• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କୂଳରେ ଡଙ୍ଗା ବନ୍ଧା ଯାଇଛି, ମତ୍ସଜୀବୀ ଜାଲ ଧରି ବସିଛନ୍ତି । ହେଲେ ମାଛ ନାହାନ୍ତି । ପାଣି ନଥିବା କାରଣରୁ ଶୁଖିଲା ପଡ଼ିଛି ମହାନଦୀ । ତେଣୁ କୂଳ ବେଉସାକୁ ଛାଡ଼ି ଏବେ ମୂଲ ଲାଗିଲେଣି ମତ୍ସଜୀବୀ ପରିବାର । ଯେଉଁଠି ଦିନେ ଅକାତକାତ ପାଣି ଥିଲା ଆଜି ସେଇଠି ଦେଖାଯାଉଛି ବାଲି ଆଉ ପଙ୍କ । ବୈଶାଖ ମାସ ଆରମ୍ଭ ହେଉ ହେଉ ସ୍ଥିତି ଏମିତି, ଆଗକୁ ପାଣି ଟୋପାଏ ପାଇଁ ଦହଗଞ୍ଜ ହେବା ନେଇ ଆଶଙ୍କା କଲେଣି ନଈ କୂଳିଆ ଲୋକେ ।

ମୁଣ୍ଡଳୀ ମହାନଦୀରେ ଆଉ ପାଣି ନାହିଁ । ଡଙ୍ଗା ବନ୍ଧା ହୋଇ କୂଳରେ ରଖାଯାଇଛି । ନଈ ଗର୍ଭରେ ପାଣି ନଥିବାରୁ ଡଙ୍ଗା ଚାଲୁନି କି ମାଛ ମରାଯାଉନି । ତେଣୁ ହାତବାନ୍ଧି ବସିଛନ୍ତି ମତ୍ସଜୀବୀ ପରିବାର । କୌଳିକ ବୃତ୍ତି ବୁଡ଼ିଯାଉଥିବାରୁ ପରିବାର କେମିତି ଚଳାଇବେ ସେନେଇ ଚିନ୍ତାରେ ।

ଦିନ ଥିଲା ଆଠଗଡ଼ର ନଦୀକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନେ ଓଡ଼ିଶା ର କୋଣ ଅନୁକୋଣକୁ ମାଛ ପଠାଇ ସୁନାମ ଅର୍ଜନ କରିଥିଲେ । ମହାନଦୀରୁ ମାଛ ଧରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ତଳମୁଣ୍ଡରେ ବ୍ୟାରେଜ ଅଭାବରୁ ବଢି ପାଣି ସମୁଦ୍ରକୁ ବୋହି ଯାଉଛି ଏବଂ ମହାନଦୀ ଶୁଖିଲା ପଡ଼ୁଛି । ତେଣୁ ସଙ୍କଟରେ ମତ୍ସଜୀବୀ ପରିବାର ।ଗୁରୁତ୍ୱପୂର୍ଣ୍ଣ କଥା ହେଲା ମତ୍ସଜୀବୀମାନେ ମହାନଦୀରୁ ମାଛ ମାରିଲେ ସେମାନଙ୍କ ପରିବାର ଚଳୁଥିଲା ।

ଖାଲି ମତ୍ସଜୀବୀ କାହିଁକି? ବରଂ ମାଛ ପାଇଁ ପ୍ରତିବର୍ଷ ନୂଆନୂଆ ଡଙ୍ଗା ବି ତିଆରି ହେଉଥିଲା । ହେଲେ ଏବେ ପାଣି ନଥିବାରୁ ଡଙ୍ଗା ତିଆରି ବରାଦ ବି ଆସୁନି । ତେଣୁ କାଠ କାରିଗର ବି ପ୍ରଭାବିତ ହେଉଛନ୍ତି । ମତ୍ସଜୀବୀମାନେ ଏତେ ସମସ୍ୟା ଦେଇ ଗତି କରୁଛନ୍ତି, ହେଲେ ସରକାର ସେମାନଙ୍କ ଲାଗି କିଛି କରୁନଥିବା ଅଭିଯୋଗ ବି ହେଉଛି । ଯଦି ତଳମୁଣ୍ଡରେ ସରକାର ବ୍ୟାରେଜ ନିର୍ମାଣ କରିଥାଆନ୍ତେ ତେବେ ଏ ସମସ୍ୟା ଉପଜିନଥାନ୍ତା ବୋଲି କହିଲେଣି ମତ୍ସଜୀବୀ ।

୫ ବର୍ଷ ପୂର୍ବର ମହାନଦୀ ଏବଂ ଆଜିକା ଦିନର ମହାନଦୀ ଭିତରେ ଆକାଶ ପାତାଳ ଫରକ । ଆଗାମୀ ଦିନ ମାନଙ୍କରେ ଏ ସମସ୍ୟା ଲାଗି ରହିଲେ ଚାଷୀ ଏବଂ ମତ୍ସଜୀବୀ ଭୟଙ୍କର ପ୍ରଭାବିତ ହେବେ । ତେଣୁ କେବେ ସରକାରଙ୍କ ନିଦ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା ।

 

  • Reported by:
  • NILAKANTHA DORA