ତୃଣମୂଳ ସ୍ତରରେ ଶକ୍ତ ସଂଗଠନ ନଥିଲା। ତଥାପି ଭାରତୀୟ ଜନତା ପାର୍ଟିର ରଣକୌଶଳ ପାଖରେ ବୋକା ବନିଗଲା ଓଡ଼ିଶାରେ ୨୪ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡି ସରକାର। ଓଡ଼ିଶା ଲୋକ ଚାହିଁଲେ ଗୋଟେ ପରିବର୍ତ୍ତନ ହେଲା। ବିରୋଧୀରେ ରହିଲେ ବି ବିଜେଡିର ଶକ୍ତିକୁ ଅସ୍ୱୀକାର କରିହେବ ନାହିଁ।
ଏଭଳି ସମୟରେ କ୍ଷମତାସୀନ ବିଜେପି ପାଇଁ ବଡ଼ କାମ ହେଲା ଓଡ଼ିଶାର ତୃଣମୂଳରେ ନିଜର ପାଦକୁ ସୁଦୃଢ଼ କରିବା। ଦଳ ମଧ୍ୟ ଏହାର କାମ ଆରମ୍ଭ କରିଥିବା ପରି ମନେହେଲାଣି। ଷ୍ଟ୍ରାଟେଜୀ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କର ପରି ଲାଗୁଛି। କାରଣ ବିଜେପି ଧୀରେ ଧୀରେ ଓଡ଼ିଶାକୁ ଫୋକସକୁ ଆଣୁଛି।
Also Read
ଓଡ଼ିଶାରେ ଏବେ ତିନି ତିନିଟା ଜାତୀୟ ଘଟଣା ଘଟାଇ (ଗୋଟିଏ ଘଟି ସାରିଛି, ଆଉ ଦୁଇଟି ବାକି ଅଛି), ମୋଦି ପରୋକ୍ଷରେ ବୋଧହୁଏ ଏକ ବଡ଼ ସୂଚନା ଦେଇଛନ୍ତି।
ବିଜେପିର ବିଜୟ ପରେ କେନ୍ଦ୍ରୀୟ ସମ୍ମିଳନୀ:
ଓଡିଶାରେ ବିଜେପି ପ୍ରଥମଥର ପାଇଁ ଏକାକୀ ସରକାର ଗଠନ କରିବା ପରେ ରାଜ୍ୟରେ ୫୯ତମ ସର୍ବଭାରତୀୟ ଡିଜିପି-ଆଇଜିପି ମହାସମ୍ମିଳନୀ ଦେଖିବାକୁ ମିଳିଛି। ଏହାପୂର୍ବରୁ ରାଜସ୍ଥାନର ଜୟପୁର ସହରରେ ୫୮ତମ ସମ୍ମିଳନୀ ହୋଇଥିଲା। ସେଠି କଂଗ୍ରେସକୁ କ୍ଷମତାରୁ ହଟାଇ, ବିଜେପି ବିଜୟ ହାସଲ କରି ୨୦୨୩ରେ ସରକାର ଗଠନ କଲା ପରେ ହିଁ କେନ୍ଦ୍ର ଫୋକସରେ ରହିଥିଲା ରାଜସ୍ଥାନ।
ଏହି କ୍ରମରେ ୨୦୨୪ ଜାନୁଆରୀରେ ସେଠାରେ ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀ ହୋଇଥିଲା। ବିଜେପିର ଡବଲ ଇଂଜିନ ସରକାର ରାଜସ୍ଥାନରେ ବିଭିନ୍ନ ଲୋକାଭିମୂଖି ପଦକ୍ଷେପ ଓ ବିକାଶମୂଳକ ଯୋଜନା ହାତକୁ ନେଇଥିଲା। ଯାହା ଫଳରେ ପୁନର୍ବାର ଚଳିତ ବିଧାନସଭା ଉପନିର୍ବାଚନରେ ଭୋଟର ୭ଟିରୁ ୫ଟି ଆସନରେ ବିଜେପିକୁ ଜିତାଇଲେ।
ଅଧିକ ପଢନ୍ତୁ:ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପାଠଶାଳା, ହସହସରେ କହିଲେ ମଞ୍ଜ କଥା…ଭିଜନ-୩୬ ପାଇଁ ବତାଇଲେ ବାଟ
ମୋଦି ସରକାରରେ ବଦଳିଲା ସମ୍ମିଳନୀ ଧାରା:
କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀ ଧାରାରେ ପରିବର୍ତ୍ତନ ଆସିଲା। ଦଶନ୍ଧି ଦଶନ୍ଧି ଧରି ଦିଲ୍ଲୀରେ ହୋଇଆସୁଥିବା ଏହି ସମ୍ମିଳନୀ ୨୦୧୪ ମସିହାଠାରୁ ଦେଶର ବିଭିନ୍ନ ରାଜ୍ୟମାନଙ୍କରେ ଆୟୋଜନ ହେବାରେ ଲାଗିଲା। କେବଳ ଜାତୀୟ ସୁରକ୍ଷା ଉପରେ ଆଲୋଚନାକୁ ସୀମିତ ନରଖି ଅପରାଧ ପ୍ରତିରୋଧ ଓ ଚିହ୍ନଟ, କମୁ୍ୟନିଟି ପୁଲିସିଂ, ଆଇନ ଶୃଙ୍ଖଳା ଏବଂ ପୁଲିସ ଭାବମୂର୍ତ୍ତିର ଉନ୍ନତିକରଣ ଭଳି ଏକାଧିକ ଶୀର୍ଷକ ଆଦି ସମ୍ମିଳନୀରେ ସ୍ଥାନ ପାଇଲା।
କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ କରି ଏହି ସମ୍ମିଳନୀ ୨୦୧୪ରେ ଆସାମରୁ ଆରମ୍ଭ କଲେ। ୨୦୧୫ରେ ଗୁଜୁରାଟ, ୨୦୧୬ରେ ତେଲେଙ୍ଗାନା, ୨୦୧୭ରେ ମଧ୍ୟପ୍ରଦେଶ, ୨୦୧୮ରେ ପୁଣି ଥରେ ଗୁଜରାଟ, ୨୦୧୯ରେ ମହାରାଷ୍ଟ୍ରରେ ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀ ହୋଇଥିବାବେଳେ କୋରୋନା କଟକଣାକୁ ଦୃଷ୍ଟିରେ ରଖି ୨୦୨୦ରେ ଏହାକୁ ଭର୍ଚୁଆଲ ମାଧ୍ୟମରେ କରାଯାଇଥିଲା। ଏହାପରେ ୟୁପି, ଦିଲ୍ଲୀ ଓ ରାଜସ୍ଥାନ ପରେ ଚଳିତ ବର୍ଷ ପ୍ରଥମ କରି ଓଡିଶାରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି।
ଓଡିଶାକୁ ବିଶ୍ୱସ୍ତରୀୟ ଲକ୍ଷ୍ୟର ଶୁଭାରମ୍ଭ କି?
ବୋଧହୁଏ, ଓଡିଶାକୁ ବିଶ୍ୱ ମାନଚିତ୍ରରେ ଫୋକସକୁ ଆଣିବାକୁ ମୋଦିଙ୍କ ପ୍ରୟାସ ଏବେ ଆରମ୍ଭ ହେଲା। ଦୀର୍ଘ ଦଶନ୍ଧି ଧରି ହୋଇ ଆସୁଥିବା ସର୍ବଭାରତୀୟ ଡିଜିପି-ଆଇଜିପି ମହାସମ୍ମିଳନୀ ପ୍ରଥମଥର ପାଇଁ ଓଡିଶାରେ ହୋଇଛି। ଏଥିପାଇଁ ସାରା ଦେଶ ତଥା ବିଦେଶର ନଜର ଓଡିଶା ଉପରେ କେନ୍ଦ୍ରୀଭୂତ ହୋଇଥିଲା। ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଭଳି ଦେଶର ସର୍ବଶ୍ରେଷ୍ଠ ଶୀର୍ଷ ପଦାଧିକାରୀ ୩ ଦିନ ଧରି ଓଡିଶାରେ ରହି ଏହି ମହାସମ୍ମିଳନୀରେ ଯୋଗଦେଇଥିଲେ। ସମସ୍ତ ରାଜ୍ୟର ଡିଜି-ଆଇଜି, ପୁଲିସ ମୁଖିଆଙ୍କୁ ନେଇ ଜାତୀୟ ସୁରକ୍ଷା ସମ୍ପର୍କରେ ଏହି ବାର୍ଷିକ ମହାସମ୍ମିଳନୀ ହୋଇଥିଲା।
ନୌସେନା ଦିବସ ବି ଓଡ଼ିଶାରେ
