ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି, ଶିବସେନା ଓ ଏନସିପି ଶିବିରରେ ଜୋରଦାର ସେଲିବ୍ରେସନ୍ । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୨୯ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ ଜିତିଛି ୧୩୩ ସିଟ୍ । ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେପଟେ ମାତ୍ର ୫୧ ଆସନ ସହ ମହାବିପର୍ଯ୍ୟୟର ସାମ୍ନା କରିଛି ମହାବିକାଶ ଅଘାଡ଼ି । ଭୋଟ୍ ସେୟାରରେ ଷଷ୍ଠ ସ୍ଥାନକୁ ଖସିଯାଇଛି ଉଦ୍ଧବ ସେନା ।
Also Read
ମହାରାଷ୍ଟ୍ର... ମହାୟୁତି... ମହା ବିଜୟ । ମରାଠା ମାଟିରେ ପୁଣି ମୋଦି ମ୍ୟାଜିକ୍ କାମ କଲା- 'ଏକ୍ ହୈ ତୋ ସେଫ୍ ହୈ'... 'ମୋଦି ହୈ ତୋ ମୁମକିନ୍ ହୈ' ନାରା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ବାଜିମାତ୍ ପରେ, ଚାରିଆଡ଼େ ଜୋରଦାର ସେଲିବ୍ରେସନ୍ । କର୍ମୀଙ୍କ ଠୁ ଟପ୍ ନେତା, ସମସ୍ତେ ଉତ୍ସାହିତ, ଉଲ୍ଲସିତ । ମହାବିଜୟ ପରେ ପରସ୍ପରକୁ ମିଠା ଖୁଆଇଛନ୍ତି ମହାୟୁତି ମେଣ୍ଟର ୩ ଟପ୍ ନେତା ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡ଼ନାଭିସ୍ ଓ ଅଜିତ ପାୱାର ।
ତେବେ ବିଜେପି ଶିବିରରେ ଖୁସି କାହିଁରେ କେତେ । କାରଣ ଏଥର ମହାରାଷ୍ଟ୍ରରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି ପଦ୍ମ । ସେଇ ଖୁସିରେ ଫଡ଼ନାଭିସ୍ ନିଜେ କେଉଁଠି ଗଦା ଉଞ୍ଚାଇଲେ, କେଉଁଠି ଜିଲାପି ଛାଣିଲେ। ଏଥିସହ ସୋସିଆଲ ମିଡିଆରେ ଲେଖିଛନ୍ତି- 'ଏକ୍ ହୈ ତୋ ସେଫ୍ ହୈ'... 'ମୋଦି ହୈ ତୋ ମୁମକିନ୍ ହୈ' । ଆଜିର ଐତିହାସିକ ସଫଳତା ସହ, ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ୍ ଦଳ ଭାବେ କ୍ଷମତା ଜାହିର କରିଛି ବିଜେପି । ଗୋଆ, ଗୁଜରାଟ, ହରିୟାଣା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ଷଷ୍ଠ ରାଜ୍ୟଭାବେ ତୃତୀୟ ଥର କ୍ଷମତାକୁ ଆସିଛି ବିଜେପି । ମହାରାଷ୍ଟ୍ରରେ ନିଜର ୨୦୧୪ ଓ ୨୦୧୯ ରେକର୍ଡକୁ ଭାଙ୍ଗିଛି ପଦ୍ମ । ମହାୟୁତି ୨ଶହରୁ ଅଧିକ ସିଟ୍ ଜିତିଥିବାରୁ, ୧୯୭୨ ମସିହା ପରେ ମହାରାଷ୍ଟ୍ରରେ ପ୍ରାକ୍-ନିର୍ବାଚନୀ ମେଣ୍ଟ ପାଇଁ ଏହା ସର୍ବବୃହତ୍ ବିଜୟ।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପରାଜୟ ପରେ ରାହୁଲଙ୍କୁ ଟ୍ରୋଲ୍ କଲେ ଗୁଜରାଟର ମନ୍ତ୍ରୀ, କହିଲେ...
୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ଦୁର୍ବଳ ପ୍ରଦର୍ଶନ କରିଥଲା ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ । ହେଲେ ବିଧାନସଭା ନିର୍ବାଚନ ପାଇଁ, ଅଚାନକ କେମିତି ୟୁ-ଟର୍ଣ୍ଣ ନେଲା ଜନମତ ? ମାତ୍ର ୫ ମାସ ଭିତରେ କର ବା ମର ସ୍ଥିତିକୁ, କିପରି ନିଜ ସପକ୍ଷରେ କଲା ମହାୟୁତି ? କୁହାଯାଉଛି, ମହିଳା, ଓବିସି ଓ ଚାଷୀଙ୍କୁ ଫୋକସ୍ କରିଥିଲା ମହାୟୁତି ।
୧- (ମହିଳା) ମହାୟୁତି ସରକାରର ପ୍ରଥମ ସ୍କିମ୍ ଥିଲା 'ମାଝି ଲଡ଼କୀ ବହିନ୍' ଯୋଜନା। ଏଥିରେ ମହିଳାଙ୍କୁ ମାସକୁ ୧୫ଶହ ଟଙ୍କା ମିଳୁଥିବା ବେଳେ, ପୁଣି କ୍ଷମତାକୁ ଫେରିଲେ ଏହାକୁ ୨୧ଶହ ଟଙ୍କାକୁ ବଢ଼ାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।
୨- (ଓବିସି) ଅଣ-ମରାଠା ଓବିସି ଭୋଟ୍ ଉପରେ ଦଖଲ ବଢ଼ାଇବାକୁ, ୯୦ ଦଶକର 'ମାଧବ' ଫର୍ମୁଲା ବା ମାଳି, ଧାଙ୍ଗର ଓ ବଞ୍ଜାରୀ ବର୍ଗଙ୍କୁ ଫୋକସ୍ କରିଥିଲା ମହାୟୁତି। ମରାଠାମାନେ କାଳେ ସେମାନଙ୍କ ସଂରକ୍ଷଣ ଉପରେ ଭାଗ ବସାଇବେ, ସେଇ ଆଶଙ୍କାରେ ଥିବା ଓବିସି ବର୍ଗଙ୍କ ଉଦ୍ଦେଶ୍ୟରେ 'ଏକ୍ ହୈ ତୋ ସେଫ୍ ହୈ' ନାରା ଦେଇଥିଲେ ମୋଦି ।
୩- ଚାଷୀଙ୍କ ପାଇଁ ମାଗଣା ବିଜୁଳି, ସଂକଳ୍ପ ପତ୍ରରେ କୃଷି ଋଣ ମାଫ୍ ପ୍ରତିଶ୍ରୁତି, ଭାବାନ୍ତର ଯୋଜନା, ପିଆଜର ରପ୍ତାନୀ ଶୁଳ୍କ ହ୍ରାସ ଆଦି ପଦକ୍ଷେପ ମଧ୍ୟ ଏହି ସଫଳତା ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି ।
ଏସବୁ ବ୍ୟତୀତ ନିର୍ବାଚନୀ ପ୍ରଚାରରେ ବି ପର୍ଯ୍ୟାପ୍ତ କସରତ କରିଥିଲା ମହାୟୁତି। ନିଜେ ପିଏମ୍ ମୋଦି ୧୦ଟି ରାଲି କରି ୧୦୬ଟି ବିଧାନସଭା କ୍ଷେତ୍ରକୁ ସମ୍ବୋଧିତ କରିଥିବା ବେଳେ, ସିଏମ୍ ଏକନାଥ ସିନ୍ଦେ ସର୍ବାଧିକ ୭୫ଟି ରାଲି କରିଥିଲେ । RSSର ସକ୍ରିୟ ଭୂମିକା ଏବଂ ହରିୟାଣା ହାଟ୍ରିକ୍ ବିଜୟ ବି ଯାଇଥିଲା ବିଜେପି ସପକ୍ଷରେ ।
ମହାୟୁତିର ମହା ବିଜୟ ପରେ ଏବେ ସବୁଠି ଗୋଟିଏ କଳ୍ପନା ଜଳ୍ପନା । କିଏ ହେବ 'ମହା' ମୁଖ୍ୟମନ୍ତ୍ରୀ ? ସିଏମ୍ ଓ ଡେପୁଟିଙ୍କ ମଧ୍ୟରେ ହେବ କି ଗାଦି ଅଦଳବଦଳ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସେନାପତି ଦେବେନ୍ଦ୍ର ଫଡ଼ନାଭିସ୍ । ସେ ହିଁ ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଦାବି କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ହୋର୍ଡିଂ ଲଗାଇଲେଣି ତାଙ୍କ ସମର୍ଥକ । କର୍ପୋରେଟରରୁ ନାଗପୁରର ସର୍ବକନିଷ୍ଠ ମେୟର ଏବଂ ୨୦୧୪ରେ ମହାରାଷ୍ଟ୍ରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। କୁହାଯାଏ, ୨୦୨୨ ସତ୍ତାପଲଟ୍ ପଛରେ ବି ଥିଲା ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରମୁଖ ଭୂମିକା । ଏସବୁ ସତ୍ତ୍ବେ ସେତେବେଳେ ଡେପୁଟି ସିଏମ୍ ପଦ ପାଇଁ ରାଜି ହୋଇ, ଦଳକୁ କ୍ଷମତାକୁ ଆଣିବାକୁ ସେ ବଡ଼ ବଳିଦାନ ଦେଇଥିବା ଚର୍ଚ୍ଚା ହୁଏ। ତେବେ ପ୍ରତିକ୍ରିୟାରେ ଫଡ଼ନାଭିସ୍ କହିଛନ୍ତି- ମୁଁ ଆଜିର ଅଭିମନ୍ୟୁ। କେମିତି ଚକ୍ରବ୍ୟୁହ ଭଙ୍ଗାଯାଏ, ମୋତେ ଜଣା । ଆଜିର ବିଜୟ ଟିମର ବିଜୟ । ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ଦ୍ବନ୍ଦ୍ବ ନାହିଁ । ୩ ଦଳର ନେତା ଏହି ନିଷ୍ପତ୍ତି ନେବେ ଏବଂ ତାହା ସର୍ବମାନ୍ୟ ହେବ ।