• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନବ ଦାସଙ୍କ ମୃତ୍ୟୁ ପରେ ଅଶାନ୍ତ ହେଉଛି କି ତାଙ୍କ ଆଧିପତ୍ୟରେ ଥିବା ପଶ୍ଚିମ  ଓଡ଼ିଶା ର ଶିଳ୍ପ ସାମ୍ରାଜ୍ୟ ? ଗତ ୧୭ ତାରିଖରେ ସମ୍ବଲପୁର ଗୋଳାମାଲ ଅଞ୍ଚଳରେ ଏକ ଆସ୍ କଂପାନୀରେ କିଛି ସ୍ଥାନୀୟ ଶାସକଦଳ ନେତା ଓ ସମର୍ଥକଙ୍କ ନାଲିଆଖି ଏବଂ ହତ୍ୟା  ଧମକ ପରେ ଏ ଶଙ୍କା ଅଧିକ ଦୃଢ଼ୀଭୁତ ହୋଇଛି। ଏମିତିକି ଏହା ପଛରେ ଜଣେ ଉପକୂଳ ନେତା ଓ ପଡ଼ୋଶୀ ବରଗଡ଼ ଜିଲ୍ଲା ର ପୂର୍ବତନମନ୍ତ୍ରୀଙ୍କ ଚକ୍ରାନ୍ତ ଥିବା ଅଭିଯୋଗ ଆଣିଛନ୍ତି  ବିରୋଧୀ । ତେଣେ ଝାରସୁଗୁଡ଼ାବାସୀ କହିଲେଣି ସରକାର ଏଠାକାର ଶାନ୍ତି ଓ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ ।

ମନ୍ତ୍ରୀ ନବ ଦାସ ଙ୍କ ଆକସ୍ମିକ ବିୟୋଗ ପରଠୁ ଅଶାନ୍ତ ହେଉଛି କି ପଶ୍ଚିମ ଓଡ଼ିଶାର ଶିଳ୍ପ କରିଡର ? କୋଇଲା, ଫ୍ଲାଏଆସ୍ ଅବା ଟ୍ରାନ୍ସପୋର୍ଟ ନବଙ୍କ ନିଧନ ପରେ ଦୀର୍ଘ ୩ ଦଶନ୍ଧୀ ଧରି ତାଙ୍କ ଅଖଣ୍ଡ ଆଧିପତ୍ୟରେ ଚାଲିଥିବା ଏସବୁ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ପଡିଲାଣି କି ଜିଲ୍ଲା ବାହାର ନେତାଙ୍କ ଲୋଲୁପ  ନଜର ? ଯାହାର ଝଲକ୍ ଗତ ୧୭ ତାରିଖରେ ଦେଖିବାକୁ ମିଳିଥିବା କୁହାଯାଉଛି। ଯାହାର ଦୃଶ୍ୟ ଦେଖିବାକୁ ମିଲିଥିଲା ସମ୍ବଲପୁର କତରବଗା ଥାନା ଗୋଳାମାଲ ଅଞ୍ଚଳରେ । ରେଙ୍ଗାଳି ଓ ଆଖପାଖ ଗାଁର ୩୦ରୁ ୪୦ଜଣ ଲୋକ  ଏଠାକାର ଏକ ପ୍ରତିଷ୍ଠିତ ଆସ୍ କଂପାନୀରେ ହଠାତ୍ ପଶି କର୍ମଚାରୀଙ୍କୁ ହତ୍ୟା ଧମକ ସହ  କାମ  ବନ୍ଦ ପାଇଁ ନାଲିଆଖି ଦେଖାଇଥିଲେ । ଏ ସମ୍ପର୍କରେ ଖବର ପାଇ ସେଠି ପହଞ୍ଚିଥିଲା ପୋଲିସ୍। 

ଅଧିକ ପଢ଼ନ୍ତୁ: CBI ଉପରେ ଭରସା ନାହିଁ, FBI ଉପରେ ଏତେ ଭରସା !

