• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସଂକଟରେ ଓଡ଼ିଶାର ସର୍ବବୃହତ୍ ନଦୀ, ମହାନଦୀ । ମେ’ ନ ଆସୁଣୁ ଶୁଖିଲା ପଡିଛି ଓଡ଼ିଶାର ଜୀବନ ରେଖା। ଗାଧୋଇବା ଠାରୁ ପିଇବା ପାଣି, ମତ୍ସ୍ୟଜୀବୀ ଓ ନାଉରୀଆ, ସମସ୍ତେ ନିର୍ଭରଶୀଳ ମହାନଦୀର ପାଣି ଉପରେ । ତେବେ ସୁବର୍ଣ୍ଣପୁର, ବୌଦ୍ଧ ଏବଂ ଆଠଗଡ଼ରେ ଖସିଛି ନଦୀର ଜଳସ୍ତର । ଖାଲି ପାଣି କମିନି ବରଂ ଶୁଖିଲା ପଡ଼ିଛି ନଦୀ ।

ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ହାତେ ଦୂରରେ ଖାଲି ବାଲି ଆଉ ପଥର । ଦୂର ଦୂର ଯାଏଁ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା। ତା’ଭିତରେ ଗଣ୍ଡରେ କେଉଁଠି ଆଣ୍ଠୁଏ, କେଉଁଠି ପାଦ ବୁଡାଇଲା ଭଳି ବହୁଛି ପାଣି । ମାଳଭୂମି ପାଲଟିଛି ରାଜ୍ୟର ସର୍ବବୃହତ ନଦୀ । ବୌଦ୍ଧ ଜିଲ୍ଲାରେ ପୂର୍ବରୁ ଲୋକେ ଡଙ୍ଗାରେ ନଦୀ ପାର ହେଉଥିଲେ ଏବେ ଚାଲିକି ଯାଉଛନ୍ତି । ନଦୀରେ ଜଳସ୍ତର ଆଶ୍ଚର୍ଯ୍ୟଜନକ ଭାବେ ଶୁଖି ଯାଇଛି । ଫଳରେ ବୁଡିବାକୁ ବସିଛି ମତ୍ସ୍ୟଜୀବୀଙ୍କ କୂଳ ବେଉସା ।

ସୁବର୍ଣ୍ଣପୁର ବି ଜଳସେଚନରୁ ଜୀବନ ଜୀବିକା, ଇଲେକ୍ଟ୍ରିସିଟି ସବୁକିଛି ସଙ୍କଟରେ ପଡିଛି କେବଳ ମହାନଦୀର ଶୁଖିଲା ସ୍ଥିତି ପାଇଁ । ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ପାଇଁ ବରଦାନ ସାଜିଥିବା ମହାନଦୀର ମଧୁର ଜଳରେ ମାଛମାରି କିଏ ଜୀବିକା ନିର୍ବାହ କରେ ତ କିଏ ଜଳସେଚନ କରି ଫସଲ ଫଳାଏ । ହେଲେ କାଁ ଭାଁ ସରୁ ସରୁ ପାଣିର ଧାରରେ ଯେମିତି ସଂଘର୍ଷ କରୁଛି ରାଜ୍ୟବାସୀଙ୍କ ଏହି ଜୀବନ ରେଖା । ଜମିକୁ ଜଳସେଚନ ପାଇଁ ପମ୍ପ ଲାଗିଛି, ହେଲେ ପାଣି ନଥିବାରୁ ଜେସିବିରେ ଖୋଳି ପାଣି ବାହାର କରାଯାଉଛି । ଚାଷୀଙ୍କୁ ଚିନ୍ତା ଘାରିଛି, ଏଥର ବଞ୍ଚିବ ତ ସେମାନଙ୍କ ପରିଶ୍ରମର ଫସଲ ।

ଏପଟେ ଆଠଗଡରେ ମହାନଦୀ ପାଇଁ ଗର୍ବ କରୁଥିବା ମତ୍ସ୍ୟଜୀବୀ ମାଛମରା ଛାଡି ମୂଲ ଲାଗିଲେଣି । ଅକାତକାତ ପାଣି ବଦଳରେ ମହାନଦୀର ତଳ ଦିଶିଲାଣି । ମୁଣ୍ଡଳୀର ମଝି ନଇରେ ବାଲି ଦେଖାଗଲାଣି । ଶୁଖିଲା ନଦୀକୁ ଦେଖି ମତ୍ସ୍ୟଜୀବୀ କୂଳରେ ଡଙ୍ଗା ବାନ୍ଧି ଦେଇଛନ୍ତି । ମତ୍ସ୍ୟଜୀବୀଙ୍କ ବେଉସା ବୁଡିବାକୁ ବସିଥିବା ବେଳେ ଡଙ୍ଗା ତିଆରି କରୁଥିବା କାରିଗରଙ୍କ ଅବସ୍ଥା କହିଲେ ନସରେ । ତଳମୁଣ୍ଡରେ ବ୍ୟାରେଜ ଅଭାବରୁ ବଢି ପାଣି ସମୁଦ୍ରକୁ ବହିଯାଉଛି, ଫଳରେ ଶୁଖିଲା ପଡିଛି ମହାନଦୀ।

ଗୋଟିଏ ପଟେ ମହାନଦୀର ଶୁଖିଲା ସ୍ଥିତି ଅନ୍ୟପଟେ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ରାଜନୀତି । ଏହାରି ଭିତରେ ଜଳ ଭାଗବଣ୍ଟାକୁ ନେଇ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ ଲାଗି, ପ୍ରଥମ ଥର ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଟ୍ରିବ୍ୟୁନାଲ୍ ଟିମ୍ ।

  • Reported by:
  • NILAKANTHA DORA , DEEPAK KUMAR ADAR