Yearender Odisha Politics 2024:ଟଳି ପଡିଥିଲେ ରଥୀ ମହାରଥୀ, ଧରାଶାୟୀ ହୋଇଥିଲେ ଦଳପତି

ଓଡ଼ିଶା ରାଜନୀତିରେ ୨୦୨୪ ଥିଲା ପରିବର୍ତ୍ତନର ବର୍ଷ । ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।

୨୦୨୪ର ବଡ଼ ଘଟଣା

News Summary

congress

ନିର୍ବାଚନ ଓ କ୍ଷମତା ପରିବର୍ତ୍ତନର ବର୍ଷ-୨୦୨୪। ରାଜ୍ୟ ବିଧାନସଭା ନିର୍ବାଚନରେ ଟଳିଗଲେ ରଥୀ ମହାରଥୀ, ଧରାଶାୟୀ ନିଜେ ଛତ୍ରପତି। ଗୋଟିଏ ଝଟକାରେ ବଦଳିଗଲା ରାଜ୍ୟ ରାଜନୀତି। ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା। ଆଉ ମୁଖ୍ୟମନ୍ତ୍ରୀ ବନିଲେ ବିଜେପି ବିଧାୟକ ଦଳର ଆଦିବାସୀ ଚେହେରା ମୋହନ ଚରଣ ମାଝୀ

ଐତିହାସିକ ଶପଥଗ୍ରହଣ ଉତ୍ସବ

୨୪ ବର୍ଷ ପରେ ବର୍ଷ ୨୦୨୪ରେ କ୍ଷମତା ପରିବର୍ତ୍ତନ ଦେଖିଛି ଓଡ଼ିଶା। ଓଡ଼ିଶା ରାଜନୀତିରେ ନୂଆ ଯୁଗ ସହ ଆରମ୍ଭ ହେଇଛି ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଛନ୍ତି ମୋହନ ଚରଣ ମାଝୀ। ରାଜଧାନୀର ଜନତା ମୈଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୧୬ ଜଣିଆ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଆଉ ଏହି ଭବ୍ୟ ଶପଥ ସମାରୋହର ମୂକସାକ୍ଷୀ ସାଜିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସହ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ  ସଦସ୍ୟ ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶପଥ ନେଇଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା। ୮ ଜଣଙ୍କୁ କ୍ୟାବିନେଟ ଓ ୫ ଜଣଙ୍କୁ ମିଳିଥିଲା ରାଷ୍ଟ୍ରପାହ୍ୟା ସ୍ବାଧୀନ ପଦ। ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରଥମ ଥର ବିଧାୟକଙ୍କୁ ମିଳିଥିଲା ମନ୍ତ୍ରୀ ପଦ। କେଭିଙ୍କ ବ୍ୟତୀତ ବାକି ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟ ପ୍ରଥମ ଥର ମନ୍ତ୍ରୀପଦ ପାଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୩ଟି ଜିଲ୍ଲାକୁ ପ୍ରତିନିଧିତ୍ବ ମିଳିଥିଲା। ଆଉ ନୟାଗଡ଼ ଜିଲ୍ଲା ରଣପୁର ବିଧାୟିକା ସୁରମା ପାଢ଼ୀ ହୋଇଥିଲେ ବିଧାନସଭା ବାଚସ୍ପତି। ଚାରି ଚାରି ଥରର ବିଧାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ପାଖରେ ରଖିଥିଲେ ୬ ବିଭାଗ। ୫ ଜଣ ମନ୍ତ୍ରୀଙ୍କ ପାଖରେ ବି ୩ ଲେଖାଁଏ ବିଭାଗ। ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ୨୨ ସ୍ଥାନରେ ୧୬ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ଆହୁରି ୬ ପଦବୀ ଖାଲି ରହିଛି।

ଅଧିକ ପଢନ୍ତୁ:କାହିଁକି ନବୀନ ବିଲକୁ ଯିବାକୁ ବାଧ୍ୟ ହେଲେ ? କ୍ଷେତ ବୁଲାକୁ ନେଇ ଜୋର ଧରିଲା ରାଜନୀତି...

