• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ବିଜୁ ଜନତା ଦଳ ନିଜର ଅସଜଡ଼ା ଘରକୁ ଯେତେ ସଜାଡିଲେ ବି ଅଡୁଆ ସେତେ ବଢୁଛି । ଯୁବ ଛାତ୍ରଙ୍କଠୁ ଆରମ୍ଭ କରି ବରିଷ୍ଠଙ୍କୁ ସଙ୍ଗଠିତ କରିବାକୁ ଦଳ ପ୍ରୟାସ କରୁଛି । ସେପଟେ କିନ୍ତୁ ଗୋଷ୍ଠୀ କନ୍ଦଳ ବଢି ବଢି ଚାଲିଛି । ଆଉ ଏହାର ଫଳ ଦେଖିବାକୁ ମିଳୁଛି ବିଭିନ୍ନ ପୌର ସଂସ୍ଥାରେ । ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ଭବାନୀପାଟଣା ମ୍ୟୁନସିପାଲିଟି ଚେୟାରପର୍ସନ ପଦ ହରାଇଥିବା ବେଳେ ପୁରୀ ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନସ୍ଥା ପ୍ରସ୍ତାବ । 

ଗ୍ରାଉଣ୍ଡରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତା । ବିଭିନ୍ନ ସ୍ଥାନରେ କରୁଛନ୍ତି ଘନ ଘନ ବୈଠକ । କାରଣ ଦଳକୁ ଘାରିଛି ସଂଗଠନ ଚିନ୍ତା । ଆସ୍ଥା ହରାଉଛନ୍ତି ନେତା । ଦୂରଉଛନ୍ତି ଯୁବ ବର୍ଗ । ତେଣୁ ଛାମୁଆ ସଂଗଠନକୁ ମଜବୁତ କରିବାକୁ ବିଜେଡି ଆରମ୍ଭ କରିଛି କସରତ । ଜିଲ୍ଲାରୁ ଜିଲ୍ଲା ବୁଲି ଯୁବ ଓ ଛାତ୍ର କର୍ମୀଙ୍କୁ ଭେଟି ଆଲୋଚନା କରୁଛନ୍ତି ଦଳର ବିଜୁ ଯୁବ ଓ ଛାତ୍ର ଜନତା ସଭାପତି । ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବାରୁ ନେତାଙ୍କଠାରୁ ଆରମ୍ଭ କରି ଯୁବ ଓ ଛାତ୍ର କର୍ମୀଙ୍କ ଯାଏ ସମସ୍ତେ ଏବେ ବିଜେପି ମୁହାଁ । ତେଣୁ ଏହାକୁ ଚେକ୍ ଦେବା ଲାଗି ଦଳ ତୃଣମୂଳ ସ୍ତରରେ ପହଞ୍ଚୁଛି । ତେବେ ବିଜେଡ଼ିର ଏ ଚାଲ କାମ ଦେବନି ବୋଲି କହିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।


ଗୋଟିଏ ପଟେ ବିଜେଡ଼ି ନିଜ ସ୍ଥିତି ବଞ୍ଚାଇବା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିବା ବେଳେ ସେପଟେ କିନ୍ତୁ ଗଡ଼ ଭୁଶୁଡ଼ି ଚାଲିଛି । ଆଜି ଗୋଟିଏ ପଟେ ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲା ବିଜେଡିର ଯୁବ ଓ ଛାତ୍ର ସଂଗଠନ ବୈଠକ ଚାଲିଥିବା ବେଳେ ସେପଟେ ଅନାସ୍ଥା ବୈଠକରେ ପଦ ହରାଇଛନ୍ତି ବିଜେଡି ମ୍ୟୁନିସିପାଲିଟି ଚେୟାରପର୍ସନ ସଂଯୁକ୍ତା ବେହେରା । ବିଜେଡ଼ିର ଗୋଷ୍ଠୀ କନ୍ଦଳ ଲାଗି ତାଙ୍କୁ ବିଦା ହେବାକୁ ପଡିଛି । ଆଉ ଏପଟେ ପୁରୀ ଜିଲ୍ଲା ନିମାପଡ଼ାର ଏନ୍ଏସି ଅଧ୍ୟକ୍ଷା ବିଜେଡିର ସସ୍ମିତା ସାହୁଙ୍କ ବିରୋଧରେ ଆସିଛି ଅନାସ୍ଥା । ଗତ ନିର୍ବାଚନ ବେଳେ ଏନଏସିର ଅନେକ ସଦସ୍ୟ ଦଳ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ୧୧ ଜଣିଆ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡିର ୨, ଜଣେ ସ୍ବାଧୀନ ଓ ୮ ବିଜେପି ସଦସ୍ୟ ଥିବାବେଳେ ଏଠାରେ ବିଜେଡ଼ି ପାଇଁ ଅଡୁଆ ସ୍ଥିତି ଦେଖାଦେଇଛି । 
ତେଣେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ଯୁବଠୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ଯାଏଁ ସମସ୍ତେ ଏବେ ବିଜେଡ଼ି ନେତୃତ୍ୱ ଉପରେ ଅସନ୍ତୁଷ୍ଟ । ତେଣୁ ପଞ୍ଚାୟତ ଓ ପୌର ପ୍ରତିନିଧିମାନେ ବି ଦଳ ଡିଆଁ ଆରମ୍ଭ କରିଦେଲେଣି । ଏବେ ଦେଖିବାର କଥା ହେଉଛି ବିଜେଡି ଭୁଶୁଡୁ ଥିବା ଦୁର୍ଗକୁ ରକ୍ଷା କରିବାରେ କେତେ ସଫଳ ହେଉଛି ।

 

  • Reported by:
  • MADHUSUDAN MISHRA , JAGDISH DAS , Rajkumar Shingdeo

OTV is now on Whatsapp

Join and get latest news update delivered to you via whatsapp

Join Now