• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠୁ ସିଧାସଳଖ ଚନ୍ଦ୍ରଶେଖରପୁର ସ୍ଥିତ ନିଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂତନ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବେ । ରାଜଭବନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି । ବୁଧବାର ପୁରୀ ଗସ୍ତ କରିବେ ରାଷ୍ଟ୍ରପତି । ୯ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ପୁରୀରେ ଆୟୋଜିତ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆଉ ମାତ୍ର ମଝିରେ ଗୋଟିଏ ଦିନ, ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ୱ । ପୁରୀ ବିଚ୍‌ରେ ରଣକୌଶଳ ପ୍ରଦର୍ଶନ ହେବ । ଗତକାଲି ପ୍ରଥମ ଦିନ ଫୁଲ୍ ଡ୍ରେସ୍ ରିହରସେଲ୍ ହୋଇଥିବା ବେଳେ ଆଜି ବି ସମାନ ଢଙ୍ଗରେ ଫୁଲ୍ ଡ୍ରେସ୍ ରିହରସେଲ୍ ହୋଇଛି । ବିଶ୍ୱ ଦେଖିବ ଭାରତର ୩ ସେନାର ବୀରତ୍ୱ । ୧୫ଟି ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ୍ ଯୁଦ୍ଧକୌଶଳ ଦେଖାଇବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ହେବେ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଢେର ଅଧିକ ।

ଲକ୍ଷାଧିକ ଲୋକ ପୁରୀ ସମୁଦ୍ରକୂଳରେ ରହି ଏହି ଚିତ୍ତାକର୍ଷକ ଶୋ’ ଦେଖିବାକୁ ପ୍ରତିଦିନ ଭିଡ଼ ଜମାଉଛନ୍ତି । ୧୯୭୧ ମସିହାରେ ପାକିସ୍ତାନ ଉପରେ ଭାରତର ବିଜୟର ଗାଥା ବହନ କରିଥିବା ସ୍ମୃତିକୁ ବହନ କରି ପ୍ରତିବର୍ଷ ନୌସେନା ଦିବସ ପାଳନ କରାଯାଉଛି । ଆସନ୍ତା ୪ ତାରିଖରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆଖିଝଲସା ସମରକଳା ପ୍ରଦର୍ଶନ କରିବେ ନୌସେନା ଯବାନ । ଗଭୀର ସମୁଦ୍ରରେ ଏକାଧିକ ଯୁଦ୍ଧ ଜାହାଜ ଓ ଆକାଶରେ ଏୟାରକ୍ରାଫ୍ଟ ଜୋରଦାର ଅଭ୍ୟାସ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମାଟି ତଳେ ରଖିଥିଲେ ସାରା ଜୀବନ ପୁଞ୍ଜି, ଖୋଳିଲା ପରେ ବାହାରିଲା କିନ୍ତୁ...

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଚିରେ ରଖି ଆଜି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସମୀକ୍ଷା ବୈଠକ ହୋଇଥିବା ବେଳେ ଲକ୍ଷାଧିକ ଦର୍ଶକ ଓ ପର୍ଯ୍ୟଟକଙ୍କ ସମାଗମକୁ ଦେଖି ପୁରୀରେ ଲାଗୁ ହୋଇଛି ଟ୍ରାଫିକ୍ କଟକଣା । ନୌସେନା ଦିବସର ଅବ୍ୟବହିତ ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଜୋରଦାର ଅଭ୍ୟାସ କରିଛନ୍ତି ନେଭି ଯବାନ । ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହୋଇଛି ଦୁଃସାହସିକ ରଣକୌଶଳ ।

ଗର୍ଜିଛି ଯୁଦ୍ଧ ଟ୍ୟାଙ୍କ, ନୌସେନାର ବନ୍ଧୁକ । ନେଭି ୟୁନିଫର୍ମରେ ନନଷ୍ଟପ୍ ପରେଡ୍ ଅଭ୍ୟାସ କରିଛନ୍ତି ଯବାନ । ଗଭୀର ସମୁଦ୍ରରେ ଚକ୍କର କାଟୁଛନ୍ତି ଏକାଧିକ ଯୁଦ୍ଧ ଜାହାଜ । ଆମ୍ପିବିୟସ୍ INS ଜଲସା, ମିଶାଇଲ୍ ଡେଷ୍ଟ୍ରୟର INS ଦିଲ୍ଲୀ, INS ଶକ୍ତି, INS ସର୍ୟୁ , INS ଅରିହନ୍ତ, INS ସାତପୁରା, ଫ୍ରିଗେଟ୍ କ୍ଲାସ୍ INS ଶିବାଲିକ, କୋମର୍ତ୍ତା କ୍ଲାସ୍ କୋର୍ଭେଟସ୍ ଜାହାଜ ପହଞ୍ଚି ସାରିଛନ୍ତି । ୱାରସିପ୍ ଗୁଡିକର ଗର୍ଜନରେ କମ୍ପିଲାଣି ସାରା ପୁରୀ । ସେହିପରି ଆକାଶରେ ପଇଁତରା ମାରୁଛି ୩୦ରୁ ଅଧିକ ଫାଇଟର ଜେଟ୍ ଓ ହେଲିକପ୍ଟର ।

ହକ୍, ସି-କିଙ୍ଗ, ମିଗ୍-୨୯ ଏବଂ ଡୋନିୟର ଭଳି ଏୟାରକ୍ରାଫ୍ଟ ସହ ଚେତକ, MS-60 ହେଲିକପ୍ଟରର ଚାଲିଛି ଘନ ଘନ ଅଭ୍ୟାସ । ନୌସେନା ପକ୍ଷରୁ ମାର୍କସ ଡେମୋ, କମ୍ବାଟ ଫ୍ରିଫଲ୍, ଆଞ୍ଜେଲ ଡେମୋ, ଆଣ୍ଟି ସବମେରିନ୍ ରକେଟ୍ ଫାୟାରିଂ ଭଳି ୨୦ ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନ କରାଯିବ ।

୪ ତାରିଖରେ ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଳାଗ୍ ବିଚରେ ପହଞ୍ଚିବା ପରେ ଅପରାହ୍ଣ ୪ଟା ୧୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ ନୌସେନାର ଆଖିଝଲସା ସମରକୌଶଳ ପ୍ରଦର୍ଶନ । ଏହାପରେ ଘଣ୍ଟାଏ ଧରି ଲେଜର ସୋ, ଫାୟାର ସୋ ଓ ଡ୍ରୋନ୍ ସୋ ହେବ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଅଧିକ ପଢ଼ନ୍ତୁ: ବ୍ଲୁ ଫ୍ଲାଗ୍ ବିଚରେ ରଣଭୂମିର ଭ୍ରମ, ଶୁଭୁଛି ଯୁଦ୍ଧପୋତର ଗର୍ଜନ...ଆକାଶ ଚିରୁଛି ଲଢ଼ୁଆ ବିମାନ

OTV is now on Whatsapp

Join and get latest news update delivered to you via whatsapp

Join Now