ସରିଲା ଆଇପିଏଲ ମେଗା ଅକ୍ସନ । ସାଉଦି ଆରବର ଜେଦ୍ଦା ସହରରେ ନଭେମ୍ବର ୨୪ ଓ ୨୫ରେ ଅନୁଷ୍ଠିତ ହୋଇଥିଲା ଆଇପିଏଲ ମେଗା ଅକ୍ସନ । ତେବେ ଏହି ଆଇପିଏଲ ମେଗା ଅକ୍ସନ ପରେ ସବୁଠୁ ଚର୍ଚ୍ଚାରେ ରହିଛି ରାଜସ୍ଥାନ ରୟାଲ୍ସ । କାହିଁକି ରାଜସ୍ଥାନରେ ହୋଇଥିବା ମେଗା ଅକ୍ସନରେ ୧୩ ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରାଯାଇଛି । ୧.୧୦ କୋଟି ଟଙ୍କାରେ ବୈଭବଙ୍କୁ ନିଜ ଦଳରେ ସାମିଲ କରିଛି ରାଜସ୍ଥାନ । ବୈଭବ ସୂର୍ଯ୍ୟବଂଶୀଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଥିଲା । କିନ୍ତୁ ସେ ତାଙ୍କ ବେସ୍ ପ୍ରାଇସ୍ଠାରୁ ପ୍ରାୟ ଚାରି ଗୁଣ ଅଧିକରେ ବିକ୍ରି ହୋଇଥିଲେ । ଯାହାଫଳରେ ସେ ଆଇପିଏଲ ଇତିହାସରେ ବିକ୍ରି ହୋଇଥିବା ସର୍ବକନିଷ୍ଠ ଖେଳାଳିର ମାନ୍ୟତା ପାଇଛନ୍ତି ।
ବିହାରରେ ଜନ୍ମଗ୍ରହଣ କରିଥିବା ବୈଭବ କେବଳ ୧୩ ବର୍ଷ ବୟସରେ ଆଇପିଏଲ ନିଲାମ ପାଇଁ ସର୍ଟଲିଷ୍ଟ ହୋଇ ଇତିହାସ ରଚିଥିଲେ । ତାଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଡ୍ ଲଗାଇଥିଲେ । ଶେଷରେ ରାଜସ୍ଥାନ ବୈଭବଙ୍କୁ ୧.୧ କୋଟିରେ ନିଜ ଦଳରେ ସାମିଲ କରିଥିଲା ।
Also Read
ଅଧିକ ପଢ଼ନ୍ତୁ: ଦିନେ ଥିଲେ IPL ଷ୍ଟାର୍; ଏବେ ହେଲେ ଅଲୋଡ଼ା, କେହି ବି କିଣିଲେନି...
ବୈଭବ ଆଇପିଏଲ ନିଲାମୀକୁ ଆସିବା ପୂର୍ବରୁ ଘରୋଇ କ୍ରିକେଟରେ ଅନେକ କିର୍ତ୍ତୀମାନ ନିଜ ନାମରେ କରି ସାରିଛନ୍ତି । ଏହି ବାମ ହାତୀ ବ୍ୟାଟ୍ସମ୍ୟାନ୍ ଖୁବ୍ କମ୍ ବୟସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଜାନୁଆରୀ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିବା ପରେ ସୂର୍ଯ୍ୟବଂଶୀ ସେପ୍ଟେମ୍ବର ଇଣ୍ଡିଆ U19 ବନାମ ଅଷ୍ଟ୍ରେଲିଆ U19 ଯୁବ ଟେଷ୍ଟ ସିରିଜରେ ଏକ ଚମତ୍କାର ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଆଗାମୀ ଅଣ୍ଡର -19 ଏସିଆ କପ୍ରେ ବୈଭବ ସୂର୍ଯ୍ୟବଂଶୀ ଭାରତର ପ୍ରତିନିଧିତ୍ୱ କରିବେ ।
ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆର ଅଣ୍ଡର -୧୯ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ଅଣଆନୁଷ୍ଠାନିକ ଟେଷ୍ଟ ସିରିଜ୍ ଖେଳାଯାଇଥିଲା । ଏଥିରେ ବୈଭବ ମାତ୍ର ୫୮ ବଲରେ ଶତକ ହାସଲ କରିଥିଲେ । ବୈଭବ ଅଣ୍ଡର -19 ଟେଷ୍ଟରେ ଭାରତୀୟ ଭାବେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ଭାରତର ବଡ଼ ବିଜୟ, ଗାବା ପରେ ଏବେ ପର୍ଥରେ ଭାଙ୍ଗିଲା କଙ୍ଗାରୁ ଦଳର ଗର୍ବ
ବୈଭବ ମାତ୍ର ୧୨ ବର୍ଷ ୨୮୪ ଦିନ ବୟସରେ ରଣଜୀ ଟ୍ରଫି ପାଇଁ ଡେବ୍ୟୁ କରିଥିଲେ । ଏହା କରିବାରେ ସେ ଚତୁର୍ଥ କନିଷ୍ଠ ଖେଳାଳି ହୋଇଥିଲେ । ଏହା ସହ ସେ ସଚିନ୍ ତେନ୍ଦୁଲକରଙ୍କ ସମେତ ଅନେକ ଖେଳାଳିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସଚିନ ଖୁବ୍ କମ୍ ବୟସରେ ରଣଜୀ କ୍ରିକେଟ୍ରେ ଏକ ବଡ଼ ନାମ ଭାବେ ଉଭା ହୋଇଥିଲେ ଏବଂ ଭାରତୀୟ ଯୁବ ଦଳରେ ସ୍ଥାନ ପାଇଥିଲେ ।
ବୈଭବଙ୍କ ବ୍ୟାଟିଂ ଶୈଳୀ ପୃଥ୍ୱୀ ଶ’ ଏବଂ ଶିଖର ଧାୱନଙ୍କ ସହ ପ୍ରାୟ ସମାନ । ଅଷ୍ଟ୍ରେଲିଆ ବିପକ୍ଷରେ ବୈଭବ ଖେଳିଥିବା ଶତକୀୟ ଇନିଂସରେ ସ୍କୋୟାର ଡ୍ରାଇଭ୍, ପୁଲ୍ ସଟ୍, କଭର ଡ୍ରାଇଭ୍ ଭଳି ସଟ୍ ଖେଳିଥିଲେ । ବୈଭବ ସୂର୍ଯ୍ୟବଂଶୀଙ୍କ କ୍ରିକେଟ ଯାତ୍ରା ୯ ବର୍ଷ ବୟସରୁ ଆରମ୍ଭ ହୋଇଥିଲା । ସେ ତାଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀଙ୍କଠାରୁ ପ୍ରାରମ୍ଭିକ କୋଚିଂ ଗ୍ରହଣ କରିଥିଲେ । କ୍ରିକେଟ୍ ପ୍ରତି ତାଙ୍କ ଉତ୍ସାହ ଏବଂ ନିଷ୍ଠା ବଳରେ ବୈଭବ ଏତେ କମ୍ ବୟସରେ ବହୁ ସଫଳତା ନିଜ ନାମରେ କରିପାରିଛନ୍ତି ।