ଆସନ୍ତା ୨୪ ତାରିଖରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ବିଭିନ୍ନ ତ୍ରୁଟି କାରଣରୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ରିଜେକ୍ଟ ହୋଇଛି। ରିଜେକ୍ଟ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି । ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ତୃତୀୟ ପର୍ଯ୍ୟାୟରେ ମିଳିବ ଟଙ୍କା। ସଂଶୋଧନ କରିବାରେ ବିଳମ୍ବ ହେଲେ ୪ର୍ଥ ପର୍ଯ୍ୟାୟରେ ଟଙ୍କା ଦିଆଯିବ । ଜଣେ ବି ଯୋଗ୍ୟ ହିତାଧିକାରୀ ସୁବିଧାରୁ ବଞ୍ଚିତ ହେବେ ନାହିଁ’ ବୋଲି କହିଛନ୍ତି ପ୍ରଭାତୀ ପରିଡା ।
ଏହାପୂର୍ବରୁ ନଭେମ୍ବର ୨ ତାରିଖରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଡିସେମ୍ବର ଶେଷସୁଦ୍ଧା ସମୁଦାୟ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା।
Also Read
ଗଞ୍ଜାମ ଜିଲ୍ଲା ଖଲିକୋଟ୍ କଦଳୀବସନ୍ତ ଗାଁର ବନି ନାହକଙ୍କ ପରି ଆପଣଙ୍କର ବି ଖାରଜ ହୋଇଯାଇଛି କି ସୁଭଦ୍ରା ଆବେଦନ ? ବନିଙ୍କ କହିବା କଥା ପରିବାରର ୫ ଏକର ଜମି ପାଇଁ ତାଙ୍କ ଆବେଦନ ଖାରଜ ହୋଇଯାଇଛି। ହେଲେ ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର । ଆପଣଙ୍କ ଘରେ ପହଞ୍ଚିବେ ଅଙ୍ଗନବାଡ଼ି ଦିଦି । ପୁଣି ଥରେ ଯାଞ୍ଚ ହେବ ଖାରଜ ୨ ଲକ୍ଷ ୬୭ ହଜାର ଆବେଦନ । ଯେଉଁଥିରେ ସବୁଠୁ ଅଧିକ ରହିଛି ଜମି ବା ଭୂସଂପତ୍ତି ଆଧାରରେ ଖାରଜ ହୋଇଥିବା ଆବେଦନ ସଂଖ୍ୟା ।
ଏହା ସହ ପଢ଼ନ୍ତୁ: Subhadra Yojana 3rd Phase Money: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ଖୁବଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ଦଫା ଟଙ୍କା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଏସବୁ ଖାରଜ ଆବେଦନର ପୁନଃ ଯାଞ୍ଚ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ପରେ ବିଡିଓଙ୍କୁ ନୋଡାଲ୍ ଏଜେନ୍ସି ଭାବେ ନିଯୁକ୍ତ କରିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଏଥିସହ ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି । ଏ କମିଟି ଖାରଜର ଆଧାର ଓ କାରଣକୁ ଆଉ ଥରେ ବିଚାର କରିବେ। ଜମି ଆଧାରରେ ଅଧିକ ଆବେଦନ ଖାରଜ ହୋଇଥିବାରୁ ସେଗୁଡ଼ିକୁ ଆଉଥରେ ଯାଞ୍ଚ ପାଇଁ ଆରଆଇଙ୍କ ଜରିଆରେ ତହସିଲଦାର ଦେବେ ଭୂସଂପତ୍ତି ରିପୋର୍ଟ । ସେହିପରି ବ୍ୟାଙ୍କ ଲିଙ୍କେଜ୍ ନ ହେବା କାରଣରୁ କଟିଥିଲେ, ବ୍ୟାଙ୍କ ଏଥିପାଇଁ ସ୍ପଷ୍ଟୀକରଣ ଦେବ। ଏହାସହ ଅଙ୍ଗନୱାଡ଼ି କର୍ମୀ ଓ ଏମ ବି କେ ଚାକିରିକୁ ସରକାରୀ ଚାକିରି ଦର୍ଶାଇ ଖାରଜ ହୋଇଥିବା ଆବେଦନର ବି ପୁନଃ ବିଚାର ହେବ ।
ଏବେ ସୁଦ୍ଧା ସୁଭଦ୍ରା ଯୋଜନାରେ କୋଟିଏ ୨ ହଜାର ଆବେଦନ ହୋଇଥିଲା ବେଳେ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଲାଣି । ନଭେମ୍ବର ମାସ ଶେଷ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଏବଂ ଡିସେମ୍ବର ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟରେ ମୋଟ୍ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।