ଏମିତିକି ସେହି ଘଟଣାରେ କତରବଗା ଥାନାରେ ଉକ୍ତ କଂପାନୀ ସୁପରଭାଇଜର ଅମିତ  ମଜୁମଦାରଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ଏଫଆଇଆର୍ ମଧ୍ୟ ଦାଏର ହୋଇଛି । ଯେଉଁଥିରେ ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଛି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଦେବ ନାରାୟଣ  ତିୱାରି ଓ କତରବଗା ସରପଞ୍ଚ ନୀଳାମ୍ବ ରୋହିଦାସ ନାଁ। ଏମାନେ ସମସ୍ତେ କୁଆଡ଼େ ପଡ଼ୋଶୀ  ଜିଲ୍ଲାର ଜଣେ ଟାଣୁଆ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ଖାସ୍ ସମର୍ଥକ  ବୋଲି କୁହାଯାଉଛି। ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଅଣ୍ଡରଟେକିଂ ଲେଖି ଛାଡ଼ି ଦେଇଥିବାରୁ  ଅସନ୍ତୋଷ ବଢ଼ିବାରେ ଲାଗିଛି ।

୨୦୦୪ ମସିହା ପରଠୁ ନବ ଦାସ ଝାରସୁଗୁଡ଼ା ରାଜନୀତିରେ ସକ୍ରିୟ ହେବା ପରଠୁ  ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ କାୟା ବଢ଼ାଇଥିଲା। ବିଧାୟକ ହେବା ପରଠୁ କୋଇଲା  ବ୍ୟବସାୟରୁ  ଆରମ୍ଭ କରି ଆସ୍ ଓ ଖଣିଜ ପରିବହନ ତାଙ୍କ କବଜାକୁ ଚାଲି ଆସିଥିଲା । ତେବେ ତାଙ୍କ  ମୃତ୍ୟୁ ପରେ ପରେ ଏ ସାମ୍ରାଜ୍ୟ ଦଖଲ ପାଇଁ ଉପକୂଳ ଓଡ଼ିଶାର ଜଣେ ଟାଣୁଆ ନେତା ବାରମ୍ବାର ଝାରସୁଗୁଡ଼ା ଗସ୍ତ କରି ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏଥିରେ ପଡ଼ୋଶୀ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀ ମାଧ୍ୟମ ସାଜିଥିବା ଚର୍ଚ୍ଚା ହୋଇ ଆସୁଛି ।

ଏମିତିକି ୧୭  ତାରିଖ  ଗଣ୍ଡଗୋଳ ଦିନ ଉତ୍ତରାଞ୍ଚଳ ଆଇଜିଙ୍କ ଅଫିସରେ ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କ ସହ ଉକ୍ତ ନେତା ରୁଦ୍ଧଦ୍ୱାର ବୈଠକ କରି ଫେରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଧରି ଘେରିଛନ୍ତି ବିରୋଧୀ । ବିଜେପି ବିଧାୟକ ନାଉରୀ ନାଏକ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା  ସିଧା  ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ନାଁ ନେଇ ନିଶାନା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ  ବରଗଡ଼ ଗସ୍ତ ଉପରେ ଆଲୋଚନା ଲାଗି ଉକ୍ତ ମିଟିଂରେ ଉପସ୍ଥିତ ଥିବା କହିଥିଲେ ସୁଶାନ୍ତ ସିଂ।

ଏବେ ଦେଖିବାର କଥା ନବଙ୍କ ଅବର୍ତ୍ତମାନରେ ପଶ୍ଚିମ ଓଡ଼ିଶାରେ ତାଙ୍କ ଅଧିପତ୍ୟରେ ଚାଲିଥିବା ବ୍ୟବସାୟିକ ସାମ୍ରାଜ୍ୟର ଡୋରି ତାଙ୍କ ପରିବାର ସଦସ୍ୟଙ୍କ ହାତରେ ରହୁଛି ନା ଲୋଲୁପ ଦୃଷ୍ଟି ପକାଇଥିବା ନେତା ଓ ବାହାର ରାଜ୍ୟର ମାଫିଆଙ୍କ  ହାତକୁ  ଚାଲିଯାଉଛି ?