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଗଲେ ନବୀନ

ମୁଖ୍ୟମନ୍ତ୍ରୀ ଭାବେ 24 ବର୍ଷର ନିରଙ୍କୁଶ ଯାତ୍ରା, ବିଧାନସଭା ରାଜନୈତିକ ଜୀବନ ଆରମ୍ଭରୁ କେବେ ବି ପରାଜୟର ସ୍ବାଦ ଚାଖିନଥିବା ନବୀନଙ୍କ ନାଁରେ ପ୍ରଥମଥର ପାଇଁ ଲାଗିଛି ପୂର୍ବତନ ମୁଖ୍ୟମନ୍ତ୍ରୀର ଟ୍ୟାଗ୍। ଏବେ ସେ ବିରୋଧୀ ଦଳ ନେତା। .. ସେହିପରି ତତକାଳୀନ ଉପବାଚସ୍ପତି ସାଲୁଗା ପ୍ରଧାନ ଓ ୧୧ ମନ୍ତ୍ରୀଙ୍କ ସମେତ ବିଜେଡିର ୫୧ ବିଧାୟକଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଜନତା। ନିର୍ବାଚନରେ ହାରିଥିଲେ ପ୍ରଣବ ପ୍ରକାଶ ଦାସ , ଅଚ୍ୟୁତ ସାମନ୍ତ, ପ୍ରଦୀପ ମାଝୀ, ସଂତୃପ୍ତ ମିଶ୍ର, ଭୃଗୁ ବକ୍ସିପାତ୍ରଙ୍କ ଭଳି ଚର୍ଚ୍ଚିତ ବିଜେଡି ପ୍ରାର୍ଥୀ। ବିଜେଡିର ଗଡ଼ ଗଞ୍ଜାମ ଜିଲ୍ଲାରେ ଧସେଇ ପଶିଥିଲା ବିଜେପି। ଏଥର ନିର୍ବାଚନରେ ପରାଜୟର ସାମ୍ନା କରିଥିଲେ ୩ ଦଳର ସଭାପତି। କଣ୍ଟାବାଞ୍ଜିରେ ନବୀନ, ଚାନ୍ଦବାଲିରେ ମନମୋହନ ସାମଲ ଓ ନୂଆପଡ଼ାରେ ଶରତ ପଟ୍ଟନାୟକ ହାରିଯାଇଥିଲେ। ପାଣ୍ଡିଆନଙ୍କ ରାଜନେତା ହେବାର ଆଶାକୁ ଧୂଳିସାତ କରିଥିଲେ ଜନତା। ମାତ୍ର ୬ ମାସ ୧୨ ଦିନରେ ଭି.କେ.ପାଣ୍ଡିଆନ ସନ୍ନ୍ୟାସ ନେଇଥିଲେ ସକ୍ରିୟ ରାଜନୀତିରୁ। ନିଜେ ଘୋଷଣା କରିଥିବା ଜୁନ 9 ତାରିଖ BJD ଶପଥ ଗ୍ରହଣ ଉତ୍ସବ ଦିନରେ ହିଁ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଛାଡିଥିଲେ ରାଜନୀତି।

ଗିରିଧରଙ୍କ ଘରବାହୁଡା

ବର୍ଷ ଆରମ୍ଭରୁ କଂଗ୍ରେସକୁ ମିଳିଥିଲା ନୂଆ ପ୍ରଭାରୀ। ନୂଆ ଷ୍ଟ୍ରାଟେଜି ନେଇ ପ୍ରଭାରୀ ୨୪ ନିର୍ବାଚନ ବି ଲଢିଥିଲେ, ହେଲେ ବିଫଳ ହୋଇଥିଲା କଂଗ୍ରେସ। ସେପଟେ ନିର୍ବାଚନ ପୂର୍ବରୁ BRS ସହ ସମ୍ପର୍କ ତୁଟାଇ କଂଗ୍ରେସକୁ ଫେରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ।  କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଲାଗିଥିଲା ବଡ଼ ଝଟକା। ୨୦୧୯ ନିର୍ବାଚନବେଳେ ନାମାଙ୍କନ ପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ ମାମଲାର ଶୁଣାଣି କରି ମୋକିମଙ୍କ ସଭ୍ୟପଦକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ।..ସେପଟେ କଂଗ୍ରେସ ଭବନ ଭିତରେ ପିସିସି ସଭାପତି ଥିବା ଶରତ ପଟ୍ଟନାୟକଙ୍କୁ ହୋଇଥିଲା କାଳିମାଡ଼।

