Advertisment

SC/ST committees conference: ଆଜିଠୁ ଭୁବନେଶ୍ୱରରେ SC/ST ସଂସଦୀୟ କମିଟି ସମ୍ମିଳନୀ

ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ୨ ଦିନିଆ ଜାତୀୟ ସମ୍ମିଳନୀ ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି। ଲୋକସେବା ଭବନ କନଭେନସନ୍ ହଲରେ ଏହାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମ୍ମିଳନୀକୁ ଉଦଘାଟନ କରିଛନ୍ତି।

author-image
Debadatta Aryashrestha
SC/ST Parliamentary Committee Meet

SC/ST Parliamentary Committee Meet

ଭୁବନେଶ୍ବରରେ ଆରମ୍ଭ ହୋଇଛି ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଲୋକସେବା ଭବନ କନଭେନସନ୍ ହଲରେ ଆଜି ଓ ଆସନ୍ତାକାଲି, ଦୁଇଦିନ ଧରି ଏହି ସମ୍ମିଳନୀ ଚାଲିବ। ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେଉଛି।

Advertisment

ତେବେ ଏଥର ସମ୍ମିଳନୀର ବିଷୟବସ୍ତୁ ରହିଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା। ଏଥିରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ଲେଖାଏଁ ବିଧାୟକ ଯୋଗ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ଜଣ ସଦସ୍ୟ ମଧ୍ୟ ସମ୍ମିଳନୀରେ ସାମିଲ ହୋଇଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂହ କୁଲସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହା ବ୍ୟତୀତ ସଂସଦରେ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଓ ସଦସ୍ୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ସଦସ୍ୟମାନେ ଏହି ସମାରୋହରେ ଯୋଗଦେଇଛନ୍ତି। ଦେଶରୁ ୨୪୦ରୁ ଅଧିକ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି।

ଆସନ୍ତା ୩୦ ଅଗଷ୍ଟରେ ଏହି ସମ୍ମିଳନୀର ଉଦଯାପନୀ ଦିବସରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କ ଅଭିଭାଷଣ ରଖିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ଗଠିତ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂ କୁଲସ୍ତେ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉଦଯାପନୀ ଅଧିବେଶନରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ଗଠିତ ସମିତିର ଅଧ୍ୟକ୍ଷ ଭାସ୍କର ମଢ଼େଇ ଧନ୍ୟବାଦ ଅର୍ପଣ କରିବେ।

Advertisment

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କର ପ୍ରଥମ ସମ୍ମିଳନୀ ୧୯୭୬ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୭୯, ୧୯୮୩, ୧୯୮୭ ଏବଂ ୨୦୦୧ ମସିହାରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ଏବଂ ସାମ୍ବିଧାନିକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀ ଏଥର ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି।

Odisha News Bhubaneswar Lok Sabha Speaker Om Birla Om Birla
Advertisment
Related Articles
Advertisment