ୍ରୀ ହେବା ପରେ ସେ ଦେଖିଲେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ ସ୍ୱତନ୍ତ୍ର ଚିକିତ୍ସାଳୟ ନାହିଁ। ଫଳରେ ବହୁ ରୋଗୀଙ୍କର ଅକାଳ ଦାରୁଣ ବିୟୋଗ ଘଟୁଛି।
ନିଜ ସ୍ୱାମୀଙ୍କର ଯକ୍ଷ୍ମା ରୋଗରେ ହୋଇଥିବା ମୃତ୍ୟୁ ତାଙ୍କ ଆଖି ଆଗରେ ନାଚି ଉଠିଲା। ଏଣୁ ସେ ରାଜ୍ୟରେ ଏକ ଯକ୍ଷ୍ମା ନିବାସର ପରିକଳ୍ପନା କଲେ ଓ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ସହ ଆଲୋଚନା ପରେ ଏହି ପ୍ରସ୍ତାବ ଗୃହୀତ ହେଲା। ଯକ୍ଷ୍ମା ଚିକିତ୍ସାଳୟ ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳ ସଂକ୍ରମିତ ହେବାର ଆଶଙ୍କା ଥିବାରୁ କୌଣସି ସ୍ଥାନରେ ପ୍ରତିଷ୍ଠା ହେବା ପ୍ରସ୍ତାବ ଆସିଲେ ସ୍ଥାନୀୟ ନେତା ଓ ଜନସାଧାରଣଙ୍କ ପକ୍ଷରୁ ବିରୋଧ କରାଯାଉଥିଲା। କିନ୍ତୁ ଦୃଢ଼ମନା ବସନ୍ତ ମଞ୍ଜରୀ ଯକ୍ଷ୍ମାନିବାସ ପ୍ରତିଷ୍ଠା ପାଇଁ ସଂକଳ୍ପ ନେଇଥିବାରୁ ସେ ନିଜର ଚାନ୍ଦପୁର ରାଜପ୍ରାସାଦରେ ଏହି ସ୍ୱାସ୍ଥ୍ୟ ନିବାସ କରିବା ପାଇଁ ସ୍ଥିର କଲେ।
ଚାନ୍ଦପୁର ରାଜପ୍ରସାଦରେ ଯକ୍ଷ୍ମା ହସ୍ପିଟାଲ ପ୍ରତିଷ୍ଠା ହେବାକୁ ଯାଉଥିବା ସମ୍ବାଦ ଚାରିଆଡ଼େ ପ୍ରଚାରିତ ହେଲା। ଏହା ସ୍ଥାନୀୟ ଚାନ୍ଦପୁର, ଜେମାଦେଇପୁର ଓ କନ୍ଧ ନୟାଗଡ଼ ଗ୍ରାମର କେତେକ ଲୋକଙ୍କ ମନରେ ଆତଙ୍କ ଖେଳାଇ ଥିଲା। ଚାନ୍ଦପୁର ଠାରେ ଯକ୍ଷ୍ମା ନିବାସ ନହେବା ପାଇଁ ପ୍ରତିବାଦ ହେଲା। ଏଭଳି ପରିସ୍ଥିତିରେ ବୁଦ୍ଧିମତୀ ବସନ୍ତ ମଞ୍ଜରୀ କିଛି ଲୋକଙ୍କୁ କରାୟତ୍ତ କରି ଓ ପୋଲିସ ସାହାଯ୍ୟ ନେଇ ଯକ୍ଷ୍ମା ଚିକିତ୍ସାଳୟ ପ୍ରତିଷ୍ଠା କରାଇଲେ। ଏହା ବାସ୍ତବିକ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲ।
୨୭। ୦୨। ୧୯୫୮ମସିହାରେ ଏହି ସ୍ୱାସ୍ଥ୍ୟ ନିବାସ ଉଦ୍ଘାଟନ ହୋଇଥିଲା। ସେତେବେଳେ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ମୁଁ ଓଡ଼ିଶାର ଗାଁ ଗହଳିର ଲୋକ, ବହୁକାଳ ଧରି ଗାଁ ଗହଳରେ ଓ କର୍କଟ ରୋଗରେ ପୀଡ଼ିତ ବହୁରୋଗୀଙ୍କର ଯନ୍ତ୍ରଣା ପ୍ରତ୍ୟେକ୍ଷ ଅନୁଭବ କରିଆସିଛି। ମୋ ଭଳି ଯେ ଅନ୍ୟମାନେ ତାହା ଅନୁଭବ କରି ନଥିବେ, ତାହା ନୁହେଁ କିନ୍ତୁ ଏଭଳି ରୋଗରେ ସ୍ୱତନ୍ତ୍ର ଚିକିତ୍ସା ଓ ଶୁଶ୍ରୂଷା ଦରକାର।