ସେହିଭଳି ଦେଶର ବିଭିନ୍ନ ସହରରେ ହୋଇଆସୁଥିବା ଜାତୀୟ ନୌସେନା ଦିବସ ମଧ୍ୟ ପ୍ରଥମଥର ପାଇଁ ଓଡିଶାରେ ଡିସେମ୍ବର ୪ରେ ହେବାକୁ ଯାଉଛି। ଏଥିପାଇଁ ଭବ୍ୟ ଆୟୋଜନ ସହିତ ପୁରୀ ବେଳାଭୂମିରେ ଚାଲିଛି ସମରାଭ୍ୟାସ। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଏଥିରେ ଯୋଗଦେବେ। ଏହାପରେ ଜାନୁଆରୀ ୮ରୁ ୧୦ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ। ଏହା ପୂର୍ବରୁ ଓଡିଶାରେ ଜି-୨୦ ସମ୍ମିଳନୀ ହୋଇଥିଲା। କୁହାଯାଉଛି, ଏହା ହେଉଛି ଏକ ଷ୍ଟ୍ରାଟେଜି। ପୂର୍ବୋଦୟର ବିକାଶ ପାଇଁ ଏହା ଥିଲା ଶୁଭ ପକାଇବା।
ବିଜେପିର ଲକ୍ଷ୍ୟ ତୃଣମୂଳରୁ ସୁଦୃଢ:
ଏସବୁକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଓଡିଶାରେ ବିଜେପି ସଙ୍ଗଠନ ତୃଣମୂଳସ୍ତରରୁ ମଜବୁତ କରିବାର ଲକ୍ଷ୍ୟରେ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ମୋଦୀଙ୍କ ଗସ୍ତରେ ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ଅଢେଇ ଘଂଟା ଧରି ଏନେଇ କର୍ମୀଙ୍କ ସହିତ ବୈଠକ ହୋଇଥିଲା। ୨୪ ବର୍ଷ ଧରି କ୍ଷମତାରେ ରହିଆସିଥିବା ଦେଶର ଏକ ଶକ୍ତିଶାଳୀ ଆଂଚଳିକ ଦଳ ଭାବରେ ବିଜେଡିକୁ ଗାଦିଚ୍ୟୁତ କରିବା ବିଜେପି ପାଇଁ ଏକ ବଡ ଉପଲବ୍ଧି। ଓଡିଶାରେ ବିଜେପି କ୍ଷମତାକୁ ଆସିବାର ସବୁଠାରୁ ବଡ ମାଧ୍ୟମ ହେଲା ବିଜେଡି ବିରୋଧୀ ଲହର ! ସଫଳତାକୁ ବଜାୟ ରଖିବା ବିଜେପି ପାଇଁ ସବୁଠାରୁ ବଡ଼ ଟାସ୍କ।
ଅଧିକ ପଢନ୍ତୁ:ନବୀନ ନିବାସ ସମ୍ମୁଖରେ ମୋଦିଙ୍କ ସଭା, ନାଁ ନନେଇ ନବୀନଙ୍କୁ କଲେ ଟାର୍ଗେଟ
ଉପସଂହାର
ବିଜେପି ଅଚାନକ କ୍ଷମତାକୁ ଆସିଛି। ଏବେବି ରାଜ୍ୟର ତୃଣମୂଳରେ ଦଳର ସଙ୍ଗଠନ ସୁଦୃଢ ହୋଇନାହିଁ। ଦଳର ମୁଖ୍ୟ କାମ ହେଲା, ଓଡ଼ିଶାର ବିକାଶ ସହିତ ଦଳକୁ ସଂଗଠିତ କରି ରଖିବା। ଏ ଦୁଇ ପ୍ରସଙ୍ଗ ସମାନ୍ତର ଭାବେ ଚାଲିଲେ ଉଭୟ ପାଇଁ ଭଲ। ଆଗକୁ ପୌର ଓ ପଂଚାୟନ ନିର୍ବାଚନ ଆସିବ। ସେଇଥିରେ ହିଁ ଦଳ ଜାଣିବ ନିଜର ଦକ୍ଷତା ବଢୁଛି ନା ନାହିଁ। ଏହାପରେ ସାଧାରଣ ନିର୍ବାଚନରେ ଦେବାକୁ ହେବ ଫାଇନାଲ୍ ପରୀକ୍ଷା। ଏହାରି ଭିତରେ କାହାର ଲୋକପ୍ରିୟତା କେତେ ବଢୁଛି ଓ କେତେ ଛିଣ୍ଡୁଛି ତାହା ଦୁଇ ଦଳର ଆଗାମୀ ରଣକୌଶଳ ଉପରେ ନିର୍ଭର କରେ।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)