ଏଇ ମାସ ୨୪ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏହି ଦିନ ୨୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ୫ ହଜାର ଟଙ୍କା ଦିଆଯିବ । ସେହିପରି ଯୋଜନାରୁ ଯେମିତି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେନି ସେଥିପାଇଁ ସରକାର ଯତ୍ନବାନ ଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
Also Read
ଲଣ୍ଡନରୁ ଫେରୁ ଫେରୁ ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା । ଆସନ୍ତା ୨୪ ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏଥିପାଇଁ ଏଥର ସୁନ୍ଦରଗଡ଼ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀମାନଙ୍କ ଉପସ୍ଥିତିରେ ୨୦ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ତେବେ ପୂର୍ବରୁ ସମୁଦାୟ ୧ କୋଟି ୨ ଲକ୍ଷ ମହିଳାଙ୍କୁ ଯୋଜନାରେ ସାମିଲ କରାଯିବାକୁ ସରକାର କହିଥିଲା ବେଳେ ଏବେ ଏଥିରେ ଆହୁରି ୨୦ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ାଯିବାର ଲକ୍ଷ୍ୟ ରହିଛି । ବଳକା ସବୁ ଯୋଗ୍ୟ ମହିଳାଙ୍କୁ ଡିସେମ୍ବର ମାସରେ ପ୍ରଥମ ପର୍ଯ୍ୟାୟ ଟଙ୍କା ମିଳିଯିବ । ସବୁଠାରୁ ବଡ଼କଥା ହେଲା କେହି ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ ନାହିଁ ବୋଲି ଆଶ୍ବାସନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କହିଛନ୍ତି ବାରମ୍ବାର ଆବେଦନ କରି ସାମାନ୍ୟ ଭୁଲ ଭଟକା ପାଇଁ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି ସେମାନେ ନିରାଶ ହେବାର କାରଣ ନାହିଁ । କାରଣ ନୂଆ ଗାଇଡ୍ଲାଇନ୍ ଅନୁଯାୟୀ ତ୍ରୁଟି ସଂଶୋଧନ ପାଇଁ ୟା ଭିତରେ ସରକାର ବିଜ୍ଞାପନ ଦେଇ ସାରିଛନ୍ତି । ଜିଲ୍ଲାପାଳମାନଙ୍କ ଜରିଆରେ ବ୍ଲକ ଓ ମୁନିସିପାଲିଟି ସ୍ତରରେ ଯାଞ୍ଚ କରିବାପାଇଁ ନିର୍ଦ୍ଦେଶ ବି ଦିଆଯାଇଛି ବୋଲି କହିଛନ୍ତି ପ୍ରଭାତୀ ।
ସୁଭଦ୍ରା ଯୋଜନାରେ E-KYC ରେ ତ୍ରୁଟି ପାଇଁ ଏପର୍ଯ୍ୟନ୍ତ ୨ ଲକ୍ଷ ୬୭ ହଜାର ମହିଳାଙ୍କ ନାଁ କଟିଛି । ହେଲେ ଏମାନଙ୍କ ପାଇଁ ସାମିଲ ହେବାର ସୁଯୋଗ ଥିବା ଜାଣି ଖୁସିବ୍ୟକ୍ତ କରିଛନ୍ତି ବାଦ୍ ପଡ଼ିଥିବା ଆଶାୟୀ । ଯେମିତି ବାଲେଶ୍ବର ସହର ୧୧ ନମ୍ବର ୱାର୍ଡର ସ୍ନେହଲତା ସାହୁ ଏବଂ ଶକୁନ୍ତଳା ନାୟକ । ଦୁହେଁ ସେପଟେମ୍ବର ମାସରୁ ସୁଭଦ୍ରା ଯୋଜନାରେ ସାମିଲ ହେବପାଇଁ ଆବେଦନ କରିଥିଲେ ବି ଟଙ୍କା ପାଇନାହାଁନ୍ତି। ସେହିପରି ଆଧାର ସହ ଆକାଉଣ୍ଟ ଲିଙ୍କ ନଥିବାରୁ ଯୋଜନାରୁ ବଞ୍ଚିତ ଗଞ୍ଜାମ ଖଲିକୋଟର ସୁରୂପା ପାହାନଙ୍କ ମନରେ ସୁଭଦ୍ରାରେ ସାମିଲ ହେବାର ଆଶା ଜାଗିଛି ।
ଦୁଇଟି ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ମୋଟ୍ ୬୦ ଲକ୍ଷ ୬୭ ହଜାର ମହିଳା ସୁଭଦ୍ରାରେ ସାମିଲ ହୋଇ ଟଙ୍କା ପାଇ ସାରିଛନ୍ତି । ସୂଚନା ଅନୁସାରେ ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଭୁବନେଶ୍ୱରର ଜନତା ମୈଦାନରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ଦଫାରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଯାଇଥିଲା ।
ସେହିପରି ଅକ୍ଟୋବର ୯ରେ ମହିଳାଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦା ସଭାରେ ମୁଖ୍ୟମନ୍ତ୍ରୀ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପଠାଇଥିଲେ । ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟ ଗଲା ୫ ହଜାର ଲେଖାଏଁ ମୋଟ୍ ୧୭୫୦ କୋଟିରୁ ଅଧିକ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇଥିଲେ । ଫଳରେ ଦୁଇଟି ପର୍ଯ୍ୟାୟରେ ଆଜି ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ତେବେ ଡିସେମ୍ବର ଶେଷ ସୁଦ୍ଧା ସମୁଦାୟ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ।
- Reported by:
- RASHMIRANJAN DAS , Silu Biswal