• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାରିଆଡେ ଘନ କୁହୁଡି । ଧଳା ଚାଦରରେ ଘୋଡେଇ ହୋଇ ରହିଛି ସବୁକିଛି । ରାସ୍ତାଘାଟ, ଘରଦ୍ୱାର କିଛି ଦିଶୁନି । ରାଜଧାନୀ ଭୁବନେଶ୍ୱର ରେ ଆଜି ସକାଳ ୮ଟା ବେଳେ ମୁହଁକୁ ମୁହଁ ଦେଖାଯାଉନଥିଲା । କୁହୁଡି ଏମିତି ମାଡିଥିଲା ଯେ, ରାସ୍ତାରେ ୩୦ମିଟର ଦୂର ଯାଏଁ ଦେଖିବା କଷ୍ଟକର । କଟକରେ ବି ସମାନ ସ୍ଥିତି । ଶୀତ କମିଥିଲେ ବି ବଢିଛି କୁହୁଡିର ପ୍ରକୋପ ।

ସେପଟେ ସକାଳ ୯ଟା ଯାଏଁ କୁହୁଡିରେ ଢାଙ୍କି ହୋଇଥିଲା ଶ୍ରୀମନ୍ଦିର । ବଡ ଦାଣ୍ଡରୁ ଦେଖାଯାଇନଥିଲା ମୁଖ୍ୟ ମନ୍ଦିର, ନାଟମଣ୍ଡପ ଓ ଭୋଗମଣ୍ଡପ । ବିଶ୍ୱ ଐତିହ୍ୟ ବ୍ଲାକ ପାଗୋଡା ବି ଆଚ୍ଛାଦିତ ହୋଇଥିଲା ଘନ କୁହୁଡିରେ । ପାଖାପାଖି ଶହେ ମିଟର ଯାଏଁ ଦୃଶ୍ୟମାନ ହେଉନଥିଲା ସୂର୍ଯ୍ୟମନ୍ଦିର । ଅନ୍ୟପଟେ ପ୍ରବଳ କୁହୁଡି ଯୋଗୁଁ ଚିଲିକାରେ ୪୦ ମିନିଟ୍ ଧରି ଅଟକି ରହିଥିଲା ଭସାପୋଲ । ଘନ କୁହୁଡି ନେଇ ଆଜି ରାତି ଓ ଆସନ୍ତାକାଲି ସକାଳ ପାଇଁ ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ ।

ସେପଟେ ହାଡ଼ଭଙ୍ଗା ଶୀତରେ ଥରୁଛି ପୁରା ଉତ୍ତର ଭାରତ । ତିନି ଦିନ ହେଲାଣି ଅସମ୍ଭାଳ ଜାଡ଼ ପ୍ରବଳ ଥଣ୍ଡାରେ ଦେହ କାଲୁଆ ହୋଇଯାଉଛି। ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀରେ ପାରଦ ଲଗାତର ଖସିବାରେ ଲାଗିଛି । ରାଜସ୍ଥାନରେ ତାପମାତ୍ରା ମାଇନସରେ ପହଁଚିଲାଣି । ରାଜଧାନୀ ଦିଲ୍ଲୀରେ ବି ପ୍ରବଳ ଥଣ୍ଡା କାଲୁଆ ପବନ ଦେହ ଥରାଇ ଦେଉଛି । ନା ଘରେ ରହି ହେଉଛି ନା ବାହାରକୁ ବାହାରି ହେଉଛି । ଏଭଳି ସ୍ଥିତିରେ ବୁଧବାର ଯାଏଁ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲ୍‌ସିୟସ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ରାଜସ୍ଥାନର ଚୁରୁରେ ତାପମାତ୍ରା ମାଇନସ୍ ୨.୫ ଡିଗ୍ରୀ ରହିଥିବା ବେଳେ ଆଲଓ୍ୱାରରେ ଶୂନ ଡିଗ୍ରୀ, ହରିୟାଣାର ରୋହତକରେ ୨.୮.ଡିଗ୍ରୀ ଏବଂ ହିସାରରେ ୦.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦିଲ୍ଲୀ ସଫଦରଜଙ୍ଗରେ ପାରଦ ୧.୪ ଡିଗ୍ରୀ ଛୁଇଁଛି ।

ରାଜ୍ୟରେ ଘନ କୁହୁଡି ଭିତରେ ଆସନ୍ତାକାଲି ଉତ୍ତର ଓଡ଼ିଶା ର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଯାଜପୁର ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।