….. ଆଜି ମୋର ହୃଦବୋଧ ହୋଇଛି ପବିତ୍ର କାର୍ଯ୍ୟରେ ଉଦ୍ଯୋଗୀ ହେବା କେବେ ଦୁଃସାହସ ନୁହେଁ।”
ଓଡ଼ିଶାର ସର୍ବ ପ୍ରଥମ ତଥା ବୃହତ୍ତମ ଏବଂ ଭାରତର ଦ୍ୱିତୀୟ ବୃହତ୍ତମ ଯକ୍ଷ୍ମା ଚିକିତ୍ସାଳୟକୁ ସେ ଏକ ସହସ୍ର ଶଯ୍ୟା ବିଶିଷ୍ଟ ଭାରତର ବୃହତ୍ତମ ଚିକିତ୍ସାନୁଷ୍ଠାନରେ ପରିଣତ କରିବାର ପରିକଳ୍ପନା କରିଥିଲେ, କିନ୍ତୁ ତାହା ରୂପାୟିତ ହୋଇପାରିଲା ନାହିଁ। ତଥାପି ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ତାଙ୍କର ଆଶୀର୍ବାଦ ବଳୟ ମଧ୍ୟରେ ଦିନ ଦିନ ଧରି ହଜାର ହଜାର ଯକ୍ଷ୍ମା ରୋଗୀଙ୍କର ସେବା କରି ଚାଲିଲା ଓ ସହସ୍ର ସହସ୍ର ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ନୂତନ ଜୀବନ ଦେଲା।
ଚିଲିକା ଠାରୁ ୫ କିମି ଦୂର ଏବଂ ରାଜଧାନୀ ଭୁବନେଶ୍ୱର ଠାରୁ ୭୦ କିମି ଦୂର ବ୍ୟବଧାନରେ ଥିବା ଚାନ୍ଦପୁର ରାଜପ୍ରାସାଦ ଏକଦା ରଣପୁର ରାଜାଙ୍କର ଗ୍ରୀଷ୍ମନିବାସ ଥିଲା। ରଣପୁର ରାଜମାତା ବସନ୍ତ ମଞ୍ଜରୀ ଏହି ରାଜପ୍ରାସାଦ ସହିତ ୧୧୮ ଏକର ଜମି ଚିକିତ୍ସାଳୟ ପାଇଁ ପ୍ରଦାନ କରିଥିଲେ। ଏଥିରୁ ଚିକିତ୍ସାଳୟ ତଥା କ୍ୱାଟର୍ସ ପାଇଁ ୧୭ ଏକର, କାଜୁ ବଗିଚା ପାଇଁ ୨୦ ଏକର ତଥା ଖେଳ ପଡିଆ ପାଇଁ ୭ ଏକର ବ୍ୟବହୃତ ହେଉଥିଲେ ହେଁ ଅବଶିଷ୍ଟ ଜଙ୍ଗଲ ଆକାରରେ ପଡ଼ି ରହିଥିଲା। ରାଜ୍ୟର ସର୍ବପ୍ରଥମ ଯକ୍ଷ୍ମା ଚିକିତ୍ସାଳୟ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସର ୧୧ଟି ଓ୍ୱାର୍ଡ଼ ମଧ୍ୟରୁ ୬ ଟି ପୁରୁଷ ଓ୍ୱାର୍ଡ଼, ୪ଟି ମହିଳା ଓ୍ୱାର୍ଡ଼ ଓ ଗୋଟିଏ ଶିଶୁ ଓ୍ୱାର୍ଡ଼ରେ ୨୨୦ଟି ଶଯ୍ୟା ରହିଛି। କିନ୍ତୁ ସ୍ୱାସ୍ଥ୍ୟ ନିବାସ ଆବଶ୍ୟକତା ଅନୁସାରେ ବୃଦ୍ଧି ହେବା ପରିବର୍ତ୍ତେ ମରାମତି ଅଭାବରୁ ଭାଙ୍ଗିବାରେ ଲାଗିଥିଲେ ହେଁ ଏହା କାହାରି ଦୃଷ୍ଟିକୁ ଆସୁନାହିଁ। ଏହାକୁ ଏକ ହଜାର ଶଯ୍ୟା ବିଶିଷ୍ଟ ଯକ୍ଷ୍ମା ଚିକିତ୍ସାଳୟ କରିବାର ଯେଉଁ ସ୍ୱପ୍ନ ବସନ୍ତ ମଞ୍ଜରୀ ଦେଖିଥିଲେ ତାହା ଆଜି ଧୂଳିସାତ ହେବାକୁ ବସିଛି।
