/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677077088.jpg)
Naba Das murder case
କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଦୀର୍ଘ ୨୪ ଦିନ ପରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ଆଜି ବିଧାନସଭାରେ ବିବୃତି ରଖି ହତ୍ୟାକାଣ୍ଡ ତଦନ୍ତର ଅଗ୍ରଗତି ସଂପର୍କରେ ଅବଗତ କରିଛନ୍ତି । ତା ସହିତ ତଦନ୍ତରେ ସହଯୋଗ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସହଯୋଗ ଲୋଡ଼ିଥିବା କହିଥିଲେ ।
ଖାଲି ସେତିକି ନୁହେଁ, ବିରୋଧୀ ବିଶେଷ କରି ବିଜେପି ଉପରେ ବର୍ଷିଥିଲେ ନବୀନ । ବିରୋଧୀ କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: ନବଙ୍କ ମୃତ୍ୟୁ ପୂର୍ବରୁ ପ୍ରଶାସନିକ ଅଫିସ୍ରେ ହୋଇଥିଲା କି ପ୍ଲାନ୍ ?
ଲଗାତାର ଦ୍ୱିତୀୟ ଦିନରେ ଗୃହରେ ନବ ଦାସ ହତ୍ୟା ଘଟଣାକୁ ନେଇ କଂପନ ସୃଷ୍ଟି ହୋଇଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ଓ କଂଗ୍ରେସ ବିଧାୟକ ମାନେ ହୋହଲ୍ଲା କରିଥିଲେ । କାଉଣ୍ଟରରେ କେନ୍ଦ୍ରର ଚାଷୀ ମାରଣ ନୀତି କଥା ଉଠାଇ ବିଜେଡି ର ପ୍ରତିବାଦ କରିଥିଲା । ଏହାପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।
ସାଢ଼େ ୧୧ଟାରେ ନବ ଦାସ ହତ୍ୟାକାଣ୍ଡକୁ ନେଇ ଗୃହରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ଜାନୁଆରୀ ୨୯ ତାରିଖରେ ଏଏସ୍ଆଇ ଗୋପାଳ ଦାସଙ୍କ ଗୁଳିରେ ନବ ଦାସଙ୍କର ମୃତ୍ୟୁ ଘଟିଥିଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ, ସ୍ୱଚ୍ଛତା ପାଇଁ ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଜଷ୍ଟିସ୍ ଜେ.ପି. ଦାସଙ୍କ ଦ୍ୱାରା ତଦନ୍ତର ତଦାରଖ, ମୁଖ୍ୟ ଅଭିଯୁକ୍ତ ଗୋପଳ ଦାସର ପଲିଗ୍ରାଫ୍, ନାର୍କୋ ସମେତ ଲେୟର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ ସହିତ ଏଯାଏଁ ହୋଇଥିବା ତଦନ୍ତର ଅଗ୍ରଗତି ନେଇ ଗୃହକୁ ଅବଗତ କରିଥିଲେ ମୁଖ୍ୟମନ୍ତ୍ରୀ ।
ତା ସହ ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସହାୟତା ଲୋଡ଼ାଯାଇଛି ବୋଲି ନବୀନ କହିଥିଲେ । ଯେହେତୁ FBI ଆଚରଣ ବିଶ୍ଳେଷଣରେ ନିପୁଣ, ସେଥିପାଇଁ ସେମାନଙ୍କ ବିହେଭିୟୋରାଲ୍ ସପୋର୍ଟ ୟୁନିଟ ସଙ୍ଗେ ଯୋଗାଯୋଗ କରାଯିବା ସହ ଏ ଦିଗରେ ସହଯୋଗ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି।
ଏଥିସହିତ ହତ୍ୟାକାଣ୍ଡରେ ବିଜେପି ରାଜନୀତିକରଣ କରୁଥିବା ଅଭିଯୋଗ ଆଣି ବର୍ଷିଥିଲେ ନବୀନ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନା ନନେଇ, ଜଣେ କାର୍ଯ୍ୟରତ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ନବୀନ ତୀବ୍ର ସମାଲୋଚନା କରିଥିଲେ । ତା ସହିତ ନବ ଦାସ ହତ୍ୟାକାଣ୍ଡ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ଯେଉଁ ସବୁ ଅଭିଯୋଗ ଆଣୁଛି ତାହା ଭିତ୍ତିହୀନ ବୋଲି କହିଛନ୍ତି ।
