• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବିଜେଡି ସରକାରକୁ ଘାରିଛି ନୂତନ ଜିଲ୍ଲା ମାନ୍ୟତା ଟେନସନ୍। ପଦ୍ମପୁରକୁ ଜିଲ୍ଲା ମାନ୍ୟତାର ପ୍ରତିଶ୍ରୁତି ପରେ ଅନ୍ୟସ୍ଥାନରେ ବି ତେଜୁଛି ଦାବି, ବଢୁଛି ଆନ୍ଦୋଳନ।ଆଗକୁ ଆଉ କେଉଁ ଉପଖଣ୍ଡକୁ ଦିଆଯିବ ଜିଲ୍ଲା ମାନ୍ୟତା ? ଦ୍ୱନ୍ଦ୍ୱରେ ରାଜ୍ୟ ସରକାର। ୨୦୨୩, ଡିସେମ୍ବର ୩୧ ସୁଦ୍ଧା ରାଜ୍ୟର ଜିଲ୍ଲା ତାଲିକାରେ ଯୋଡ଼ି ହେବ ବରଗଡ଼ ଜିଲ୍ଲା ପଦ୍ମପୁରର ନାଁ। ବିଜେଡି ସୁପ୍ରିମୋଙ୍କ ଏଭଳି ନିର୍ବାଚନୀ ପ୍ରତିଶ୍ରୁତି ପରେ ଆଶା ଜାଗି ଉଠିଛି ବହୁ ସ୍ଥାନରେ। ନୂତନ ଜିଲ୍ଲା ଗଠନ ଦାବିରେ ମୁଣ୍ଡ ଟେକିଛି ଆନ୍ଦୋଳନ।

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମିଳିଲା ପ୍ରତିଶ୍ରୁତି, ବିଧିବଦ୍ଧ ଘୋଷଣାକୁ ଅପେକ୍ଷା...

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ହେଉ କି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼। ଅବା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଚାଲିଛି ଧାରଣା ସହ ଆନ୍ଦୋଳନ। କେବଳ ଏହି ୩ ଉପଖଣ୍ଡ ନୁହେଁ, ସୁନ୍ଦରଗଡ଼ ଜିଲ୍ଲା ର ରାଉରକେଲା, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର, କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ରାୟଗଡ଼ା ଜିଲ୍ଲା ଗୁଣପୁର, ଅନୁଗୁଳ ଜିଲ୍ଲା ତାଳଚେର ଏବଂ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରକୁ ବି ଭୌଗୋଳିକ ସ୍ଥିତିରୁ ଜିଲ୍ଲା ମାନ୍ୟତା ପାଇଁ ଦାବି ଉଠିଛି। ଏପରିକି ଭୁବନେଶ୍ୱର କୁ ଏବଂ ପାରାଦୀପ କୁ ବି ଜିଲ୍ଲା କରିବା ସପକ୍ଷରେ ଲୋକେ ଯୁକ୍ତି ବାଢୁଛନ୍ତି। ଆନ୍ଦୋଳନକାରୀଙ୍କ ଗୋଟିଏ ଚେତାବନୀ, ଜିଲ୍ଲା ମାନ୍ୟତା ନମିଳିଲେ ୨୦୨୪ରେ ଲୋକେ କଡ଼ା ଜବାବ ଦେବେ। 

ବଢ଼ିଚାଲିଥିବା ଆନ୍ଦୋଳନକୁ ଦେଖି ରାଜ୍ୟ ସରକାର ମଧ୍ୟ ଜିଲ୍ଲା ସଂଖ୍ୟା ବଢ଼ାଇବା ସପକ୍ଷରେ ଥିବା କୁହାଯାଉଛି। ସରକାରୀ ସ୍ତରରେ ଆଉ ୬ଟି ନୂତନ ଜିଲ୍ଲା କରିବାକୁ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି। ସେସବୁ ସ୍ଥାନ ହେଉଛି ରାଉରକେଲା, ରାଜଗାଙ୍ଗପୁର, ରାଇରଙ୍ଗପୁର, ଭୁବନେଶ୍ୱର, ପଦ୍ମପୁର ଏବଂ ଟିଟିଲାଗଡ଼। ତେବେ ଜିଲ୍ଲା ଗଠନ କରିବାକୁ ହେଲେ ପ୍ରଥମେ କେଉଁ କେଉଁ ଅଞ୍ଚଳକୁ ନେଇ ଜିଲ୍ଲା ଗଠନ ହେବ, ରାଜ୍ୟ ସରକାରଙ୍କୁ ତାର ସୀମା ନିର୍ଦ୍ଧାରଣ କରିବାକୁ ପଡ଼ିବ। ଏହାପରେ ସରକାରଙ୍କ ଏକ୍ୟୁଜିଟିଭ୍ ଅର୍ଡର ମାଧ୍ୟମରେ ଜିଲ୍ଲା ଘୋଷଣା ହୋଇପାରିବ। ପରେ ଜିଲ୍ଲା ପୁନର୍ଗଠନ ବିଲ୍ ପାସ୍ କରାଇବାକୁ ପଡ଼ିବ ବିଧାନସଭାରେ। ଏନେଇ ପ୍ରତିକ୍ରିୟା ରଖି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଭବିଷ୍ୟତରେ ଆହୁରି ଜିଲ୍ଲାର ଆବଶ୍ୟକ ପଡ଼ିଲେ ଏବଂ ଦାବି ଉଠିଲେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ନିଷ୍ପତ୍ତି ନେବେ, ଏଥିରେ ସମସ୍ୟା ନାହିଁ।  

୧୯୩୬ ମସିହା। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବା ସମୟରେ ଥିଲା ମାତ୍ର ୬ଟି ଜିଲ୍ଲା। ସେସବୁ ଜିଲ୍ଲା ହେଉଛି, କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଏବଂ କୋରାପୁଟ। ତେବେ ଭାରତ ସ୍ବାଧୀନ ହେବା ପରେ ୧୯୪୮ରେ ୭ଟି ନୂଆ ଜିଲ୍ଲା ଯଥା, ଢେଙ୍କାନାଳ, କେଉଁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ଫୁଲବାଣୀ, ବଲାଙ୍ଗିର ଏବଂ କଳାହାଣ୍ଡି ଗଠନ ହୋଇଥିଲା। ଜିଲ୍ଲା ସଂଖ୍ୟା ବଢ଼ିଲା ୧୩କୁ। ଏହାପରେ ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଆହୁରି ୧୭ଟି ନୂଆ ଜିଲ୍ଲା ଗଠନ କରିଥିଲେ। ଏହାକୁ ମିଶାଇ ରାଜ୍ୟରେ ଜିଲ୍ଲା ସଂଖ୍ୟା ଏବେ ରହିଛି ୩୦ରେ।  ଏବେ ୩ ଦଶନ୍ଧି ପରେ ପଦ୍ମପୁର ଉପଖଣ୍ଡକୁ ନୂଆ ଜିଲ୍ଲାର ମାନ୍ୟତା ଦେବାକୁ ଅଣ୍ଟା ଭିଡ଼ିଥିବାବେଳେ, ବହୁ ସ୍ଥାନରେ ଅାନ୍ଦୋଳନ ଜାରି ରହିଥିବାରୁ ଏବଂ ୨୪ ନିର୍ବାଚନକୁ ଦେଖି କେଉଁ ଜିଲ୍ଲା ଗଠନ ପାଇଁ ସରକାର ସ୍ଥିର କରୁଛନ୍ତି, ତା ଉପରେ ନଜର।