ଅଧିକ ପଢନ୍ତୁ:BJDକୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍; କହିଲେ-'୨୪ ବର୍ଷରେ ବେକାର ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି' 

ରକ୍ତମୁଖା ହୋଇଥିଲା ବିଜେଡି

ସେହିପରି ଚର୍ଚ୍ଚାରେ ରହିଥିଲା ବିଜେଡିର ସାଙ୍ଗଠନିକ ସମ୍ପାଦକ ଥିବା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା। ସରକାରଙ୍କୁ କ୍ବାର୍ଟର୍ସ ହସ୍ତାନ୍ତର କରିବା ପୂର୍ବରୁ ବାହାରୁ ତାଲା ଲଗାଇ ଏହାକୁ ନିଜେ ନଷ୍ଟ କରେଇଥିଲେ ବବି। ଯାହାକୁ ନେଇ ହଇଚଇ ଯେତିକି, ରାଜନୀତି ବି ସେତିକି ତେଜିଥିଲା। ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ଯେପରି ରକ୍ତମୁଖା ହୋଇପଡିଥିଲା ବିଜେଡି। ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ବିରଜା ହାଟ ସ୍ଥାନାନ୍ତରକୁ ନେଇ ଉପୁଜିଥିବା ଏହି ବିବାଦ ତେଜିବା ପରେ ଗିରଫ ହୋଇଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଓରଫ ଲଲ। ସାଧାରଣ ନିର୍ବାଚନରେ ବଡ ବିପର୍ଯ୍ୟୟ ପରେ ବିଜୁ ଜନତା ଦଳକୁ ଲାଗିଥିଲା ବଡ ଧକ୍କା। ଦୁଇ ଜଣ ରାଜ୍ୟସଭା ସାଂସଦ ମମତା ମହାନ୍ତ ଏବଂ ସୁଜିତ କୁମାର ବିଜେଡି ଛାଡିବା ସହ ରାଜ୍ୟସଭାରୁ ଇସ୍ତଫା ବି ଦେଇଥିଲେ। ପରେ ବିଜେପିରେ ସାମିଲ ହୋଇ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ଏବଂ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। .. ତାପୂର୍ବରୁ ଫେବ୍ରୁଆରୀରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ତିନି ଜଣ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ।

ନରେନ୍ଦ୍ର ମୋଦିଙ୍କ ପାଠଶାଳା

ବର୍ଷ ଶେଷରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖାଲି ଦେଶର ନୁହେଁ, ପୂରା ବିଶ୍ବର ନକ୍ସାରେ ଓଡ଼ିଶା ଆଗକୁ ଆସିବ ବୋଲି କହିଥିଲେ ମୋଦି। ପରେ ରାଜ୍ୟ ବିଜେପି ଅଫିସରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କୁ ନେଇ କରିଥିଲେ ରୁଦ୍ଧଦ୍ବାର ପାଠଶାଳା। ନିର୍ବାଚନ ପ୍ରତିଶ୍ରୁତିର କାର୍ଯ୍ୟକାରିତାଠୁ ରାଜ୍ୟ ବିକାଶର ରୋଡ୍ ମ୍ୟାପ ଯାଏଁ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।

ଅଧିକ ପଢନ୍ତୁ:ନୂଆବର୍ଷରେ ନୂଆ ପିସିସି ସଭାପତି; ବରିଷ୍ଠ ନା ଯୁବ ଚେହେରା, କିଏ ସମ୍ଭାଳିବେ ରାଜ୍ୟ କଂଗ୍ରେସର ମଙ୍ଗ ?