ଏଥିସହିତ ଜଣେ ପୋଲିସ୍ କର୍ମଚାରୀର ଅପରାଧ ପାଇଁ ସାରା ପୋଲିସ ବାହିନୀ ବିରୋଧରେ ବିଜେପି ଯେଉଁଭଳି ମନ୍ତବ୍ୟ ଦେଉଛି ତାହା ତାଙ୍କୁ ବିବ୍ରତ କରିଥିବା ନବୀନ କହିଛନ୍ତି । ପ୍ରଶ୍ନ ଉଠୁଛି ହତ୍ୟାକାଣ୍ଡର ୨୪ ଦିନ ପରେ କାହିଁକି ମୁହଁ ଖୋଲିଲେ ନବୀନ ? ତମ୍ବିତୋଫାନ ସତ୍ତ୍ୱେ ଏତେ ଦିନ ଯାଏଁ କାହିଁକି ଚୁପ୍ ଥିଲେ ? ଏମିତିକି ଝାରସୁଗୁଡା ରେ ଆୟୋଜିତ ନବଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଯାଇଥିଲେ ବି ସେଠାରେ ପଦୁଟିନ ବି କହିନଥିଲେ ନବୀନ ।
ତେଣୁ ଏବେ କାହିଁକି ? ବିରୋଧୀ ଦଳର ଚାପ, 5T ସଚିବ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେପିର ଖୋଲାଖୋଲି ଟାର୍ଗେଟ୍ ପରେ ନବୀନ ମୁହଁ ଖୋଲିଲେ ବୋଲି ଚର୍ଚ୍ଚା ହେଉଛି । ହେଲେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ ।
୨୪ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା ଓ ମୁଖ୍ୟମନ୍ତ୍ରୀଙ୍କ ଲୋକ ଯେଉଁ କାଗଜ ଦେଲେ ତାକୁ ସେ ପଢ଼ିଦେଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ସେ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଅନେକ କଥା କହିଲେ, ହେଲେ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ଦିଗରେ କାହିଁକି କିଛି କହିଲେନି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।
ସେପଟେ କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କଠାରୁ ଏଭଳି ବିବୃତି ସେ ଆଶା କରିନଥିଲେ। କ୍ରାଇମବ୍ରାଞ୍ଚ ଠିକରେ ତଦନ୍ତ କରୁନଥିବା ଅଭିଯୋଗ ଆଣି ପୁଣି ଥରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏସ୍ଆଇଟି ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ଏଥିସହି ହତ୍ୟାକାଣ୍ଡ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ।
ବ୍ୟକ୍ତିଗତ, ରାଜନୈତିକ ଓ ବ୍ୟାବସାୟିକ ଶତ୍ରୁତା ଯୋଗୁଁ ନବ ଦାସଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଅଭିଯୋଗ ଆଣିଛନ୍ତି । ଏୟା ବି କହିଛନ୍ତି, ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିକୁ ଗଲା ପରେ ବିଜେଡି ଭିତରେ ଅସନ୍ତୋଷ ରହିଥିଲା । ପଶ୍ଚିମ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ସହ ନବଙ୍କର ପଡୁ ନଥିଲା । ବରଗଡ଼ ର ସଂପୃକ୍ତ ପୂର୍ବତନ ମନ୍ତ୍ରୀ ହତ୍ୟାକାରୀ ହୋଇନଥିବା ବୋଲି କିଏ କହିବ କହି ନରସିଂହ ହଟଚମଟ ସୃଷ୍ଟି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)