ଏବେ ରାଜ୍ୟ ସରକାର କଟକ, ବୁର୍ଲା ଓ ବ୍ରହ୍ମପୁରବ୍ୟତୀତ ବାରିପଦାରେ ଏକ ସରକାରୀ ମେଡିକାଲ କଲେଜ କରିବାର ଘୋଷଣା କରିଛନ୍ତି। ଏହା ବ୍ୟତୀତ ଅନ୍ୟ ୫ଟି ସ୍ଥାନରେ ସରକାରୀ ମେଡିକାଲ କଲେଜ କରିବାର ପ୍ରସ୍ତାବ ରହିଛି। କିନ୍ତୁ ସେଥିମଧ୍ୟରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସର ନାମ ନାହିଁ। ତିନି ବର୍ଷ ତଳେ ସେଠାରେ ଏକ ଘରୋଇ ମେଡିକାଲ କଲେଜ ଖୋଲିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କୁହାଯାଉଥିଲେ ମଧ୍ୟ ବସନ୍ତ ମଞ୍ଜରୀଙ୍କ ମହତ୍ୱ ଅକାଂକ୍ଷା ପୂରଣ ହେବାର ଆଶା ଦେଖାଯାଉ ନାହିଁ।
ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସର ଉତ୍ତୋରତ୍ତର ଉନ୍ନତି ପ୍ରତି ଧ୍ୟାନ ଦେବା ଲକ୍ଷ୍ୟରେ ରାଜମାତା ବସନ୍ତ ମଞ୍ଜରୀ କନ୍ଧ ନୟାଗଡ଼ - କେରେଣ୍ଡା ଟାଙ୍ଗି ମଧ୍ୟରେ ୨୮ ଏକର ଜାଗା ନେଇ ଏକ କୋଠି ନିର୍ମାଣ କରିଥିଲେ। ଏହା ରାଣୀ କୋଠି ନାମରେ ପରିଚିତ। ଏହି ଭବ୍ୟ ଅଟ୍ଟାଳିକା ପରବର୍ତ୍ତୀ ସମୟରେ ବିକ୍ରି ହୋଇଥିଲେ ମଧ୍ୟ ଏହା ବସନ୍ତ ମଞ୍ଜରୀଙ୍କ ସ୍ମୃତି ବହନ କରେ।
ତାଙ୍କର ଅବାରିତ ଆଶୀର୍ବାଦକୁ ଜୀବନ୍ତ ରୂପରେ ଲଭିବା ପାଇଁ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ସମ୍ମୁଖରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ତାଙ୍କର ସେବା ମନୋଭାବ ପାଇଁ କେବଳ ରଣପୁର ନୁହେଁ ସମଗ୍ର ଓଡ଼ିଶାବାସୀ ତାଙ୍କୁ ଚିରକାଳ ମନେ ରଖିବେ। ଏହି ମହିୟସୀ ମହିଳାଙ୍କର ୧୯୬୧ ମସିହା ଜୁନ୍ ମାସ ୭ ତାରିଖରେ ଅକାଳ ବିୟୋଗ ହୋଇଥିଲା। ତାଙ୍କର ଅମର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି।
ସଭାପତି, ଖୋର୍ଦ୍ଧା ବିଷୁବ ମିଳନ ସମିତି
ଦୂରଭାଷ : ୯୨୩୭୦୮୯୫୦୯
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)