/odishatv-khabar/media/post_attachments/uploadimage/library/16_9/16_9_0/Assembly_1733394242.jpg)
Assembly
ବିଧାନସଭାରେ ଉଠିଲା ସୀମା ବିବାଦ ପ୍ରସଙ୍ଗ। ଓଡ଼ିଶା ସହ ଲାଗିରହିଥିବା ପଡୋଶୀ ରାଜ୍ୟର ସୀମା ବିବାଦ ନେଇ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ। ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାର ୧୪ଟି ଜିଲ୍ଲାର ଆନ୍ତଃ-ରାଜ୍ୟ ସୀମା ବିବାଦ ରହିଛି।
ସେହି ଜିଲ୍ଲାଗୁଡ଼ିକ ହେଉଛି-ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର ଏବଂ ମୟୂରଭଞ୍ଜ। ବିଶେଷ କରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲର ୨୧ଟି କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ପ୍ରଦେଶ ସହିତ ୧୯୬୮ ମସିହାରୁ ସୀମା ବିବାଦ ରହିଛି । ଏ ସମ୍ପର୍କରେ ଓଡିଶା ସରକାର ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ O.S. No.10/1968 ମାମଲା ଦାଏର କରିଥିଲେ ।
୩୦ ମାର୍ଚ୍ଚ ୨୦୦୬ରେ ସୁପ୍ରିମକୋର୍ଟ ସେହି କେସକୁ ଖାରଜ କରିବା ସହ ଏହି ମାମଲା ଆଲୋଚନା ମାଧ୍ୟମରେ ଫଏସଲା ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଉଭୟ ପକ୍ଷକୁ ଆଦେଶ ଦେଇଥିଲେ । ମାତ୍ର ଅତୀତରେ ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଞ୍ଜ ଅଧୀନସ୍ଥ କିଛି ଗାଁରେ ପଞ୍ଚାୟତ ତଥା ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ଆଞ୍ଚଳିକ ନିର୍ବାଚନମଣ୍ଡଳୀରେ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ବାହାର କରିବା ପରେ ଏହାକୁ କରେଇ ନଦେବା ପାଇଁ, ଓଡିଶା ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଏର କରିଥିଲେ ଯାହା ଏଯାଏ ବିଚାରାଧୀନ ରହିଛି ।
ଅଧିକ ପଢ଼ନ୍ତୁ: Odisha Assembly: ଜାଣିଛନ୍ତି କି ଓଡ଼ିଶାର କେଉଁ ଜିଲ୍ଲାରେ ଅଛନ୍ତି ସବୁଠୁ ଅଧିକ ଷଣ୍ଢ?
ଏହା ସହିତ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଇଜଲାସରେ Contempt Petition (C ) No. 172/21ଦାଏର କରିଥିଲେ ଯାହା ବିଚାରାଧୀନ ରହିଛି । ଉଭୟ ରାଜ୍ୟ ନିଜ ନିଜର ମାଲିକାନା ସାବ୍ୟସ୍ତ କରୁଥିବା ଯୋଗୁଁ ଏବଂ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହାର ଫଇସଲା ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।
କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ୧୦୮କୋଟି ୫୩ ଲକ୍ଷ ୧୨ ହଜାର ୩୩୯ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତି ଗାଁରେ ରାସ୍ତା, ବିଦ୍ୟାଳୟ ଗୃହ, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନୱାଡି ଗୃହ, ମିଶନଶକ୍ତି ଗୃହ, ୧୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଜାର ପିଣ୍ଡି, ପୋଲିସ ଥାନା ନିର୍ମାଣ କରାଯାଇଛି। ଏଥିସହ ବିଦ୍ୟୁତ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକମାନଙ୍କ ପାଇଁ ଜୀବିକାର ମଧ୍ୟ ବ୍ୟବସ୍ଥା କରାଯାଇଛି। ସବୁ ବିଦ୍ୟାଳୟରେ ପିଲା ଓଡ଼ିଆରେ କଥାବାର୍ତ୍ତା କରୁଛନ୍ତି । ପ୍ରତିବର୍ଷ କୋଟିଆରେ ରଥାଯାତ୍ରା ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି ବୋଲି ବିଧାନସଭାରେ ତଥ୍ୟ ରଖିଛନ୍ତି ରାଜ୍ୟ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)